ଜୟପୁର: ରାଜସ୍ଥାନର ବିକାନେର ଜିଲ୍ଲା ଶ୍ରୀଡୁଙ୍ଗରଗଡ଼ ଅଞ୍ଚଳରେ ସୋମବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ହରିୟାଣାରୁ ଆସିଥିବା ଏକ ପରିବାରର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ବର୍ଷର ଶିଶୁ କନ୍ୟା ଗୁରୁତର ହୋଇଛି। ଜାତୀୟ ରାଜପଥ-୧୧ର ସିଜରାଲ ହୋଟେଲ ସମ୍ମୁଖରେ ଏକ କାର୍ ଏବଂ ଡମ୍ପର ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା। କାର୍‌ଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା ଏବଂ ଯାତ୍ରୀମାନେ ତା’ ଭିତରେ ହିଁ ଚାପି ହୋଇ ରହିଯାଇଥିଲେ। ଖବର ପାଇ ଏପିଜେ ଅବଦୁଲ କଲାମ ଆମ୍ବୁଲାନ୍ସ ସେବା ଟିମ୍, ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ କାର୍ ଭିତରୁ ସମସ୍ତଙ୍କୁ ବାହାର କରିଥିଲେ। ମୃତଦେହଗୁଡ଼ିକୁ ଶ୍ରୀଡୁଙ୍ଗରଗଡ଼ ଚିକିତ୍ସାଳୟର ଶବଗୃହରେ ରଖାଯାଇଛି।

ମୃତକଙ୍କ ପରିଚୟ
ପୋଲିସ ପାଖରୁ ମିଳିଥିବା ସୂଚନା ଅନୁଯାୟୀ, କାରରେ ମୋଟ ୭ ଜଣ ଯାତ୍ରା କରୁଥିଲେ। ଦୁର୍ଘଟଣାରେ ଡ୍ରାଇଭର ଭାଗୀରଥ ବିଷ୍ଣୋଇଙ୍କ ପୁଅ ଓମପ୍ରକାଶ (୫୦), ତାଙ୍କ ସ୍ତ୍ରୀ ସୋରମା ଦେବୀ (୪୫) ଏବଂ ଝିଅ ପ୍ରମିଳା (୩)ଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ସୁରେନ୍ଦ୍ର କୁମାର (୪), ଯଶସ୍ୱୀ (୧୦) ଏବଂ ଖୁସି (୮)ଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ,  ୨ ବର୍ଷୀୟା ତନଭିଙ୍କୁ ଗୁରୁତର ଅବସ୍ଥାରେ ବିକାନେରର ପିବିଏମ୍ ହସ୍ପିଟାଲକୁ ରେଫର କରାଯାଇଛି ଏବଂ ସେ ଟ୍ରମା ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି।

ଗୁରୁ ଜମ୍ଭେଶ୍ୱରଙ୍କ ଦର୍ଶନ ସାରି ଫେରୁଥିଲେ
ହରିୟାଣା ନମ୍ବର ଥିବା କାର୍‌ରେ ମୋଟ ୭ ଜଣ ଲୋକ ଥିଲେ। ସମସ୍ତେ ହରିୟାଣାର ଫତେହାବାଦ ଜିଲ୍ଲାର ବାସିନ୍ଦା ଏବଂ ପରଷ୍ପରର ସମ୍ପର୍କୀୟ ଥିଲେ। ବିଷ୍ଣୋଇ ସମାଜର ଆରାଧ୍ୟ ଗୁରୁ ଜମ୍ଭେଶ୍ୱର ଭଗବାନଙ୍କ ସମାଧି ସ୍ଥଳ ଦର୍ଶନ କରି ସେମାନେ ନିଜ ଘରକୁ ଫେରୁଥିବା ବେଳେ ଅଧା ବାଟରେ ହିଁ ୬ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣାରେ ତିନି ଜଣ ପୁରୁଷ, ଜଣେ ମହିଳା ଓ ଦୁଇ ଜଣ ଶିଶୁଙ୍କ ସମେତ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାଥମିକ ସୂଚନା ମୁତାବକ, ୫ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଅନ୍ୟପକ୍ଷରେ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିବା ଏକ ଶିଶୁ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲା। ଦୁର୍ଘଟଣାରେ ବଞ୍ଚିଯାଇଥିବା ୨ ବର୍ଷର ଶିଶୁ କନ୍ୟାକୁ ପ୍ରାଥମିକ ଚିକିତ୍ସା ପରେ ବିକାନେରର ଟ୍ରମା ସେଣ୍ଟରକୁ ରେଫର କରାଯାଇଛି ।