ନୂଆଦିଲ୍ଲୀ: ପାଟନାର ପ୍ରସିଦ୍ଧ ଜ୍ଞାନ ବିନ୍ଦୁ କୋଚିଂ ସେଣ୍ଟରର ନିର୍ଦ୍ଦେଶକ ରୋଶନ ଆନନ୍ଦଙ୍କୁ ଜାମିନ ମିଳିଛି। ଜାମିନ ପାଇବା ପରେ ରୋଶନ କୋର୍ଟଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ସେ ଏହି ଘଟଣାରେ ଆଦୌ ସାମିଲ ନଥିଲେ ଏବଂ ପୋଲିସର ତଦନ୍ତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ କରିବେ। ଜାମିନ ମିଳିବା ପରେ ସେ ଏବେ ନିଜର ଭାଇ ପ୍ରିନ୍ସ ଯାଦବଙ୍କ ଶେଷକୃତ୍ୟରେ ସାମିଲ ହୋଇପାରିବେ।

ଉଲ୍ଲେଖଯୋଗ୍ୟ ଯେ, ଖାନ୍ ସାରଙ୍କ କୋଚିଂ ସେଣ୍ଟର ଉପରେ ହୋଇଥିବା ଆକ୍ରମଣ ଅଭିଯୋଗରେ ପୋଲିସ ଗତ ଜୁନ୍ ୩ ତାରିଖରେ ରୋଶନ ଆନନ୍ଦଙ୍କୁ ଗିରଫ କରି ଜେଲ୍ ପଠାଇଥିଲା। ପୂର୍ବରୁ ପାଟନା ସିଭିଲ୍ କୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଥିବା ବେଳେ ଆଜି ତାଙ୍କୁ ଆଶ୍ୱସ୍ତି ମିଳିଛି। ଜାମିନ ପ୍ରଦାନ କରିବା ସହ କୋର୍ଟ ଉଭୟ ଶିକ୍ଷକ ରୋଶନ ଆନନ୍ଦ ଏବଂ ଖାନ ସାରଙ୍କୁ ପରାମର୍ଶ ଦେଇଛନ୍ତି। କୋର୍ଟ କହିଛନ୍ତି, ‘ଆପଣମାନେ ଗୁରୁ। ଖାନ୍ ସାର୍ ଏବଂ ରୋଶନ ଆନନ୍ଦ ଉଭୟ ଗୁରୁ ଭଳି ଆଚରଣ କରନ୍ତୁ। ଦୁହେଁ ଶିକ୍ଷକ ହୋଇଥିବାରୁ ନିଜ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ରଖନ୍ତୁ, କୌଣସି ପ୍ରକାରର ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ହୁଅନ୍ତୁ ନାହିଁ।’

ଅନ୍ୟପଟେ ରୋଶନ ଆନନ୍ଦଙ୍କ ଓକିଲ କୋର୍ଟରେ ପକ୍ଷ ରଖି କହିଥିଲେ ଯେ, ରୋଶନ ଏହି ଆକ୍ରମଣ ଘଟଣାରେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ସେ ପ୍ରଶ୍ନ ଉଠାଇଛନ୍ତି ଯେ, ଯଦି ଖାନ୍ ସାର୍ ଆମ ଉପରେ ଷଡ଼ଯନ୍ତ୍ରର ଅଭିଯୋଗ ଆଣୁଛନ୍ତି, ତେବେ ସେ ତାଙ୍କ ବଡିଗାର୍ଡଙ୍କ ଦ୍ୱାରା ହୋଇଥିବା ଗୁଳିଚାଳନା କଥାକୁ କାହିଁକି ଲୁଚାଉଛନ୍ତି ? ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୧୨ ତାରିଖରେ ଏହି ମାମଲାର ଶୁଣାଣି ହୋଇପାରିନଥିଲା, କାରଣ ଖାନ୍ ସାର୍ଙ୍କ ଓକିଲ ଶାରୀରିକ ଅସୁସ୍ଥତା ଦର୍ଶାଇ କୋର୍ଟରେ ଅନୁପସ୍ଥିତ ରହିବାକୁ ଅନୁମତି ମାଗିଥିଲେ, ଫଳରେ ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା।

କ’ଣ ଥିଲା ପୂରା ଘଟଣା?

ଜୁନ ୨ରେ ପାଟନାରେ ଥିବା ଖାନ୍ ସାର୍ଙ୍କ କୋଚିଂ ସେଣ୍ଟର ଉପରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଖାନ୍ ସାର୍ ଏହି ମାମଲାରେ ଜ୍ଞାନ ବିନ୍ଦୁ କୋଚିଂର ମାଲିକ ରୋଶନ ଆନନ୍ଦ ଏବଂ ତାଙ୍କ ଭାଇ ପ୍ରିନ୍ସ ଯାଦବଙ୍କ ବିରୋଧରେ ଆକ୍ରମଣର ଯୋଜନା କରିଥିବା ଅଭିଯୋଗରେ ମାମଲା ରୁଜୁ କରିଥିଲେ। ଜୁନ ୩ରେ ଅଭିଯୋଗ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରୋଶନ ଆନନ୍ଦଙ୍କୁ ଗିରଫ କରି ଜେଲ୍ ପଠାଇଥିଲା। ଏହି ସମୟରେ ତାଙ୍କ ଭାଇ ପ୍ରିନ୍ସ ଯାଦବ ପୋଲିସ ଗିରଫଦାରୀରୁ ବଞ୍ଚିବା ପାଇଁ ନେପାଳ ପଳାଇଥିଲେ ଏବଂ ସେଠାରେ ଏକ ହୋଟେଲରେ ନିଜ ସାଙ୍ଗମାନଙ୍କ ସହ ରହୁଥିଲେ।

ନେପାଳରେ ପ୍ରିନ୍ସଙ୍କ ସନ୍ଦେହଜନକ ମୃତ୍ୟୁ

ଜୁନ୍ ୧୪ ତାରିଖରେ ନେପାଳର ସେହି ହୋଟେଲ ରୁମରୁ ପ୍ରିନ୍ସ ଯାଦବଙ୍କ ମୃତଦେହ ସନ୍ଦେହଜନକ ପରିସ୍ଥିତିରେ ଉଦ୍ଧାର କରାଯାଇଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ବିହାରର ନେତା ତେଜ ପ୍ରତାପ ଯାଦବ ରୋଶନ ଆନନ୍ଦଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ଦାବି କରିଥିଲେ । ଆଜି କୋର୍ଟ ମାନବିକତା ଆଧାରରେ ଏବଂ ଆବେଦନର ଶୁଣାଣି କରି ରୋଶନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଆଜି ପ୍ରିନ୍ସଙ୍କ ଶବ ସତ୍କାର କରାଯିବ ଏବଂ ରୋଶନ ସେଥିରେ ଯୋଗଦେବେ।

ଦୁଃଖ ପ୍ରକାଶ କଲେ ଖାନ୍ ସାର

ପ୍ରିନ୍ସ ଯାଦବଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଖାନ୍ ସାର୍ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ମୃତ ପ୍ରିନ୍ସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି। ଏହା ସହିତ ଖାନ୍ ସାର୍ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ପ୍ରିନ୍ସଙ୍କ ମୃତ୍ୟୁ ପଛରେ କୌଣସି ତୃତୀୟ ପକ୍ଷ ବା ବାହାର ବ୍ୟକ୍ତିଙ୍କ ହାତ ଥାଇପାରେ। ସେ ଏହି ଘଟଣାର ସଠିକ୍ ତଦନ୍ତ ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିବା ସହ ପ୍ରକୃତ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି।