ନୂଆଦିଲ୍ଲୀ:ଦେଶରେ ସଡ଼କ ଅବସ୍ଥା ଉନ୍ନତ ହେବ। ଦୁର୍ଘଟଣା ଉଲ୍ଲେଖନୀୟ ଭାବେ କମିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ ଦିନେ ଏଭଳି ଦମ୍ଭୋକ୍ତି ପ୍ରକାଶ କରିଥିଲେ। ହେଲେ ହେଲା ଏହାର ଓଲଟା। ସଡ଼କ ଯଦିଓ କିଛି ମାତ୍ରାରେ ସୁଧୁରିଲା ତେବେ ଦୁର୍ଘଟଣା କମିବା ବଦଳରେ ବଢି ଚାଲିଛି।

୨୦୨୪ରେ ଦେଶରେ ସର୍ବାଧିକ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଛି। ସଂସଦରେ ଏକ ଲିଖିତ ଉତ୍ତର ରଖି ସଡ଼କ ପରିବହନ ମନ୍ତ୍ରଣାଳୟ କହିଛି ୨୦୨୪ରେ ଦେଶରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁହୋଇଥିବା ଲୋକଙ୍କ ସଂଖ୍ୟା ୨୦୨୩ର ୧.୭୭ ଲକ୍ଷରୁ ସାମାନ୍ୟ ଅଧିକ ରହିଛି। ତେବେ ୨୦୨୪ରେ ପ୍ରକୃତରେ କେତେ ମୃତ୍ୟୁ ହୋଇଛି ସରକାର ତାର ବାର୍ଷିକ ରିପୋର୍ଟ ଦେଇ ନାହାନ୍ତି।

ତାମିଲନାଡୁ ଡିଏମକେ ସାଂସଦ ଏ ରାଜାଙ୍କ ଏକ ପ୍ରଶ୍ନରେ ଲିଖିତ ଉତ୍ତର ଦେଇ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, “ରାଜ୍ୟ / କେନ୍ଦ୍ରଶାସିତ ପ୍ରଦେଶରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୪ କ୍ୟାଲେଣ୍ଡର ବର୍ଷରେ ଦେଶରେ ସମସ୍ତ ପ୍ରକାର ରାସ୍ତାରେ ଘଟିଥିବା ମୋଟ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୧,୭୭,୧୭୭ ରହିଛି। ଏଥିରେ eDAR ପୋର୍ଟାଲରୁ ପଶ୍ଚିମବଙ୍ଗ ସମ୍ପର୍କିତ ତଥ୍ୟ ମଧ୍ୟ ରହିଛି।

ସେହିପରି ଜାତୀୟ ରାଜପଥରେ ମୃତ୍ୟୁ ସଂଖ୍ୟାକୁ ନେଇ ମନ୍ତ୍ରୀ କହିଛନ୍ତି ଯେ ଏନଏଚ୍ଗୁଡ଼ିକରେ ଦୁର୍ଘଟଣା ଯୋଗୁ ୫୪,୪୩୩ ଜଣଙ୍କର ମୃତ୍ୟୁ ହୋଇଛି। ଯାହା ମୋଟ ସଡ଼କ ଦୁର୍ଘଟଣାରେ ହୋଇଥିବା ମୃତ୍ୟୁ ସଂଖ୍ୟାର ୩୧ ପ୍ରତିଶତ।

ସମସ୍ତ ମାରାତ୍ମକ ଦୁର୍ଘଟଣାର ବୈଜ୍ଞାନିକ ତଦନ୍ତ ଏବଂ ସମସ୍ତ ଏଜେନ୍ସିଗୁଡ଼ିକୁ ଉତ୍ତରଦାୟୀ କରି କେମିତି ଦୁର୍ଘଟଣାକୁ ରୋକାଯାଇପାରିବ ସେ ନେଇ ବିଶେଷଜ୍ଞମାନେ ନଜର ରଖିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଏହି ସମସ୍ୟା ବହୁତ ବଢ଼ିବାରେ ଲାଗିଛି। ତେଣୁ ଏ ଦିଗରେ କେବଳ ଗୋଟିଏ ଦିଗରେ ଭରସା ନ କରି ସରକାରଙ୍କୁ ସଂକଟର ମୁକାବିଲା ପାଇଁ ଲୋକ ସଚେତନା ଓ ଅଣସରକାରୀ ସଂସ୍ଥାଙ୍କ ସହ ମିଶି କାମ କରିବାକୁ ହେବ ବୋଲି ମନ୍ତ୍ରଣାଳୟ କହିଛି।