ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ 'ପଦ୍ମଶ୍ରୀ'ରେ ସମ୍ମାନିତ କରାଯାଇଛି। ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରୋହିତଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛନ୍ତି। ବାସ୍ତବରେ, ଗତ ମେ' ମାସରେ ରୋହିତ ଏହି ସମ୍ମାନ ଗ୍ରହଣ କରିବାର ଥିଲା, ମାତ୍ର କ୍ରିକେଟ ବ୍ୟସ୍ତତା କାରଣରୁ ସେ ସେତେବେଳେ ରାଷ୍ଟ୍ରପତି ଭବନରେ ଉପସ୍ଥିତ ରହିପାରି ନଥିଲେ।

୨୩ ଜୁନ୍ ସହ ରୋହିତଙ୍କ ସ୍ୱତନ୍ତ୍ର ସଂଯୋଗ

ରୋହିତ ଶର୍ମାଙ୍କ ପାଇଁ ଜୁନ୍ ୨୩ ତାରିଖଟି ଅତ୍ୟନ୍ତ ସ୍ମରଣୀୟ ଏବଂ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଆଜିକାର ଦିନରେ ଅର୍ଥାତ୍ ୨୦୦୭ ମସିହା ଜୁନ୍ ୨୩ରେ ରୋହିତ ଆୟରଲ୍ୟାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ୍ ଜରିଆରେ ଆନ୍ତର୍ଜାତୀୟ କ୍ରିକେଟ୍ରେ ପାଦ ଥାପିଥିଲେ। ଠିକ୍ ୧୯ ବର୍ଷ ପରେ ସେହି ସମାନ ତାରିଖରେ ତାଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ମିଳିଛି। ପୁରସ୍କାର ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ। କଳା ରଙ୍ଗର ସୁଟ୍ ପିନ୍ଧି ଆସିଥିବା ରୋହିତ ଅତ୍ୟନ୍ତ ନମ୍ରତାର ସହ ରାଷ୍ଟ୍ରପତିଙ୍କୁ ହାତ ଯୋଡ଼ି ପ୍ରଣାମ କରି ଏହି ପୁରସ୍କାର ଗ୍ରହଣ କରିଥିଲେ।

Also Read: ଆୟରଲାଣ୍ଡ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ବାଦ୍ ପଡ଼ିଲେ ଏହି ଷ୍ଟାର ଅଲରାଉଣ୍ଡର

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ପଦ୍ମଶ୍ରୀ ପାଇବାରେ ରୋହିତ ଏକମାତ୍ର କ୍ରିକେଟର ନୁହନ୍ତି। ଗତ ମେ' ମାସରେ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନପ୍ରୀତ କୌରଙ୍କୁ ମଧ୍ୟ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା। ହରମନପ୍ରୀତଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୦୨୫ ମହିଳା ଦିନିକିଆ ବିଶ୍ୱକପ୍ ମୁକୁଟ ଜିତି ଇତିହାସ ରଚିଥିଲା।

ରେକର୍ଡର ବାଦଶାହା 'ହିଟମ୍ୟାନ୍'

ରୋହିତ ଶର୍ମାଙ୍କ କ୍ରିକେଟ କ୍ୟାରିୟର ସଫଳତା ଓ କୀର୍ତ୍ତିମାନରେ ଭରପୂର। ସେ ନିଜର ୧୯ ବର୍ଷର କ୍ରିକେଟ ଯାତ୍ରା ମଧ୍ୟରେ ଭାରତ ପାଇଁ ୫୧୦ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଏହି ସମୟ ମଧ୍ୟରେ ସେ ତିନୋଟି ଯାକ ଫର୍ମାଟ୍ ମିଶାଇ ମୋଟ୍ ୨୦,୧୭୩ ରନ୍ ସଂଗ୍ରହ କରିବା ସହ ୫୦ଟି ଶତକ ହାସଲ କରିଛନ୍ତି। କେବଳ ସେତିକି ନୁହେଁ, ଆନ୍ତର୍ଜାତୀୟ କ୍ରିକେଟରେ ବିଶ୍ୱରେ ସବୁଠାରୁ ଅଧିକ ୬୫୩ଟି ଛକା ମାରିବାର ବିଶ୍ୱରେକର୍ଡ ମଧ୍ୟ ରୋହିତଙ୍କ ନାଁରେ ରହିଛି।

ଦିନିକିଆ କ୍ରିକେଟ ଇତିହାସରେ ୩ଟି ଦ୍ୱିଶତକ ହାସଲ କରିବାରେ ରୋହିତ ବିଶ୍ୱର ଏକମାତ୍ର ବ୍ୟାଟର। ସେ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଥିଲେ ହେଁ, ଦିନିକିଆ କ୍ରିକେଟରେ ଏବେ ମଧ୍ୟ ଭାରତୀୟ ଦଳର ଜଣେ ସକ୍ରିୟ ଖେଳାଳି ଭାବେ ରହିଛନ୍ତି।