ଭୁବନେଶ୍ୱର : ସେ ବିଶାଳ, ସେ ଅକ୍ଷତ, ସେ ଅଜର-ଅମର। ସୃଷ୍ଟିର ଆରମ୍ଭ ଆଉ ସୃଷ୍ଟିର ରକ୍ଷକ। ମହାନ ବଟବୃକ୍ଷ, କଳ୍ପବଟ, ଯାହାର ନାହିଁ ଆଦି - ଅନ୍ତ।  ସେ ପୂଣ୍ୟ , ସେ ପବିତ୍ର, ସୃଷ୍ଟିରୁ ଜୀବନ, ସମୟର ସମାହାର। ଯୁଗ ପରେ ଯୁଗ ଅନନ୍ୟ ସାକ୍ଷୀ ସେ ବଟବୃକ୍ଷ।  ପୁରାଣ କୁହେ, ଯେବେ ମହାପ୍ରଳୟରେ ବସୁଧା ହେଲା ମହାସମୁଦ୍ରରେ ନିମଜ୍ଜିତ, ସେତେବେଳେ କେବଳ ମୁଣ୍ଡ ଟେକି ତିଷ୍ଟିଥିଲା ଏହି ମହାଦ୍ରୁମ, କଳ୍ପବୃକ୍ଷ। ଯାହାର ଏକ ପତ୍ରରେ  ବିଶ୍ରାମ ନେଇଥିଲେ ସାରା ସଂସାରର ନିୟନ୍ତା ମହାପ୍ରଭୁ ବିଷ୍ଣୁ। ସେହି ବଟବୃକ୍ଷ... ମହାଦ୍ରୁମ... ପୁରାଣ, ବିଶ୍ୱାସ, ବାସ୍ତବ ଆଉ ବିଜ୍ଞାନ ସବୁଠି ସେ ଅନନ୍ୟ।

ନମସ୍କାର, ମୁଁ ବରଗଛ। ସେହି ମହବୃକ୍ଷର ବଂଶଧର। କିନ୍ତୁ ଭିନ୍ନ ମୋ ଆତ୍ମକଥନ। 2 ବର୍ଷ ତଳେ,  ଭୁବନେଶ୍ୱରରେ ମୋ ଜନ୍ମ । ସେବେର ରାଜଭବନ ଏବେର ଲୋକ ଭବନ ପାଖରେ। ଗୋଟେ ପକ୍ଷୀ ଏଇ କାନ୍ଥ ଉପରେ ମୋ ମଞ୍ଜି ଫିଙ୍ଗିଦେଲା। ତଳେ ମାଟି ନଥିଲା, ଉପରେ ଛାତ ନଥିଲା। ଥିଲା କେବଳ ଗୋଟେ ପ୍ରଶ୍ନ - ବଞ୍ଚିବି ନା ଶୁଖିଯିବି?” ମୁଁ ବଞ୍ଚିବାକୁ ବାଛିଲି। ଛିଡ଼ା ହେବାକୁ ଚେଷ୍ଟା କଲି, ମଜଭୁଦ ହେବାକୁ ମୋ ଚେରକୁ ଧୀରେ ଧୀରେ ତଳକୁ ପଠାଇଲି।  ଇଞ୍ଚ... ଫୁଟେ...2 ଫୁଟ... 5 ଫୁଟ। କାନ୍ଥ ଭିତରେ ରାସ୍ତା ଖୋଜିଲି। ଖରାରେ ଜଳିଲି, ବର୍ଷାରେ ଭିଜିଲି। ଲୋକେ କହିଲେ - ‘ପାଗଳ, କାନ୍ଥ ଉପରେ ଗଛ ହୁଏ?’ ମୁଁ କହିଲି - ‘ଜୀବନ ମାନେ ତ ସଂଘର୍ଷ, ଧର୍ଯ୍ୟ ଓ ସାହାସରେ ତ ମିଳିଯାଏ ବାଟ,  ଆଗକୁ ବଢ଼ିବାକୁ, ପରିଚୟ ସୃଷ୍ଟି କରିବାକୁ।”

“ଆଜି ମୁଁ 20 ଫୁଟ୍ ଉଚ୍ଚ। ମୋ ଚେର କାନ୍ଥକୁ ଜାବୁଡି ଧରିଛି। ଝଡ ଆସେ, କେତେ ଆଘାତ ଲାଗେ, ହେଲେ ମୁଁ ପଡେନି। ଟିକେ ନୁହେଁ, କିନ୍ତୁ ପୁଣି ଉଠେ। ଦମ୍ଭ ଧରି ସାମ୍ନା କରେ ଆଉ ଝଡ଼କୁ ହରାଇଦିଏ। ମୁଁ ସେମିତି ଛିଡ଼ା ହୋଇଥାଏ, କାରଣ ମୋ ମୂଳ ମାଟିରେ ନୁହେଁ, ମୋ ଜିଦ୍ ରେ। ମୁଁ କାହା ବଗିଚାର ଗଛ ନୁହେଁ। ମୁଁ ପରିସ୍ଥିତି ବିରୁଦ୍ଧରେ ବିଦ୍ରୋହ କରି ବିଜୟୀ। ମୋ ପତ୍ର ଅମ୍ଳଜାନ ଦିଏ, ମୋ ଛାଇ ଥକା ପଥିକକୁ ଆଶ୍ରୟ ଦିଏ। ମୋ ଉପରେ ପକ୍ଷୀ ବସା ବାନ୍ଧେ। କହିଲେ ବିଶ୍ୱାସ କରିବେନି - ଏଇ କାନ୍ଥ ଏବେ ମୋ ପାଇଁ ଗର୍ବ କରେ। ମୁଁ ଯଦି କାନ୍ଥ ଉପରେ ଜଙ୍ଗଲ ହୋଇପାରୁଛି, ତୁମେ ମାଟିରେ କାହିଁକି ଗୋଟେ ଗଛ ଲଗାଇ ପାରିବନି?  ” ତାଛଡ଼ା ମୋ ଅବସ୍ଥା ତ ଏମିତି  ଭାବିଲେ ମୋ ଭାଇ ଭଉଣୀ ମାନଙ୍କ କଥା। ସେମାନେ ବି କେଉଁଠି ନା କେଉଁଠି ଏମିତି ଅବସ୍ଥାରେ ପଡ଼ି ରହିଥିବେ।  କେଉଁଠି ତାଙ୍କୁ କାଟି ଦିଆଯାଉଛି ତ କେଉଁଠି ବାତ୍ୟା ଝଡ଼ରେ ସେମାନେ ଉପୁଡ଼ି ଯାଉଛନ୍ତି। କିନ୍ତୁ ଭୋଗୁଛି କିଏ , ଏହି ମଣିଷ ସମାଜ। ଆମ ବିନାଶରୁ ହିଁ ବାତ୍ୟା, ଝଡ଼, ଗରମ ଓ ଏବେ ଏଲନିନୋ ଭଳି ସ୍ଥିତି। ସେଥିପାଇଁ ତ ମୁଁ ସାବଧାନ କରୁଛି ଏଇ ମଣିଷ ମାନଙ୍କୁ।  ଏବେ ସମୟ ଆସିଛି ସତର୍କ ଓ ସଚେତନତାର। ତେଣୁ ଶୁଣ ଯାହା କହୁଛି ମନ ଦେଇ...

ଗଛ ଲଗାଅ ପୁଅର ଜନ୍ମଦିନରେ – ପୁଅ ବଡ଼ ହେବ, ଗଛ ବି ବଢିବ। ବୟସର ସାୟାହ୍ନରେ ସାଥି ହେବ।

ଗଛ ଲଗାଅ ବାପାଙ୍କ ଶ୍ରାଦ୍ଧରେ - ଜନ୍ମଦାତାଙ୍କ ନାଁ ପତ୍ରରେ ଲେଖ । ଗଛ ବଢ଼ୁଥିବ ବାପାଙ୍କ ପ୍ରେରଣା ସବୁଦିନେ ଆଗକୁ ବାଟ ଦେଖାଉଥିବ।

ଗଛ ଲଗାଅ ପ୍ରେମ ହେଲେ - କାରଣ ପ୍ରେମ ଭଳି ଗଛ ବି ଯତ୍ନ ମାଗେ। ପ୍ରେମ ହେବ ମଜଭୁତ, ଗଛ ହେଉଥିବ ସୁଦୃଢ।

ଦୁଃଖ ହେଲେ ଗଛ ଲଗାଅ - କାରଣ ଗଛ ହିଁ ଶାନ୍ତି ଦେବ। ସେଇ ଗଛରେ ସବୁଜିମା, ଫଳ ଆଉ ପବନ ଭୁଲାଇଦେବ ଦୁଃଖ।​​​​​​​

ମୋତେ ଦେଖି ଶିଖ - ଅସୁବିଧା ବାହାନା ନୁହେଁ, ସାହସର କାରଣ।”

​​​​​​​“ମୁଁ ବରଗଛ। ମୋର OC ମାନେ ଅକୋପାଏଡ୍ ସାର୍ଟିଫିକେଟ୍ ନାହିଁ କି  ଦଲିଲ୍ ନାହିଁ। ହେଲେ ମୋର ଶହେ ବର୍ଷର ଆୟୁଷ ଅଛି। କାରଣ ମୁଁ ଅଟକିନି। ତୁମେ ବି ଅଟକନା। ଆଜି ହିଁ ଗୋଟେ ଗଛ ଲଗାଅ। କାରଣ ସାହସର କେବେ OC ଦରକାର ପଡେନି।” ତମେ ଲଗାଇଥିବା ଗଛ ତମ କଥା କହୁଥିବ ତମେ ନଥିଲା ବେଳେ ବି , ତୁମ ଆବର୍ତ୍ତମାନରେ ବି ଗୁଣ ଗାଉଥିବ। ନେବାର ଆନନ୍ଦ ବୁଝାଇ ଚାଲିଥିବ। ମନେ ନାହିଁ କି, ସ୍କୁଲ୍ ବହିର ସେହି ଅଧ୍ୟାୟ... ଗଛ ଲଗାଇବା କାହାପାଇଁ... ଉତ୍ତରଟା ବହୁତ ସହଜ କିନ୍ତୁ ବିରାଟ ଅର୍ଥ, ଗଛ ଲଗାଇବା ସବୁରି ପାଇଁ। ଜୀବନ, ପୃଥିବୀ, ମଣିଷ ପଶୁପକ୍ଷୀ, ସବୁ ପାଇଁ... ସୃଷ୍ଟି ପାଇଁ। ଏକ ସୁନ୍ଦର ଭବିଷ୍ୟତ ପାଇଁ...।

 Also Read- ଏଲ୍ ନିନୋ ପ୍ରଭାବରେ ଜୁନ୍‌ରୁ ସେପ୍ଟମ୍ବର ମଧ୍ୟରେ କମିବ ବର୍ଷାର ପରିମାଣ, ଓଡ଼ିଶା କଥା ଏମିତି କହିଲେ IMD ଡିଜି