ନୂଆଦିଲ୍ଲୀ ୨୫।୩: ଇରାନ ଯୁଦ୍ଧ ମଧ୍ୟରେ ଦକ୍ଷିଣ କୋରିଆର ନିଷ୍ପତ୍ତି ଏବେ ଚର୍ଚ୍ଚାରେ ଅଛି । ଦକ୍ଷିଣ କୋରିଆ ସରକାର ଦେଶବାସୀଙ୍କୁ ଉର୍ଜ୍ଜା ସଞ୍ଚୟ ଲାଗି କମ୍ ଗାଧୋଇବାକୁ କହିଛନ୍ତି । କମ୍ ଗାଧୋଇଲେ ଉର୍ଜ୍ଜା ସଞ୍ଚୟ ହେବ, ଯାହା ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ସରକାର କହିଛନ୍ତି । ଏଥିସହିତ ଦେଶର ନାଗରିକଙ୍କ ପାଇଁ ୧୨ ନିର୍ଦ୍ଦେଶ ଜାରି କରିଛନ୍ତି । ତାହା ମଧ୍ୟରେ କାର୍ ଯାତ୍ରା ନ କରିବା ଓ ବୈଦ୍ୟୁତିକ ଉପକରଣଗୁଡ଼ିକୁ ଅଧିକ ସମୟ ଧରି ଚାର୍ଜ ନ କରିବା ଆଦି ସାମିଲ ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, କ୍ୟାବିନେଟ୍ ବୈଠକ ପରେ ଦକ୍ଷିଣ କୋରିଆର ଉର୍ଜ୍ଜା ମନ୍ତ୍ରୀ କିମ୍ ସୁଙ୍ଗହ୍ୱାନ ଉର୍ଜ୍ଜା ସଞ୍ଚୟ ଅଭିଯାନ ବିଷୟରେ କହିଥିଲେ । ତାଙ୍କ କହିବା ଅନୁସାରେ, ଏବେ ଏହି ନିର୍ଦ୍ଦେଶକୁ ସ୍ୱେଚ୍ଛାକୃତ ରଖାଯାଇଛି । ଫଳ ନ ମିଳିଲେ କଠୋର ନିର୍ଦ୍ଦେଶ ଜାରି କରାଯିବ । ସରକାର ନିଜ ଦେଶବାସୀଙ୍କୁ ଉର୍ଜ୍ଜା ସଞ୍ଚୟର ୧୨ ଉପାୟ ଆପଣେଇବାକୁ ଆହ୍ୱାନ ଦେଇ କହିଛନ୍ତି, ଯଦି ଆପଣ କମ୍ ସମୟ ସ୍ନାନ କରିବେ ସେଥିରୁ ଉର୍ଜ୍ଜା ସଞ୍ଚୟ ହୋଇପାରିବ । ନାଗରିକଙ୍କୁ ଦିନରେ ହିଁ ଫୋନ୍ ଚାର୍ଜ କରିବାକୁ କହିଛନ୍ତି।

ସପ୍ତାହ ଶେଷରେ ୱାଶିଂ ମେସିନ୍ ଓ ଭାକ୍ୟୁମ୍ କ୍ଲିନର୍ ବ୍ୟବହାର କରିବାକୁ ମଧ୍ୟ କୁହାଯାଇଛି । ସରକାର ଏକ ବିବୃତ୍ତିରେ କହିଛନ୍ତି, କାର୍ ତେଲ ବ୍ୟବହାର କରୁଥିବା ଶୀର୍ଷ ୫୦ଟି ଉଦ୍ୟୋଗକୁ ତୈଳ ବ୍ୟବହାର ହ୍ରାସ ଲାଗି ମଧ୍ୟ କହିବେ । ଅର୍ଥାତ୍ ଏମାନଙ୍କୁ ୱର୍କ ଫ୍ରମ୍ ହୋମ୍ ଫର୍ମୁଲା ଲାଗୁ କରିବାକୁ ପଡ଼ିବ । ବ୍ୟକ୍ତିଗତ କାର୍ ଚାଳକଙ୍କୁ ଖୁବ୍ କମ୍ କାର୍ ବ୍ୟବହାର ଲାଗି ଉତ୍ସାହିତ କରିବା ସରକାରଙ୍କ ଉଦ୍ଦେଶ୍ୟ ।

Also read- LPG Crisis Highlights: ଗ୍ୟାସ ବୁକିଂ ନିୟମରେ ବଡ ପରିବର୍ତ୍ତନ, ଏବେ ୩୫ ଦିନ ପରେ ବୁକ୍ କରିପାରିବେ ସିଲିଣ୍ଡର