ଗୌହାଟୀ: ଆସାମରେ ମୁସଲମାନ ବିବାହରେ ଅନିବାର୍ଯ୍ୟ ଓ ଏକ ସମାନ ପଞ୍ଜିକରଣ ଦିଗରେ ଆସାମ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମାନ୍ତ ବିଶ୍ୱା ସରମାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଆସାମ ମୁସ୍ଲିମ ବିବାହ ପଞ୍ଜିକରଣ ନିୟମ ୨୦୨୬କୁ ଔପଚାରିକ ମଞ୍ଜୁରୀ ଦିଆଯାଇଛି। କ୍ୟାବିନେଟ୍ ବୈଠକ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାରା ରାଜ୍ୟରେ ମୁସଲମାନ ବିବାହର ବାଧ୍ୟତାମୂଳକ ପଞ୍ଜିକରଣ ନିମନ୍ତେ ଏକ ପାରଦର୍ଶି ତଥା ସମାନ ପ୍ରକ୍ରିୟାତ୍ମକ ଢାଞ୍ଚା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ନୂଆ ନିୟମକୁ ମଞ୍ଜୁରୀ ଦିଆଯାଇଛି।

ଏହି ନିୟମ ଆସାମ ମୁସ୍ଲିମ ବିବାହ ଓ ତଲାକ ବାଧ୍ୟତାମୂଳକ ପଞ୍ଜିକରଣ ନିୟମ ୨୦୨୪ର ଧାରା ୨୫ ଅନୁସାରେ ତିଆରି କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏକ ପୂର୍ବ ନିଷ୍ପତ୍ତିରେ କାଜିଙ୍କ ଦ୍ୱାରା ମୁସଲମାନ ବିବାହ ରେଜିଷ୍ଟ୍ରେସନ ଉପରେ ରୋକ ଲଗାଇ ଦିଆଯାଇଥିଲା। ହେଲେ ସେତେବେଳେ ପଞ୍ଜିକରଣର କୌଣସି ବିକଳ୍ପ ବ୍ୟବସ୍ଥା ସ୍ପଷ୍ଟ କରାଯାଇ ନଥିଲା। ଏବେଠାରୁ ମୁସଲମାନ ବିବାହର ଆଇନଗତ ରେଜିଷ୍ଟ୍ରେସନ କାଜିଙ୍କ ବଦଳେ ସରକାରୀ ରେଜିଷ୍ଟ୍ରାରଙ୍କ ଦ୍ୱାରା କରାଯିବ।

ଯଦି ଭବିଷ୍ୟତରେ ବିବାହ ପଞ୍ଜିକରଣ ଆବେଦନ ସଂଖ୍ୟା ବଢେ ତେବେ ସାଧାରଣ ଜନତାଙ୍କ ସୁବିଧା ନିମନ୍ତେ କେତେକ ପଞ୍ଚାୟ ସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ବିବାହ ପଞ୍ଜିକରଣ ନିମନ୍ତେ ଅଧିକୃତ କରାଯିବ।