ନୂଆଦିଲ୍ଲୀ ୦୬।୦୭; ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାରି ବର୍ଷରୁ ଅଧିକ ସମୟ ଧରି ଜାରି ରହିଛି। ଉଭୟ ଦେଶ ପରସ୍ପର ଉପରେ ଲଗାତାର ଆକ୍ରମଣ କରୁଛନ୍ତି। ଜୁଲାଇ ୭ରେ ହେବାକୁ ଥିବା ନାଟୋ ସମ୍ମିଳନୀର ଠିକ୍ ଗୋଟିଏ ଦିନ ପୂର୍ବରୁ, ରୁଷ ମଧ୍ୟରାତ୍ରିରେ ରାଜଧାନୀ କିଭ୍ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି। ଆକ୍ରମଣରେ ୮ ଜଣ ଲୋକଙ୍କ ମୃତ୍ୟୁ ଲୋକଙ୍କ ଘଟିବା ସହିତ ୩୪ ଜଣ ଆହତ ହାଇଛନ୍ତି। ସୋମବାର ମଧ୍ୟରାତିରେ ରୁଷ ରାଜଧାନୀ କିଭ୍କୁ ଟାର୍ଗେଟ କରି ଅନେକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଡ଼ କରିଥିଲା। ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକି ଆଉ ଏକ ବଡ଼ ଧରଣର ଆକ୍ରମଣ ଆସନ୍ନ ବୋଲି ଚେତାବନୀ ଦେବାର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଛି। 

ଆକ୍ରମଣ ପରେ, କିଭ୍ ମେୟର ଭିଟାଲି କ୍ଲିଟ୍ସକୋ କହିଛନ୍ତି ଯେ, ରାତି ଅଧିଆ ବୋମା ମାଡ଼ରେ କ୍ଷତିଗ୍ରସ୍ତ କୋଠାଗୁଡ଼ିକରୁ ଉଦ୍ଧାରକାରୀ ଦଳମାନେ ବାସିନ୍ଦାଙ୍କୁ ସ୍ଥାନାନ୍ତର କରୁଛନ୍ତି। କିଭ୍ରେ ସାତ ଜଣଙ୍କର ମୃତ୍ୟୁ ହୋଇଛି। ରାଜଧାନୀର ଉତ୍ତର-ପଶ୍ଚିମରେ ଥିବା ବୁଚା ଜିଲ୍ଲାରେ ମଧ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। କିଭ୍ ଅଞ୍ଚଳର ସାମରିକ ପ୍ରଶାସନର ମୁଖ୍ୟ ତୈମୁର ତକାଚେଙ୍କୋ କହିଛନ୍ତି, କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆପାର୍ଟମେଣ୍ଟ ଏବଂ ଅନ୍ୟାନ୍ୟ ଆବାସିକ କୋଠାଗୁଡ଼ିକୁ ଟାର୍ଗେଟ କରିଥିଲା। ଏକ ଶିଳ୍ପ କାରଖାନାରେ ନିଆଁ ଲାଗିଥିବା ସେ କହିଛନ୍ତି। 

ଆକ୍ରମଣରେ ପୋଡିଲସ୍କି ଜିଲ୍ଲାରେ ଏକ ଆବାସିକ କୋଠା ଆଂଶିକ ଭାବରେ ନଷ୍ଟ ହୋଇଯାଇଛି। ଡାର୍ନିତ୍ସିଆ ଜିଲ୍ଲାରେ ଅନେକ ବହୁତଳ କୋଠା କ୍ଷତିଗ୍ରସ୍ତ ହୋଇଛି ଏବଂ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି ବୋଲି ସେ କହିଛନ୍ତି। ମେୟର କ୍ଲିଟସ୍କୋ କହିଛନ୍ତି ଯେ ବାୟୁ ପ୍ରତିରକ୍ଷା ପ୍ରଣାଳୀ କାର୍ଯ୍ୟକ୍ଷମ ଅଛି। ସେ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଅନୁରୋଧ କରିଛନ୍ତି। ସୋମବାର ସକାଳ ପର୍ଯ୍ୟନ୍ତ ଜାରି ରହିଥିବା ଏହି ଆକ୍ରମଣରେ ବାଲିଷ୍ଟିକ୍ ଏବଂ କ୍ରୁଜ୍ କ୍ଷେପଣାସ୍ତ୍ର ତଥା ଡ୍ରୋନ୍ ବ୍ୟବହାର କରାଯାଇଥିଲା। ସହର ସାରା ବିସ୍ଫୋରଣ ହୋଇଥିଲା । ସାଧାରଣ ନାଗରିକମାନେ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇଥିଲେ। 

ଆସନ୍ତାକାଲି ଜୁଲାଇ ୭ ମଙ୍ଗଳବାର ଠାରୁ ତୁର୍କୀର ଅଙ୍କାରାରେ ଆରମ୍ଭ ହେବାକୁ ଥିବା ନାଟୋ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନର ଭୋଲୋଡିମିର ଜେଲେନ୍ସକି ଯୁଦ୍ଧ ବିଷୟରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଆମେରିକାର ସ୍ବାଧୀନତା ଦିବସ ପାଳନ ଅବସରରେ ଟ୍ରମ୍ପ ରୁଷିଆ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ସହ ପ୍ରାୟ ୯୦ ମିନିଟ୍ ଧରି ଟେଲିଫୋନରେ କଥା ହୋଇ ୟୁକ୍ରେନ ଯୁଦ୍ଧର ସମାଧାନ ଖୋଜିବାରେ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହା ସହ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଥିଲେ। ତେବେ ଟ୍ରମ୍ପ ଫୋନରେ କଥା ହେବା ପରେ ପୁଟିନଙ୍କ ନିର୍ଦ୍ଦେଶରେ ପୁଣି ଆକ୍ରମଣ କରାଯାଇଛି। ଫଳରେ ଟ୍ରମ୍ପଙ୍କର ଶାନ୍ତିଦୂତ ହେବା ପ୍ରୟାସକୁ ଏକ ବଡ଼ ଝଟକା ଲାଗିଛି।