କେନ୍ଦ୍ରାପଡ଼ା ୧୧।୧୦ : ୧୫ ଦିନ ବିତିଲା । ତଥାପି ମିଳୁନି ଶୁଭଶ୍ରୀଙ୍କ ପତ୍ତା । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଧୀନ ରାଜପୁର ଗାଁର ଶୁଭଶ୍ରୀ ଦାସଙ୍କ ମୃତ୍ୟୁ ଘଟଣାକୁ ୧୫ ଦିନ ବିତିଯାଇଥିଲେ ବି ପୋଲିସକୁ କୌଣସି ସୁରାଗ ମିଳିପାରିନାହିଁ। ଗତ ସେପ୍ଟେମ୍ବର ୨୪ରେ ସେ ଘରୁ କୁଆଡ଼େ ଚାଲିଯାଇଥିଲେ। ପରେ ହଂସୁଆ ନଦୀର ଗର୍ଜନପୁରଠାରେ ତାଙ୍କ ମୃତଦେହ ଦେଖି ପରିବାର ଲୋକେ ପଥର ବାନ୍ଧି ନଦୀକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ସେପଟେ ଅଗ୍ନିଶମ ବାହିନୀ ୪ ଥର ଖୋଜାଖୋଜି କରି ନିରାଶ ହେବା ପରେ ଏବେ ଶୁଭଶ୍ରୀଙ୍କ ମୃତଦେହ ସନ୍ଧାନ ପାଇଁ ଅଣ୍ଡରୱାଟର କ୍ୟାମେରା ବ୍ୟବହାର କରାଯିବ ବୋଲି କେନ୍ଦ୍ରାପଡ଼ା ଏସପି ସୂଚନା ଦେଇଛନ୍ତି। ମୃତଦେହ ମିଳିବା ପରେ ଯାଇ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ଅନ୍ୟପଟେ, ଘଟଣାର ୫ ଦିନ ପରେ ଶୁଭଶ୍ରୀଙ୍କ ଜେଜେ ଶୁକଦେବ ଦାସ ଥାନାରେ ଝିଅ ନିଖୋଜ ନେଇ ଏତଲା ଦେଇଥିଲେ। ଏତଲା ଦେବାର ଦୁଇଦିନ ପରେ ପରିବାର ଲୋକେ ବ୍ରାହ୍ମଣଙ୍କୁ ଘରକୁ ଡାକି ଶ୍ରାଦ୍ଧ କାର୍ଯ୍ୟ କରିବା ଓ ଗଣମାଧ୍ୟମଠାରୁ ଦୂରତା ବଜାୟ ରଖିବା ଘଟଣାକୁ ଅଧିକ ରହସ୍ୟମୟ କରିଦେଇଛି। ପରିବାର ଲୋକଙ୍କ ଏଭଳି ସନ୍ଦେହଜନକ ଭୂମିକା ଓ ପୁଲିସ ତଦନ୍ତରେ ବିଳମ୍ବକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Also Read:-ନନ୍ଦନକାନନରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ: NWCSO ପକ୍ଷରୁ ଆଲୋଚନାଚକ୍ର ଓ ପୁରସ୍କାର ବିତରଣ