ନୂଆଦିଲ୍ଲୀ: ଡିଜିଟାଲ ଯୁଗରେ ବ୍ୟକ୍ତିଗତ ଗୋପନୀୟତାକୁ ସୁରକ୍ଷିତ ରଖି ଦିଲ୍ଲୀ ହାଇକୋର୍ଟ ‘ରାଇଟ ଟୁ ଫରଗଟନ’ (ଭୁଲିଯିବାର ଅଧିକାର)କୁ ସମ୍ବିଧାନର ଅନୁଚ୍ଛେଦ ୨୧ରେ ବ୍ୟକ୍ତିଗତ ଓ ମୌଳିକ ଅଧିକାରର ଅଂଶ ବିଶେଷ ସ୍ୱୀକାର କରିଛନ୍ତି। କୋର୍ଟ କହିଛନ୍ତି ଯେ ପୁରୁଣା ସୂଚନା ଯଦି କୌଣସି ବ୍ୟକ୍ତିଙ୍କ ଗାରିମା, ପ୍ରତିଷ୍ଠା ଅଥବା ବ୍ୟକ୍ତିଗତ ଜୀବନକୁ ଅନୁଚିତ ରୂପେ ପ୍ରଭାବିତ କରୁଛି ତେବେ ଏହାକୁ ଇଣ୍ଟରନେଟ୍ ରୁ ହଟା ଯାଇ ପାରିବ ବା ଲୁଚା ଯାଇ ପାରିବ।

କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଆଦେଶ
ଦିଲ୍ଲୀ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସଚ୍ଚିନ ଦତ୍ତଙ୍କ ସିଙ୍ଗଲ ବେଞ୍ଚ ଏହା ଉପରେ ଆଗତ କେତେକ ଆବେଦନ ଉପରେ ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଇଣ୍ଟରନେଟ୍ ରେ ସୂଚନା ପ୍ରାୟତଃ ସ୍ଥାୟୀ ହୋଇ ରହିଥାଏ, ଯଦିଓ ଏ ଗୁଡିକର ବର୍ତ୍ତମାନରେ କୌଣସି ପ୍ରାସଙ୍ଗିକତା ନାହିଁ ତଥାପି ବ୍ୟକ୍ତିଙ୍କୁ ପୁରୁଣା ଘଟଣାବଳୀ ସହ ଜଡିତ ରହିବାକୁ ପଡିଥାଏ। ଏଣୁ କୋର୍ଟ ଏଭଳି ଘଟଣାରେ ଇଣ୍ଟରନେଟ୍ ରୁ ତଥ୍ୟ ଲୁଚାଇ ହେବ ବୋଲି କହିଛନ୍ତି।

ମୁକ୍ତ ହୋଇସାରିଥିବା ଲୋକ ଓ ବୈବାହିକ ମାମଲାରେ ମିଳିବ ଆଶ୍ୱସ୍ତି
ଏ ସମ୍ପର୍କିତ ଆବେଦନକାରୀଙ୍କ ମଧ୍ୟରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଅପରାଧିକ ମାମଲାରେ ନିର୍ଦ୍ଦୋଷରେ ମୁକ୍ତ ହୋଇସାରିଛନ୍ତି ଅଥବା ବୈବାହିକ ମାମଲାରେ ପକ୍ଷ ଥିଲେ ବା ଯେଉଁମାନଙ୍କ ନାମ ମୋକଦ୍ଦମାରେ ଔପଚାରିକ ରୂପେ ଜଡିତ ଥିଲା। ଏପରି ଲୋକେ କହିଛନ୍ତି ଯେ ଗୁଗଲ ସର୍ଚ୍ଚରେ ପୁରୁଣା ମୋକଦ୍ଦମାର ସୂଚନା ଆସିବା ଦ୍ୱାରା ସେମାନଙ୍କ ଚାକିରି, ବ୍ୟବସାୟ ଓ ସାମାଜିକ ଜୀବନ ଉପରେ ଖରାପ ପ୍ରଭାବ ପକାଉଛି।

କୋର୍ଟ ସ୍ପଷ୍ଟ ରୂପେ କହିଛନ୍ତି ଯେ ନିଷ୍ପତ୍ତିର ଆଇନଗତ ତର୍କ ଓ ନିଷ୍କର୍ସ ସାର୍ବଜନିକ ରହିବ, ହେଲେ ଆବଶ୍ୟକତା ପଡିଲେ ବ୍ୟକ୍ତିର ନାମ ଓ ପରିଚୟ ସମ୍ପର୍କିତ ସୂଚନା ଲୁଚା ଯାଇ ପାରିବ। ଥରେ ନାମ ଲୁଚାଇବାର ଆଦେଶ ଜାରି ହେବା ପରେ ସର୍ଚ୍ଚ ଇଞ୍ଜିନ ଓ ଆଇନ ସମ୍ପର୍କିତ ୱେବସାଇଟ୍ ଙ୍କୁ ବ୍ୟକ୍ତିଙ୍କ ନାମରେ ଖୋଜିଲେ ଦେଖାଇବା ବନ୍ଦ କରିବାକୁ ପଡିବ। ତେବେ ମୂଳ ବିଚାରବିଭାଗୀୟ ରେକର୍ଡ କୋର୍ଟ ଓ ଅଧିକୃତ ଏଜେନ୍ସୀଙ୍କ ନିକଟରେ ସୁରକ୍ଷିତ ରହିବ। ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟକୁ ଡିଜିଟାଲ ଯୁଗରେ ଗୋପନୀୟତାର ଅଧିକାରକୁ ମଜଭୁତ କରିବ ବୋଲି ମନେ କରାଯାଉଛି।

Also Read..ଆଇନଜୀବୀରୁ ସିଧା ସୁପ୍ରିମକୋର୍ଟ ବିଚାରପତି, କିଏ ଏହି ଜଷ୍ଟିସ୍ ଭି.ମୋହନା ?