କିଭ୍ : ୟୁକ୍ରେନ ଉପରେ ଋଷିଆ ଚଳିତବର୍ଷର ସବୁଠୁ ଭୀଷଣ ଆକ୍ରମଣ କରିଛି। ମିଜାଇଲ ଓ ଡ୍ରୋନରେ ହୋଇଥିବା ଏହି ଆକ୍ରମଣରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିବା ୟୁକ୍ରେନୀ ଅଧିକାରୀ କହିଛନ୍ତି। ଇଷ୍ଟରର ସଂକ୍ଷିପ୍ତ ଯୁଦ୍ଧବିରାମ ପରେ ଋଷିଆ ଏହି ଭୀଷଣ ଆକ୍ରମଣ କରିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲେନସ୍କି କହିଛନ୍ତି ଯେ ଏହି ଆକ୍ରମଣ ପାଇଁ ଋଷିଆ ଅନୁନ୍ୟ ୭୦୦ ଡ୍ରୋନ, ୧୯ ବାଲିଷ୍ଟିକ୍ ମିଜାଇଲ ସହିତ କ୍ରୁଜ ମିଜାଇଲ ମଧ୍ୟ ଉପଯୋଗ କରିଥିଲା। ଏଥିରୁ ୟୁକ୍ରେନ ପାଖାପାଖି ୬୩୬ଟି ଡ୍ରୋନ ଓ କିଛି ମିଜାଇଲକୁ ନଷ୍ଟ କରି ଦେଇଛି। ତେବେ ବଳକା ମିଜାଇଲ ଓ ଡ୍ରୋନ ବ୍ୟାପକ କ୍ଷୟକ୍ଷତି କରିଛି।

ରାଷ୍ଟ୍ରପତି କହିଛନ୍ତି ଯେ ଏଥିରେ ସବୁଠୁ ଅଧିକ ଆକ୍ରମଣ ରାଜଧାନୀ କିଭ କୁ ଟାର୍ଗେଟ କରି କରାଯାଇଥିଲା। ହେଲେ ବି ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଓ ମୃତ୍ୟୁ ହୋଇଛି। ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ ପ୍ରତିରକ୍ଷା ପ୍ରଣାଳୀରୁ ବର୍ତ୍ତି ଯାଇଥିବା ଡ୍ରୋନ ଓ ମିଜାଇଲ ଆବାସିକ ଅଞ୍ଚଳରେ ପଡିଥିଲା। ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମୃତକଙ୍କ ସମ୍ପର୍କରେ ଜେଲେନସ୍କି ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ଓଡେଶା, କିଭ ଓ ନିପ୍ରୋରେ ଏହି ମୃତ୍ୟୁର ତାଣ୍ଡବ ହୋଇଛି। ମୃତକଙ୍କ ମଧ୍ୟରେ ଏକ ୧୨ ବର୍ଷର ବାଳକ ମଧ୍ୟ ରହିଛି। ତାଙ୍କ ପରିବାର ଓ ପ୍ରିୟଜନଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି।

ଜେଲେନସ୍କି ଋଷିଆ ଉପରେ ଆରୋପ ଲଗାଇ ଉଲ୍ଲେଖ କରିଛନ୍ତି ଯେ ସେ ଏବେ ଆଉ ବୈଶ୍ୱିକ ନୀତିରେ କୌଣସି ପ୍ରକାର କୋହଳ ଓ କଟକଣା ଦାବି କରିପାରିବନି। ଦେଶ ଉପରେ ଆକ୍ରମଣ ପାଇଁ ଜେଲେନସ୍କି ଋଷିଆକୁ ଦାୟି କରିଥିବା ବେଳେ ଉପଲବ୍ଧ ସଂସାଧନରେ ସେ ନିଜ ଲୋକଙ୍କୁ ରକ୍ଷା କରିବେ ବୋଲି ସଂକଳ୍ପ କରିଛନ୍ତି। ଜେଲେନସ୍କି କହିଛନ୍ତି ଯେ ଋଷିଆ ଯୁଦ୍ଧ ଉପରେ ବାଜି ଲଗାଉଛି। ତାକୁ ମଧ୍ୟ ଠିକ୍ ସେହିଭଳି ଜବାବ ଦିଆଯିବ। ତେବେ ଆମ ପଖରେ ଉପଲବ୍ଧ ସାଧନରେ ଆମକୁ ଜୀବନ ରକ୍ଷା କରିବାକୁ ପଡିବ। ସେହିପରି ଶାନ୍ତି ପାଇଁ ଆମକୁ ସମ୍ପୂର୍ଣ୍ଣ ବଳ ପ୍ରୟୋଗ କରିବାକୁ ମଧ୍ୟ ପଡିବ।