Rupee vs Dollar: ଆମେରିକା- ଇରାନ ଇସ୍ରାଏଲ୍ ଯୁଦ୍ଧ ସାରା ବିଶ୍ୱର ଅର୍ଥନୀତି ଉପରେ ଗମ୍ଭୀର ପ୍ରଭାବ ପକାଇଲାଣି। ଏଥିରେ ଭାରତ ବି ବାଦ ପଡ଼ି ନାହିଁ। ଦେଶ ବର୍ତ୍ତମାନ ଶକ୍ତି ସଂକଟ ସହ ଯୁଝୁଥିବା ବେଳେ ଭାରତୀୟ ମୁଦ୍ରା ମୂଲ୍ୟ ରସା ତଳକୁ ଗଲାଣି। ଯାହା ଦେଶର ଅର୍ଥନୀତି ପାଇଁ ବିପଦ ସୃଷ୍ଟି କରିଛି। ଶନିବାର ସୁଦ୍ଧା ଗୋଟିଏ ଡଲାର ମୂଲ୍ୟ ୯୪ ଟଙ୍କା ୮୬ ପଇସାକୁ ହ୍ରାସ ପାଇଛି। ଅର୍ଥାତ୍ ଆମେରିକାର ଗୋଟିଏ ଡଲାର ଭାରତର ପ୍ରାୟ ୯୫ ଟଙ୍କା ସହ ସମାନ। ହଠାତ୍ ଟଙ୍କା ମୂଲ୍ୟ ଏତେ ଖସିଲା କାହିଁକି? ଏସବୁକୁ ନେଇ ପଢ଼ନ୍ତୁ ସ୍ପେଶାଲ୍ ରିପୋର୍ଟ- ଖସୁଛି ଟଙ୍କା ବଢ଼ୁଛି ଚିନ୍ତା ।

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ରେକର୍ଡ ନିମ୍ନ ସ୍ତରକୁ ଖସିଯାଇଛି। ଶନିବାର ସୁଦ୍ଧା ଟଙ୍କା ମୂଲ୍ୟ ପ୍ରାୟ ୯୫ ଟଙ୍କା ହୋଇଛି। ୧ ଡଲାରର ବିନିମୟ ମୂଲ୍ୟ ହୋଇଛି ୯୪ ଟଙ୍କା ୮୬ ପଇସା। ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଶକ୍ତି ଯୋଗାଣ ଶୃଙ୍ଖଳରେ ଦେଖାଦେଇଥିବା ବାଧକଗୁଡ଼ିକ କାରଣରୁ ଭାରତୀୟ ମୁଦ୍ରାରେ ଏହି ହ୍ରାସ ଦେଖିବାକୁ ମିଳିଛି । ଗତ ମାସକରେ ଟଙ୍କା ପ୍ରାୟ ୪% ଖସିଛି। ଅନ୍ୟପକ୍ଷରେ, ୨୦୨୫-୨୬ ସମ୍ପୂର୍ଣ୍ଣ ଆର୍ଥିକ ବର୍ଷରେ ଏଥିରେ ୧୦% ରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି । ଏହା ଗତ ୧୪ ବର୍ଷରେ ସବୁଠାରୁ ବଡ଼ ହ୍ରାସ। ବିଦେଶୀ ବ୍ରୋକରେଜ୍ ସଂସ୍ଥା ବର୍ନଷ୍ଟିନ୍ର ରିପୋର୍ଟ ଅନୁସାରେ, ଯଦି ଇରାନ ଯୁଦ୍ଧ ଜାରି ରୁହେ, ତେବେ ଖୁବ୍ଶୀଘ୍ର ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ୯୮ ଟଙ୍କା ସ୍ତର ପର୍ଯ୍ୟନ୍ତ ଯାଇପାରେ।

ଏଠି ପ୍ରଶ୍ନ ଉଠୁଛି ଟଙ୍କା ମୂଲ୍ୟ କମିଲା କି ବଢିଲା ଏହା କେମିତି ନିର୍ଦ୍ଧାରଣ ହୁଏ ?

ଟଙ୍କାର ମୂଲ୍ୟ କୌଣସି ଜଣେ ବ୍ୟକ୍ତି କିମ୍ବା ସରକାର ବସି ନିର୍ଣ୍ଣୟ କରନ୍ତି ନାହିଁ। ବର୍ତ୍ତମାନର ଆଧୁନିକ ଅର୍ଥନୀତିରେ ଏହା ମୁଖ୍ୟତଃ ବଜାରର ଶକ୍ତି (Market Forces) ଦ୍ୱାରା ନିର୍ଣ୍ଣୟ ହୋଇଥାଏ।

ଅନ୍ୟ ସାମଗ୍ରୀ ଭଳି ମୁଦ୍ରାର ମଧ୍ୟ ଏକ ବଜାର ରହିଛି। ଏହାର ଦର ଚାହିଦା ଏବଂ ଯୋଗାଣ ଜରିଆରେ ନିର୍ଦ୍ଧାରିତ ହୋଇଥାଏ। ଗୋଟିଏ ମୁଦ୍ରାର ଚାହିଦା ସମାନ ଥାଇ ଯୋଗାଣ ଅଧିକ ହେଲେ ଦର କମିଯାଏ। ଅନ୍ୟପକ୍ଷରେ ଯୋଗାଣ ସମାନ ଥାଇ ଚାହିଦା ବଢ଼ିଗଲେ ଦାମ୍ ବଢ଼ିଯାଇଥାଏ | ଅଧିକାଂଶ ଦେଶ ଡଲାରକୁ ସହଜରେ ଗ୍ରହଣ କରିଥାନ୍ତି ସେଥିପାଇଁ ଡଲାର ଚାହିଦା ଅଧିକ ରହିଥାଏ। ଯଦି ମୁଦ୍ରା ବଜାରରେ ଡଲାର ଚାହିଦା ଅଧିକ ରହିଲା ତାହା ଟଙ୍କା ମୂଲ୍ୟକୁ ଦୁର୍ବଳ କରି ଦେଇଥାଏ, ଯାହା ବର୍ତ୍ତମାନ ଦେଖିବାକୁ ମିଳୁଛି। ଟଙ୍କା ମୂଲ୍ୟରେ ଅତ୍ୟଧିକ ଅସ୍ଥିରତାକୁ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ପଦକ୍ଷେପ ନେଇଥାଏ । କିନ୍ତୁ ଟଙ୍କା ମୂଲ୍ୟ କେତେ ରହିବ ତାହା ବଜାର ସ୍ଥିର କରିଥାଏ।

ମୁଦ୍ରା ମୂଲ୍ୟ ହ୍ରାସ ହେବାର ଏକାଧିକ କାରଣ ରହିଛି। ଆସନ୍ତୁ ସେଗୁଡ଼ିକୁ ବୁଝିବା।

୧. ଅଶୋଧିତ ତୈଳ (Crude Oil) ର ଦର ବୃଦ୍ଧି ମୁଦ୍ରା ମୂଲ୍ୟ ହ୍ରାସ ପ୍ରମୁଖ କାରଣ ହୋଇଛି। ଭାରତ ତା’ର ଆବଶ୍ୟକତା ଅନୁସାରେ ପ୍ରାୟ ୮୦% ରୁ ଅଧିକ ତେଲ ବାହାର ଦେଶରୁ ଆମଦାନୀ କରେ। ଏହି ପେମେଣ୍ଟ ଡଲାରରେ ହୋଇଥାଏ। ଯଦି ଆନ୍ତର୍ଜାତୀୟ ବଜାରରେ ତେଲ ଦର ବଢ଼େ, ତେବେ ଭାରତକୁ ଅଧିକ ଡଲାର ଦେବାକୁ ପଡ଼େ। ଏହାଦ୍ୱାରା ଡଲାରର ଚାହିଦା ବଢ଼ିଥାଏ ଏବଂ ଟଙ୍କା ମୂଲ୍ୟ କମିଯାଏ।

୨. ଆମଦାନୀ ଏବଂ ରପ୍ତାନି ମଧ୍ୟରେ ପାର୍ଥକ୍ୟ (Trade Deficit) ଅଧିକ ରହିଲେ ମଧ୍ୟ ଏହା ମୁଦ୍ରା ମୂଲ୍ୟକୁ ପ୍ରଭାବିତ କରିଥାଏ। ଯଦି ଆମେ ବାହାର ଦେଶରୁ ଜିନିଷ ଅଧିକ ଆମଦାନୀ (Import) କରୁଛୁ ଏବଂ କମ୍ ରପ୍ତାନି (Export) କରୁଛୁ, ତେବେ ଆମ ପାଖରୁ ଅଧିକ ଡଲାର ବାହାରକୁ ଚାଲିଯାଏ। ଏହି ସ୍ଥିତିରେ ଟଙ୍କାର ମୂଲ୍ୟ ହ୍ରାସ ପାଏ।୩. ସେହିପରି ଆମେରିକା ଫେଡେରାଲ ରିଜର୍ଭର ନୀତି ମଧ୍ୟ ଟଙ୍କା ମୂଲ୍ୟକୁ ପ୍ରଭାବିତ କରିଥାଏ। ଯଦି ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ (Fed Reserve) ସେଠାରେ ସୁଧ ହାର (Interest Rates) ବଢ଼ାଏ, ତେବେ ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ଟଙ୍କା ବାହାର କରି ଆମେରିକାରେ ନିବେଶ କରନ୍ତି। ଏହାକୁ 'Capital Outflow' କୁହାଯାଏ। ଏହା ଟଙ୍କା ଉପରେ ଚାପ ପକାଏ।

୪. ଭାରତରେ ନିବେଶ ନେଇ ବିଦେଶୀ ନିବେଶକଙ୍କ ଆଗ୍ରହଣ ପ୍ରକାଶ ନ କରିବା ବି ଏହାର ଏକ କାରଣ। ଯେତେବେଳେ ବିଦେଶୀ ସଂସ୍ଥାଗତ ନିବେଶକମାନେ ଭାରତୀୟ ସେୟାର ବଜାରରୁ ସେମାନଙ୍କର ଅର୍ଥ ପ୍ରତ୍ୟାହାର କରିନିଅନ୍ତି, ସେମାନେ ଟଙ୍କାକୁ ଡଲାରରେ ପରିବର୍ତ୍ତନ କରି ନିଜ ଦେଶକୁ ନେଇଯାଆନ୍ତି। ଫଳରେ ଡଲାର ଶକ୍ତିଶାଳୀ ହୁଏ ଓ ଟଙ୍କା ଦୁର୍ବଳ ହୁଏ।

୫. ମୁଦ୍ରା ମୂଲ୍ୟରେ ଯାହା ବର୍ତ୍ତମାନର ସବୁଠାରୁ ବଡ଼ ଚିନ୍ତା ପାଲଟିଛି ତାହା ହେଲା ବିଶ୍ୱସ୍ତରୀୟ ଭୂ-ରାଜନୈତିକ ସ୍ଥିତି। ବର୍ତ୍ତମାନ ଚାରିଆଡ଼େ ଯୁଦ୍ଧ ବିଭିଷୀକା ଦେଖିବାକୁ ମିଳୁଛି। ଏଥିପାଇଁ ବିଶ୍ୱସ୍ତରରେ ଅସ୍ଥିରତା ଦେଖା ଦେଇଛି। ଏହି କାରଣରୁ ନିବେଶକମାନେ ରିସ୍କ ନେବାକୁ ଚାହାଁନ୍ତି ନାହିଁ। ସେମାନେ ନିଜ ପଇସାକୁ ସୁରକ୍ଷିତ ରଖିବା ପାଇଁ ଡଲାର କିଣିବା ଆରମ୍ଭ କରନ୍ତି, ଯାହା ଡଲାରକୁ ଅଧିକ ମହଙ୍ଗା କରିଦିଏ। ମୁଦ୍ରାସ୍ଫୀତି ମଧ୍ୟ ଟଙ୍କା ମୂଲ୍ୟକୁ ହ୍ରାସ କରିଥାଏ।

ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମିଲେ ଲାଭ ବି ରହିଛି କ୍ଷତି ବି ରହିଛି। ଯାହାକୁ ଆମେ ଏହି ରିପୋର୍ଟରେ ସରଳ ଭାଷାରେ ବୁଝିବା। ଟଙ୍କା ମୂଲ୍ୟ ହ୍ରାସ ହେବା ଦ୍ୱାରା ଭାରତର ଅର୍ଥନୀତି ଉପରେ ଏହାର କଣ ପ୍ରଭାବ ପଡ଼ିବ, ଏବଂ ସବୁଠାରୁ ବଡ଼ କଥା ହେଲା ସାଧାରଣ ଜୀବନକୁ ଏହା କିଭଳି ପ୍ରଭାବିତ କରିବ ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ। ତେବେ ଆସନ୍ତୁ ଜାଣିବା।

ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମିବା (Rupee Depreciation) ଦ୍ୱାରା ଦେଶର ଅର୍ଥନୀତି ଏବଂ ସାଧାରଣ ଲୋକଙ୍କ ଜୀବନ ଉପରେ ଏହାର ମିଶ୍ରିତ ପ୍ରଭାବ ପଡ଼ିଥାଏ। ୨୦୨୬ ମାର୍ଚ୍ଚ ସୁଦ୍ଧା ୧ ଡଲାରର ମୂଲ୍ୟ ପ୍ରାୟ ₹୯୪.୮୬ ରହିଛି, ଯାହା ପୂର୍ବ ବର୍ଷ ତୁଳନାରେ ପ୍ରାୟ ୧୦.୬% ଅଧିକ। ଟଙ୍କାର ମୂଲ୍ୟ କମିବା ଦ୍ୱାରା କଣ ଲାଭ ହୋଇଥାଏ କଣ କ୍ଷତି ହୋଇଥାଏ ଅଲଗା ଅଲଗା କରି ବୁଝିବା।

ପ୍ରଥମେ କଣ ଲାଭ ହୋଇଥାଏ ଆସନ୍ତୁ ବୁଝିବା।

ରପ୍ତାନିରୁ ଅଧିକ ଆୟ: ଯେଉଁ କମ୍ପାନୀଗୁଡ଼ିକ ବିଦେଶକୁ ସାମଗ୍ରୀ କିମ୍ବା ସେବା (ବିଶେଷ କରି IT ସେକ୍ଟର) ରପ୍ତାନୀ କରନ୍ତି, ସେମାନେ ଡଲାରରେ ପେମେଣ୍ଟ ପାଆନ୍ତି। ଟଙ୍କା ଦୁର୍ବଳ ହେଲେ ସେହି ଡଲାର ବଦଳରେ ସେମାନଙ୍କୁ ଅଧିକ ଟଙ୍କା ମିଳେ, ଯାହା ରପ୍ତାନିକାରୀଙ୍କ ପାଇଁ ଲାଭଦାୟକ। ଏଭଳି ସ୍ଥିତିରେ ଦେଶର ସୂଚନା ପ୍ରଯୁକ୍ତି, ଫାର୍ମାସ୍ୟୁଟିକାଲ୍ ଓ ବୟନ ଶିଳ୍ପ ଅଧିକ ଲାଭବାନ ହୋଇଥାନ୍ତି।

ସେହିପରି ଦ୍ୱିତୀୟ ଲାଭ ହେଲା ସ୍ୱଦେଶକୁ ଅଧିକ ପାଣ୍ଠି ଆସେ: ବିଦେଶରେ ରହି କାମ କରୁଥିବା ଭାରତୀୟମାନେ ଦେଶକୁ ଉପାର୍ଜିତ ପାଣ୍ଠି ପଠାଇଥାନ୍ତି। ଟଙ୍କା ଦୁର୍ବଳ ହେଲେ ସେମାନେ ପଠାଉଥିବା ରାଶିକୁ ଭାରତୀୟ ଟଙ୍କାରେ ବିନିମୟ କଲେ ଅଧିକ ଟଙ୍କା ମିଳିଥାଏ। ତେଣୁ ସେମାନେ ଅଧିକ ଲାଭ ପାଆନ୍ତି। ବିଦେଶରୁ ସୁଦେଶକୁ ପାଣ୍ଠି ହାସଲ କରିବାରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି।

(୩) ପର୍ଯ୍ୟଟନକୁ ଲାଭ:ବିଦେଶ ଭ୍ରମଣ ମହଙ୍ଗା ହେଲେ ଅନେକ ଭାରତୀୟ ସେମାନଙ୍କ ଛୁଟି ଯୋଜନା ବାତିଲ କରିଥାନ୍ତି। ସେମାନେ ସେହି ଟଙ୍କାକୁ ଦେଶ ଭିତରେ ଥିବା ବିଭିନ୍ନ ସ୍ଥାନ ବୁଲିବାରେ ବ୍ୟବହାର କରିଥାନ୍ତି। ଫଳରେ ଘରୋଇ ପର୍ଯ୍ୟଟନକୁ ଲାଭ ମିଳିଥାଏ। ଅଧିକ ବିଦେଶୀ ପର୍ଯ୍ୟଟକ ଆସିଲେ ଭାରତକୁ ଅଧିକ ବିଦେଶୀ ମୁଦ୍ରା ମଧ୍ୟ ମିଳିଥାଏ।

(୪) ସ୍ଥାନୀୟ ଉତ୍ପାଦନରେ ବୃଦ୍ଧି:ଆମଦାନୀ ମହଙ୍ଗା ଦେଲେ ଦେଶ ଭିତରେ ସେହି ଜିନିଷର ଉତ୍ପାଦନ ବଢ଼ାଇବା ଲାଗି ପ୍ରତିଯୋଗିତା ଆରମ୍ଭ ହୋଇଥାଏ। ସରକାର ପ୍ରୋତ୍ସାହନ ମଧ୍ୟ ଦେଇଥା'ନ୍ତି। ଏଭଳି ପରିସ୍ଥିତିରେ ସ୍ୱଦେଶୀ ମାମଗ୍ରୀର ଗ୍ରହଣୀୟତା ବଢ଼ିଥାଏ। ଆଉ ଏକ ପ୍ୟାକ୍ଟର ହେଲ ଭାରତୀୟ ଭିତ୍ତିଭୂମିରେ ବିଦେଶୀ ନିବେଶ ବଢେ। କାରଣ ସେମାନେ ଖୁବ୍ କମ ଖର୍ଚ୍ଚରେ କାରାଖାନା ଖୋଲିପାରନ୍ତି ଓ କାର୍ଯ୍ୟ ପରିଚାଳନା କରିପାରନ୍ତି।

ଏବେ କ୍ଷତିର ଦିଗ ବିଚାର କରିବା।

ମୁଦ୍ରା ମୂଲ୍ୟ ହ୍ରାସ ହେବା ଦ୍ୱାରା ଦେଶରେ ଆମଦାନୀ ମହଙ୍ଗା ହୋଇଥାଏ। ଭାରତ ଅଧିକାଂଶ ଅଶୋଧିତ ତୈଳ, ସୁନା ଏବଂ ଇଲେକ୍ଟ୍ରୋନିକ୍ସ ବାହାରୁ ଆଣିଥାଏ। ଟଙ୍କା ଦୁର୍ବଳ ହେଲେ ଏହି ସବୁ ଜିନିଷ ପାଇଁ ଅଧିକ ଡଲାର ଦେବାକୁ ପଡ଼େ, ଯାହା ଦେଶର Trade Deficit (ବାଣିଜ୍ୟ ନିଅଣ୍ଟ) ବଢ଼ାଇଥାଏ। ଏହା ଦ୍ୱାରା ଦେଶରେ ମୁଦ୍ରାସ୍ଫୀତି ବି ବଢ଼େ। କାରଣ ତେଲ ଦର ବଢିଲେ ପରିବହନ ଖର୍ଚ୍ଚ ବଢ଼େ, ଆଉ ବ୍ୟବସାୟୀ ମାର୍ଜିନ ବାହାର କରିବାକୁ ସାମଗ୍ରୀର ଦାମ ବଢ଼ାଇ ଦିଅନ୍ତି। ଫଳରେ ଜନତାଙ୍କୁ ମହଙ୍ଗା ମାଡ଼ ସହିବାକୁ ପଡ଼େ।

ବିଦେଶୀ ଋଣ ଭାର ବି ବଢ଼େ। ଭାରତୀୟ କମ୍ପାନୀଗୁଡ଼ିକ ଯଦି ବିଦେଶରୁ ଡଲାରରେ ଋଣ ଆଣିଛନ୍ତି, ତେବେ ଟଙ୍କା ମୂଲ୍ୟ କମିବା ଯୋଗୁ ସେମାନଙ୍କୁ ସୁଧ ଓ ମୂଳ ଟଙ୍କା ଫେରସ୍ତ କରିବା ସମୟରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ।

ନିବେଶଓ ଭ୍ରମଣ ମହଙ୍ଗା ହୁଏବ୍ୟବସାୟ ଉଦ୍ଦେଶ୍ୟରେ ହେଉ ଅଥବା ବୁଲାବୁଲି କରିବା ପାଇଁ ବହୁ ସଂଖ୍ୟାରେ ଭାରତୀୟ ପ୍ରତିବର୍ଷ ବିଦେଶ ଯାତ୍ରା କରୁଛନ୍ତି। ସେତେବେଳେ ସେମାନେ ଭାରତୀୟ ଟଙ୍କାକୁ ବଦଳାଇ ବୁଲିଯାଉଥିବା ଦେଶର ମୁଦ୍ରା ନେଇଥାନ୍ତି। ଡଲାର ତୁଳନାରେ ଟଙ୍ଗା ଦୁର୍ବଳ ହୋଇଗଲେ ଅଧିକ ଟଙ୍କା ଦେଇ ଡଲାର ଜିଣିବାକୁ ପଡ଼ିଥାଏ। ଫଳରେ ବିଦେଶ ଯାତ୍ରାରେ ହେବାକୁ ଥିବା ଖର୍ଚ୍ଚ ମଧ୍ୟ ସେହି ଅନୁସାରେ ବଢ଼ିଯାଏ। ସେହିପରି ବିଦେଶରେ ପଡ଼ୁଥିବା ପିଲାମାନଙ୍କୁ ବି ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଫଳରେ ଏହା ମହଙ୍ଗା ହୋଇଥାଏ।

କ୍ଷୁଦ୍ର ଶିଳ୍ପରେ ସଙ୍କଟ:ଡଲାର ମହାଙ୍ଗା ହେଲେ ତାହାର ସିଧାସଳଖ ଚାପ ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ତଦ୍ୟୋଗ ଉପରେ ପଡ଼ିଥାଏ। ତେଲ ମହଙ୍ଗା ହେଲେ ବିମାନ ଚଳାଚଳ, ପରିବହନ ଓ ଗମନାଗମନ, ଲଜିଷ୍ଟିକ ଶିଳ୍ପ ମଧ୍ୟ ପ୍ରଭାବିତ ହୋଇଥାଏ। କ୍ଷୁଦ୍ର ଶିଳ୍ପ ସଙ୍କଟରେ ପଡ଼ିଲେ ହଜାର ହଜାର ଲୋକେ ଜୀବିକା ହରାଇଥାନ୍ତି।

ଏବେ ଟିକେ ଇତିହାସ ଉପରେ ନଜର ପକାଇବା। ଅନେକ ସମୟରେ ଟଙ୍କାର ମୂଲ୍ୟ ହ୍ରାସ ହେବା ନେଇ ବିରୋଧୀମାନେ କ୍ଷମତାସୀନ ସରକାରଙ୍କୁ ଟାର୍ଗେଟ୍ କରିଥାନ୍ତି। ଯାହା ଆପଣମାନେ ମିଡିଆ ସୋସିଆଲ୍ ମିଡିଆରେ ଦେଖିବାକୁ ପାଉଥିବେ। ତେଣୁ ଏହି ରିପୋର୍ଟରେ ସେ ଉପରେ ନଜର ପକାଇ ନେବା। ଦେଶ ସ୍ୱାଧୀନ ଥିବା ବେଳେ ଗୋଟିଏ ଡଲାର ମୂଲ୍ୟ କେତେ ଥିଲା? ମନମୋହନ ସିଂହଙ୍କ ସରକାର ସମୟରେ କେତେ ବଢ଼ିଲା ଓ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମୟରେ କେତେ ବଢ଼ିଲା ଆସନ୍ତୁ ଜାଣିବା।

ସ୍ୱାଧୀନତା ପରଠାରୁ ଟଙ୍କା ବର୍ଷକୁ ବର୍ଷ ଦୁର୍ବଳ ହେବାରେ ଲାଗିଛି। ସ୍ୱାଧୀନତା ସମୟରେ ଡଲାର ଓ ଟଙ୍କା ମୂଲ୍ୟ ପ୍ରାୟତଃ ବରାବର ରହିଥିଲା। ଅର୍ଥାତ୍ ୧ ଡଲାର ମୂଲ୍ୟ ୧ ଟଙ୍କା ଥିଲା। କିନ୍ତୁ ଗତ ୭୯ ବର୍ଷ ମଧ୍ୟରେ ଡଲାର ମୂଲ୍ୟ ବୃଦ୍ଧି ଘଟି ପାଖାପାଖି ୯୫ ଟଙ୍କାରେ ପହଞ୍ଚି ଯାଇଛି। ଏବେ ଗୋଟିଏ ଡଲାର ବା ସେହି ମୂଲ୍ୟର ସାମଗ୍ରୀ ବିଦେଶରୁ କିଣିବାକୁ ହେଲେ ଭାରତୀୟଙ୍କୁ ପ୍ରାୟ ୯୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ସମୟରେ ଡଲାର ମୂଲ୍ୟ ପ୍ରାୟ ୬୦-୬୩ ଟଙ୍କା ମଧ୍ୟରେ ଥିଲା। ମୋଦୀଙ୍କ ଗତ ୧୨ ବର୍ଷର ଶାସନ କାଳ ମଧ୍ୟରେ ଡଲାର ମୂଲ୍ୟ ୩୪ ଟଙ୍କାରୁ ଅଧିକ ବଢ଼ି ଶନିବାର ସୁଦ୍ଧା ୯୪ ଟଙ୍କା ୮୬ ପଇସାରେ ପହଞ୍ଚିଛି । ଅର୍ଥାତ୍ ମୋଦୀଙ୍କ ଶାସନ ଅମଳରେ ବର୍ତ୍ତମାନ ସୁଦ୍ଧା ଟଙ୍କାର ମୂଲ୍ୟ ୫୬ ପ୍ରତିଶତ କମିଯାଇଛି।

ସେହିପରି ଯଦି ମନମୋହନ ସିଂହ କାର୍ଯ୍ୟକାଳ ଦେଖିବା ତେବେ ୨୦୦୪ ମସିହାରେ ଉପା ସରକାରର ପ୍ରଧାନମନ୍ତ୍ରୀ ସମୟରେ ୧ ଡଲାର ମୂଲ୍ୟ ପ୍ରାୟ ୪୫ ଟଙ୍କା ସ୍ତରରେ ରହିଥିଲା। କିନ୍ତୁ ମନମୋହନଙ୍କ ୧୦ ବର୍ଷର ଶାସନକାଳ ମଧ୍ୟରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୬୦-୬୩ ଟଙ୍କା ମଧ୍ୟରେ ରହିଥିଲା ଅର୍ଥାତ୍ ମନମୋହନଙ୍କ ସମୟରେ ଟଙ୍କା ପ୍ରାୟ ୩୩ ପ୍ରତିଶତ ଦୁର୍ବଳ ହୋଇଥିଲା। ଦୁଇ ପ୍ରଧାନମନ୍ତ୍ରୀଙ୍କ ଶାସନ କାଳକୁ ତୁଳନା କଲେ ପ୍ରଧାନମନ୍ତ୍ରୀଙ୍କ ଶାସନ କାଳରେ ଟଙ୍କା ମୂଲ୍ୟ ଅଧିକ ୨୩% ଖସିଛି। ତେବେ ଇତିହାସରେ ୧୯୪୯ରୁ ୧୯୯୧ ମଧ୍ୟରେ ଭାରତୀୟ ମୁଦ୍ରାର ୩ ଥର ଅବମୂଲ୍ୟାୟନ ମଧ୍ୟ ହୋଇଛି। ଅର୍ଥାତ୍ ସରକାର ଡଲାର ତୁଳନାରେ ଭାରତୀୟ ମୁଦ୍ରା ହ୍ରାସ କରିଛନ୍ତି।

ଟଙ୍କାର ମୂଲ୍ୟ କାହିଁକି ହ୍ରାସ ପାଉଛି, ଏହାର ସକାରାତ୍ମକ ପ୍ରଭାବ ଓ ନକାରାତ୍ମକ ପ୍ରଭାବ ବିଷୟରେ ଜାଣିଲେ। ମୁଦ୍ରା ଦୁର୍ବଳ ହେବା ଓ ମଜଭୁତ ହେବା ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟରେ ତଥ୍ୟକୁ ମଧ୍ୟ ଆଲୋଚନା କଲେ। ଏବେ ମୁଦ୍ରା ମୂଲ୍ୟ ନିୟନ୍ତ୍ରଣ କରିବାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଭୂମିକା କଣ ଆସନ୍ତୁ ଜାଣିବା।

ମୁଦ୍ରା ମୂଲ୍ୟ ନିୟନ୍ତ୍ରଣ କରିବାରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ବଡ଼ ଭୂମିକା ଥାଏ। ଆର୍ବିଆଇ ସମୟ ସମୟରେ ନିଜର ଡଲାର ଭଣ୍ଡାରରୁ ଡଲାର ବିକ୍ରି କରି ଟଙ୍କାର ମୂଲ୍ୟକୁ ସନ୍ତୁଳିତ ରଖିବାକୁ ଚେଷ୍ଟା କରେ। ଟଙ୍କା ମୂଲ୍ୟ ଦ୍ରୁତ ହ୍ରାସ ହେଲେ RBI ନିଜ ପାଖରେ ଥିବା ବିଦେଶୀ ମୁଦ୍ରା ଭଣ୍ଡାର (Forex Reserve) ରୁ ଡଲାର ବିକ୍ରି କରି ବଜାରକୁ ସୁଧାରିଥାଏ। ଏହି ପ୍ରକ୍ରିୟା କେମିତି କାମ କରେ ବୁଝନ୍ତୁ।

୧. ଚାହିଦା ଓ ଯୋଗାଣର ସନ୍ତୁଳନ (Demand and Supply) ଯେକୌଣସି ଜିନିଷର ଦାମ ସେତେବେଳେ ବଢ଼େ ଯେତେବେଳେ ତାର ଚାହିଦା ଅଧିକ ଥାଏ କିନ୍ତୁ ଯୋଗାଣ (Supply) କମ୍ ଥାଏ। ଡଲାର କ୍ଷେତ୍ରରେ ମଧ୍ୟ ସମାନ ନିୟମ ଲାଗୁ ହୁଏ। ଯଦି ବଜାରରେ ଡଲାରର ଅଭାବ ଦେଖାଦିଏ, ତେବେ ଡଲାର ମହଙ୍ଗା ହୁଏ ଓ ଟଙ୍କା ଶସ୍ତା ହୋଇଯାଏ। ଏହି ସମୟରେ RBI ନିଜ ଭଣ୍ଡାରରୁ ଡଲାର ବଜାରକୁ ଛାଡ଼େ (ବିକ୍ରି କରେ)। ଫଳରେ ବଜାରରେ ଡଲାରର ପରିମାଣ ବଢ଼ିଯାଏ ଏବଂ ଟଙ୍କାର ମୂଲ୍ୟ ସ୍ଥିର ରହେ।

୨. ମୁଦ୍ରା ବଜାରରେ ହସ୍ତକ୍ଷେପ (Market Intervention) RBI ସାଧାରଣତଃ ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ଡଲାର ବିକ୍ରି କରେ। ଯେତେବେଳେ ବିଦେଶୀ ନିବେଶକମାନେ ଭାରତରୁ ପୁଞ୍ଜି ପ୍ରତ୍ୟାହାର କରନ୍ତି, ସେମାନେ ବହୁ ପରିମାଣର ଡଲାର ମାଗନ୍ତି। ଏହି ହଠାତ୍ ବଢ଼ିଥିବା ଚାହିଦାକୁ ପୂରଣ କରିବା ପାଇଁ RBI ଡଲାର ବିକ୍ରି କରି ବଜାରକୁ ଶାନ୍ତ ରଖେ।

୩. ଭୋଲାଟିଲିଟି ବା ଅସ୍ଥିରତାକୁ ରୋକିବା RBI ର ମୁଖ୍ୟ ଲକ୍ଷ୍ୟ ଟଙ୍କାର ମୂଲ୍ୟକୁ ଏକ ନିର୍ଦ୍ଦିଷ୍ଟ ସ୍ତରରେ ରଖିବା ନୁହେଁ, ବରଂ ଅତ୍ୟଧିକ ଅସ୍ଥିରତା (Volatility) କୁ ରୋକିବା। ଯଦି ଟଙ୍କା ମୂଲ୍ୟ ହଠାତ୍ ୫-୧୦% କମିଯାଏ, ତେବେ ଦେଶର ଅର୍ଥନୀତି ଉପରେ ଖରାପ ପ୍ରଭାବ ପଡ଼ିବ। ତେଣୁ RBI ଧୀରେ ଧୀରେ ଡଲାର ବିକ୍ରି କରି ଏହି ପରିବର୍ତ୍ତନକୁ ସହନଶୀଳ କରିଥାଏ।

୪. ଉଦାହରଣ ସ୍ୱରୂପ ଧରନ୍ତୁ, ବଜାରରେ ୧ ଡଲାରର ମୂଲ୍ୟ 83 ଟଙ୍କା ଅଛି। ହଠାତ୍ ଡଲାରର ଚାହିଦା ବଢ଼ିବାରୁ ଏହା ୮୫ ଟଙ୍କା ହୋଇଗଲା। ଯଦି RBI ଦେଖିଲା ଯେ ଡଲାରର ଅଭାବ ଅଛି, ତେବେ RBI ନିଜ ଭଣ୍ଡାରରୁ କିଛି ବିଲିୟନ ଡଲାର ବଜାରରେ ବିକ୍ରି କରିବ। ବଜାରରେ ଡଲାର ଉପଲବ୍ଧ ହେବାରୁ ଏହାର ଦାମ ଆଉ ବଢ଼ିବ ନାହିଁ। ଏହା ୮୩ ରୁ ୮୪ ମଧ୍ୟରେ ସ୍ଥିର ରହିବ।

ତେବେ ଆର୍ବିଆ ଅସୀମିତ ସମୟ ପାଇଁ ଡଲାର ବିକ୍ରି କରିପାରିବ ନାହିଁ, କାରଣ ଏହାଦ୍ୱାରା ଦେଶର ବିଦେଶୀ ମୁଦ୍ରା ଭଣ୍ଡାର କମିଯିବ। ତେଣୁ ଏହାକୁ କେବଳ ଜରୁରୀ ପରିସ୍ଥିତିରେ ବ୍ୟବହାର କରାଯାଏ।

ଏବେ ଆର୍ବିଆଇ ପାଖକୁ ଏତେ ପରିମାଣରେ ଡଲାର କେଉଁଠୁ ଆସେ ବୋଲି ହୁଏତ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ। ଉତ୍ତର ବଡ଼ ସହଜ। ବିଦେଶ ନିବେଶ, ରପ୍ତାନୀ, ପ୍ରବାସୀ ଭାରତୀୟଙ୍କ ଟଙ୍କା, ଓ ବିଦେଶୀ ବ୍ୟାଙ୍କରୁ ଋଣ ମାଧ୍ୟମରେ ଆର୍ବିଆଇ ଡଲାର ସଂଗ୍ରହ କରିଥାଏ। ଯେତେବେଳେ ଦେଶକୁ ଆସୁଥିବା ଡଲାରର ପରିମାଣ ବହୁତ ବଢ଼ିଯାଏ, RBI ସେଗୁଡ଼ିକୁ କିଣି ନିଜର ବିଦେଶୀ ମୁଦ୍ରା ଭଣ୍ଡାର (Forex Reserve) ରେ ସଞ୍ଚୟ କରି ରଖେ। ଏବଂ ଟଙ୍କା ମାର୍କେଟକୁ ଛାଡ଼ି ଟଙ୍କା ମୂଲ୍ୟ ବଢ଼ିବାକୁ ଦିଏ ନାହିଁ। ଯାହା ରପ୍ତାନୀ ପାଇଁ ଲାଭପ୍ରଦ। ସେହିପରି ବଜାରରେ ଡଲାର କମ ହେଲେ ଆର୍ବିଆଇ ଭଣ୍ଡାରରୁ ଡଲାର ବିକ୍ରି କରି ବଜାରରୁ ଟଙ୍କା ଉଠାଇ ନିଏ। ଡଲାରର ଅଭାବ ପୂରଣ କରି ଟଙ୍କାର ମୂଲ୍ୟ ବହୁତ କମିବାକୁ ଦିଏ ନାହିଁ।

ସବୁଠାରୁ ଶକ୍ତିଶାଳୀ ମୁଦ୍ରା କିଏ?

ଅନ୍ତର୍ଜାତୀୟ ବଜାରରେ "ସବୁଠାରୁ ଶକ୍ତିଶାଳୀ ମୁଦ୍ରା" କହିଲେ ଆମେ ଦୁଇଟି ଦିଗକୁ ବୁଝିପାରିବା। ଗୋଟିଏ ହେଉଛି ଯାହାର ମୂଲ୍ୟ (Value)ସବୁଠାରୁ ଅଧିକ ଏବଂ ଅନ୍ୟଟି ହେଉଛି ଯାହାର ପ୍ରଭାବ (Influence)ସବୁଠାରୁ ଅଧିକ। ଏ ଦୃଷ୍ଟିରୁ ଶକ୍ତିଶାଳୀ ମୁଦ୍ରା ହେଲେ-

୧. ମୂଲ୍ୟ ଦୃଷ୍ଟିରୁ ସବୁଠାରୁ ଶକ୍ତିଶାଳୀ:କୁଏତି ଦିନାର (Kuwaiti Dinar - KWD)ଅନେକ ଲୋକ ଭାବନ୍ତି ଡଲାର କିମ୍ବା ପାଉଣ୍ଡ ସବୁଠାରୁ ମହଙ୍ଗା, କିନ୍ତୁ ପ୍ରକୃତରେ କୁଏତି ଦିନାର ବିଶ୍ୱର ସବୁଠାରୁ ମୂଲ୍ୟବାନ ମୁଦ୍ରା। ୧ କୁଏତି ଦିନାରର ମୂଲ୍ୟ ପ୍ରାୟ ୩.୨୫ ଡଲାର ବା ଭାରତୀୟ ମୁଦ୍ରାରେ ୨୭୦ ଟଙ୍କାରୁ ଅଧିକ।

ଏହାର କାରଣ:କୁଏତ ପାଖରେ ଥିବା ତେଲ ଭଣ୍ଡାର ହେଉଛି ମୁଖ୍ୟ କାରଣ। କୁଏତ ପାଖରେ ବିଶାଳ ପରିମାଣର ଅଶୋଧିତ ତୈଳ ଭଣ୍ଡାର ଅଛି। ବିଶ୍ୱର ଅଧିକାଂଶ ଦେଶ ସେମାନଙ୍କଠାରୁ ତେଲ କିଣନ୍ତି, ଯାହା ସେମାନଙ୍କ ମୁଦ୍ରାର ଚାହିଦାକୁ ସବୁବେଳେ ଉଚ୍ଚରେ ରଖେ।

ସ୍ଥିର ଅର୍ଥନୀତି:କୁଏତ ଏକ ଛୋଟ ଦେଶ କିନ୍ତୁ ଏହାର ଅର୍ଥନୀତି ବହୁତ ସମୃଦ୍ଧ ଏବଂ ସେଠାରେ ଟ୍ୟାକ୍ସ ବ୍ୟବସ୍ଥା ନାହିଁ।

୨. ପ୍ରଭାବ ଦୃଷ୍ଟିରୁ ସବୁଠାରୁ ଶକ୍ତିଶାଳୀ:ଆମେରିକୀୟ ଡଲାର (US Dollar - USD) ହେଉଛି ପ୍ରଭାବ ଦୃଷ୍ଟିରୁ ଅଧିକ ଶକ୍ତିଶାଳୀ। ଯଦିଓ ଡଲାରର ମୂଲ୍ୟ ଦିନାର ତୁଳନାରେ କମ୍, କିନ୍ତୁ ବିଶ୍ୱ ବାଣିଜ୍ୟରେ ଏହା ସବୁଠାରୁ ଶକ୍ତିଶାଳୀ। ଏହାକୁ ବିଶ୍ୱର "Reserve Currency" କୁହାଯାଏ।

ଏହାର କାରଣ:ଦୁନିଆର ପ୍ରାୟ ୮୦% ରୁ ଅଧିକ ଆନ୍ତର୍ଜାତୀୟ ବ୍ୟବସାୟ ଡଲାରରେ ହିଁ ହୋଇଥାଏ। ତେଲ ହେଉ କି ସୁନା, ସବୁକିଛି ଡଲାରରେ କିଣାବିକା ହୁଏ।ବିଶ୍ୱାସ (Trust):ଆମେରିକାର ଅର୍ଥନୀତି ଏବଂ ସାମରିକ ଶକ୍ତି ବହୁତ ବଡ଼। ତେଣୁ ବିଶ୍ୱର ସବୁ ଦେଶ ଡଲାରକୁ ସବୁଠାରୁ ସୁରକ୍ଷିତ ମୁଦ୍ରା ଭାବେ ଗ୍ରହଣ କରନ୍ତି। ଅଧିକାଂଶ ଦେଶ ସେମାନଙ୍କର ବିଦେଶୀ ମୁଦ୍ରା ଭଣ୍ଡାରରେ ଡଲାରକୁ ହିଁ ସଞ୍ଚୟ କରି ରଖନ୍ତି।

ବିଶ୍ୱର ଟପ୍-୩ ମୂଲ୍ୟବାନ ମୁଦ୍ରା (ଅନୁମାନିକ ମୂଲ୍ୟ):

ମୁଦ୍ରା

ଦେଶ

୧ ୟୁନିଟ୍ = ଭାରତୀୟ ଟଙ୍କା

କୁଏତି ଦିନାର (KWD)

କୁଏତ

~ ₹୨୭୨

ବାହାରିନି ଦିନାର (BHD)

ବାହାରିନ

~ ₹୨୨୨

ଓମାନି ରିୟାଲ (OMR)

ଓମାନ

~ ₹୨୧୭

 ରୋଚକ କଥା ହେଲା- ଆମେରିକୀୟ ଡଲାର ମୂଲ୍ୟ ତାଲିକାରେ ପ୍ରାୟ ୯ମ କିମ୍ବା ୧୦ମ ସ୍ଥାନରେ ଆସେ,କିନ୍ତୁ ଶକ୍ତି ଓ ପ୍ରଭାବ ମାମଲାରେ ଏହା ସବୁବେଳେ ନମ୍ବର ୧।

 

 କପରି ଶକ୍ତିଶାଳୀ ହେବ ଭାରତୀୟ ମୁଦ୍ରା?

ଭାରତୀୟ ଟଙ୍କାକୁ କୁଏତି ଦିନାର କିମ୍ବା ଆମେରିକୀୟ ଡଲାର ଭଳି ଶକ୍ତିଶାଳୀ କରିବା ଏକ ଦୀର୍ଘକାଳୀନ ପ୍ରକ୍ରିୟା। ଏଥିପାଇଁ କେବଳ ଟଙ୍କା ଛାପିଲେ ହେବ ନାହିଁ, ବରଂ ଦେଶର ଅର୍ଥନୀତିର ମୂଳଦୁଆକୁ ମଜବୁତ କରିବାକୁ ପଡ଼ିବ।

ଭାରତୀୟ ମୁଦ୍ରାକୁ ଶକ୍ତିଶାଳୀ କରିବା ପାଇଁ ନିମ୍ନଲିଖିତ ପଦକ୍ଷେପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ:

୧. ରପ୍ତାନି ବୃଦ୍ଧି (Increase Exports):ଯେତେବେଳେ ଭାରତ ଅଧିକରୁ ଅଧିକ ସାମଗ୍ରୀ (ଯେମିତି କି ମେସିନାରୀ, ସଫ୍ଟୱେୟାର, କୃଷିଜାତ ଦ୍ରବ୍ୟ) ବିଦେଶକୁ ବିକ୍ରି କରିବ, ସେତେବେଳେ ବିଦେଶୀ ଦେଶଗୁଡ଼ିକ ଆମକୁ ପେମେଣ୍ଟ କରିବା ପାଇଁ ଭାରତୀୟ ଟଙ୍କା ଖୋଜିବେ। ଟଙ୍କାର ଚାହିଦା ବଢ଼ିଲେ ଏହାର ମୂଲ୍ୟ ଆପେ ଆପେ ବଢ଼ିବ।

୨. ଆମଦାନୀ ଉପରେ ନିର୍ଭରଶୀଳତା କମାଇବା:ଭାରତ ବହୁତ ପରିମାଣର ତେଲ ଏବଂ ଇଲେକ୍ଟ୍ରୋନିକ୍ସ ଜିନିଷ ବାହାରୁ ଆଣେ, ଯେଉଁଥିପାଇଁ ଆମକୁ ବହୁତ ଡଲାର ଖର୍ଚ୍ଚ କରିବାକୁ ପଡ଼େ। ଯଦି ଆମେ 'ମେକ୍ ଇନ୍ ଇଣ୍ଡିଆ' ମାଧ୍ୟମରେ ଦେଶରେ ଏହି ସବୁ ଜିନିଷ ତିଆରି କରିବା ଏବଂ ସୌର ଶକ୍ତି (Solar Energy) ର ବ୍ୟବହାର ବଢ଼ାଇବା, ତେବେ ଡଲାରର ଆବଶ୍ୟକତା କମିବ ଓ ଟଙ୍କା ମଜବୁତ ହେବ।

୩. ଟଙ୍କାର ଆନ୍ତର୍ଜାତୀୟକରଣ (Internationalisation of Rupee): ଯଦି ବିଶ୍ୱର ଅନ୍ୟ ଦେଶଗୁଡ଼ିକ ଡଲାର ବଦଳରେ ଟଙ୍କାରେ ବ୍ୟବସାୟ କରିବାକୁ ରାଜି ହୁଅନ୍ତି, ତେବେ ଟଙ୍କାର ଗୁରୁତ୍ୱ ବଢ଼ିବ। ବର୍ତ୍ତମାନ ଭାରତ ରୁଷ, ୟୁଏଇ (UAE) ଏବଂ ଶ୍ରୀଲଙ୍କା ଭଳି ଦେଶ ସହ ଟଙ୍କାରେ କାରବାର କରିବାକୁ ଚେଷ୍ଟା କରୁଛି। ଏହା ଏକ ବଡ଼ ସକାରାତ୍ମକ ପଦକ୍ଷେପ।

୪. ବିଦେଶୀ ନିବେଶକୁ ଆକୃଷ୍ଟ କରିବା (Attracting FDI): ଯଦି ବିଶ୍ୱର ବଡ଼ ବଡ଼ କମ୍ପାନୀ ଭାରତରେ କାରଖାନା ପ୍ରତିଷ୍ଠା କରିବେ, ତେବେ ସେମାନେ ନିଜ ସାଙ୍ଗରେ ବିଦେଶୀ ମୁଦ୍ରା ଆଣିବେ। ଏହାଦ୍ୱାରା ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ବଢ଼ିବ ଏବଂ ଟଙ୍କା ଉପରେ ଚାପ କମିବ।

୫. କମ୍ ମୁଦ୍ରାସ୍ଫୀତି (Low Inflation): ଦେଶରେ ଯଦି ମହଙ୍ଗା ମାଡ଼ କମ୍ ରୁହେ, ତେବେ ଟଙ୍କାର କ୍ରୟ ଶକ୍ତି ସ୍ଥିର ରୁହେ। ଯେଉଁ ଦେଶରେ ଜିନିଷପତ୍ରର ଦାମ ସ୍ଥିର ରହେ, ସେହି ଦେଶର ମୁଦ୍ରା ଉପରେ ବିଶ୍ୱର ନିବେଶକମାନେ ଅଧିକ ବିଶ୍ୱାସ କରନ୍ତି।

କୁଏତ ଦିନାର ଭଳି ଭରତୀୟ ମୁଦ୍ରା ମଜଭୁତ ହୋଇପାରିବ କି?

କୁଏତ ଏକ ଛୋଟ ଦେଶ ଏବଂ ତା’ ପାଖରେ ପ୍ରଚୁର ପ୍ରାକୃତିକ ସମ୍ପଦ (ତେଲ) ଅଛି, ତେଣୁ ତାଙ୍କ ମୁଦ୍ରା ବହୁତ ମହଙ୍ଗା। କିନ୍ତୁ ଭାରତ ଏକ ବିଶାଳ ଦେଶ। ଭାରତ ପାଇଁ ଟଙ୍କା ବହୁତ ମହଙ୍ଗା ହେବା ଅପେକ୍ଷା 'ସ୍ଥିର' (Stable) ରହିବା ଅଧିକ ଜରୁରୀ। ଯଦି ଟଙ୍କା ବହୁତ ମହଙ୍ଗା ହୋଇଯାଏ, ତେବେ ଆମର ରପ୍ତାନି (Export) କମିଯାଇପାରେ, କାରଣ ବିଦେଶୀଙ୍କ ପାଇଁ ଭାରତୀୟ ଜିନିଷ ମହଙ୍ଗା ହୋଇଯିବ। ମୋଟାମୋଟି କହିବାକୁ ଗଲେ ଯେଉଁଦିନ ଭାରତ ବିଶ୍ୱର "ମାନୁଫ୍ୟାକ୍ଚରିଂ ହବ୍" ପାଲଟିବ, ସେଦିନ ଟଙ୍କା ନିଜେ ନିଜେ ଶକ୍ତିଶାଳୀ ହୋଇଯିବ।