ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନ କନଫରେନ୍ସ ହଲ୍‌ଠାରେ ୭୨ତମ ଜାତୀୟ ବନ୍ୟପ୍ରାଣୀ ସପ୍ତାହ ୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି। ‘ନେଚର ଆଣ୍ଡ ୱାଇଲ୍ଡଲାଇଫ୍ କଞ୍ଜରଭେସନ ସୋସାଇଟି ଅଫ୍ ଓଡ଼ିଶା’ (NWCSO) ଏବଂ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ “Connecting Habitats, Thriving Wildlife” (ବାସସ୍ଥଳୀର ସଂଯୋଗୀକରଣ, ବନ୍ୟପ୍ରାଣୀଙ୍କ ବିକାଶ) ଉପରେ ଆଧାର କରି ଜୈବ ବିବିଧତା ରକ୍ଷା ଓ ପ୍ରାକୃତିକ ବାସସ୍ଥଳୀର ସୁରକ୍ଷା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ବିଶେଷ ସମାରୋହରେ NWCSOର ସଭାପତି ସରୋଜ କୁମାର ପଟ୍ଟନାୟକ (ଅବସରପ୍ରାପ୍ତ IFS), କାର୍ଯ୍ୟକାରୀ ସଭାପତି ଡ. ଅନୁପ ନାୟକ (ଅବସରପ୍ରାପ୍ତ IFS), ପି. ଏନ୍. ପାଢ଼ୀ (ଅବସରପ୍ରାପ୍ତ IFS), ଡ. ବି. କେ. ପଟ୍ଟନାୟକ (ଅବସରପ୍ରାପ୍ତ IFS) ଏବଂ ନନ୍ଦନକାନନର ଉପ-ନିର୍ଦ୍ଦେଶକ ପ୍ରଦୀପ ମିରାସେ (IFS) ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।

ଏହି ଅବସରରେ ଦୁଇଟି ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା:

ମଣିଷ-ବନ୍ୟପ୍ରାଣୀ ମହାସମର: ଅବସରପ୍ରାପ୍ତ ଆଇଏଫ୍ଏସ୍ ବି. କେ. ପଟ୍ଟନାୟକ ଦେଶରେ ବଢ଼ୁଥିବା ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ବିବାଦ ଏବଂ ଏହାର ସମାଧାନର ମାର୍ଗ ଉପରେ ବକ୍ତବ୍ୟ ରଖିଥିଲେ।

ଡଲଫିନ ସଂରକ୍ଷଣର ଆବଶ୍ୟକତା: ଅବସରପ୍ରାପ୍ତ ଆଇଏଫ୍ଏସ୍ ଡ. ଅନୁପ କୁମାର ନାୟକ ଜଳୀୟ ଇକୋସିଷ୍ଟମରେ ଡଲଫିନର ଗୁରୁତ୍ୱ ଏବଂ ସେମାନଙ୍କର ସୁରକ୍ଷା କାହିଁକି ଜରୁରୀ, ସେ ନେଇ ନିଜର ମୂଲ୍ୟବାନ ମତ ରଖିଥିଲେ।

ତାଲିମ ପ୍ରାପ୍ତ ବନରକ୍ଷକଙ୍କୁ ପୁରସ୍କାର ବିତରଣ

କାର୍ଯ୍ୟକ୍ରମରେ ଘାଟିକିଆସ୍ଥିତ ଫରେଷ୍ଟର ଟ୍ରେନିଂ ସ୍କୁଲର ପ୍ରଶିକ୍ଷାର୍ଥୀ, ନନ୍ଦନକାନନର ବରିଷ୍ଠ କର୍ମଚାରୀ ଏବଂ NWCSOର ସଦସ୍ୟମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ଏହି ଅବସରରେ ଘାଟିକିଆ ବନରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟରେ ପୂର୍ବରୁ ଆୟୋଜିତ ହୋଇଥିବା ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ସମିତି ପକ୍ଷରୁ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା। ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାମୂହିକ ଉଦ୍ୟମ ଓ ଜନସଚେତନତା ହିଁ ଏକମାତ୍ର ବିକଳ୍ପ ବୋଲି ଅତିଥିମାନେ ଆହ୍ୱାନ ଦେଇଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା।