କୋଲକାତା: ଆରଜି କର ଦୁଷ୍କର୍ମ-ହତ୍ୟା ମାମଲାର ତଦନ୍ତରେ ଅବହେଳା ଅଭିଯୋଗରେ ବେଙ୍ଗଲ ସରକାର ତିନି ଆଇପିଏଲ୍ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ବେଙ୍ଗଲ ସରକାର ଆରଜି କର ମାମଲାରେ କୋଲକାତାର ପୂର୍ବତନ ପୋଲିସ କମିଶନର ଭିନୀତ ଗୋୟଲ ଏବଂ ଅନ୍ୟ ଦୁଇ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ କରିବେ ।

ଏହି ମାମଲାରେ ତତ୍କାଳୀନ କୋଲକାତା ପୋଲିସ କମିଶନର ଭିନୀତ ଗୋୟଲ, ତତ୍କାଳୀନ ଡେପୁଟି କମିଶନର (ଉତ୍ତର) ଅଭିଷେକ ଗୁପ୍ତା ଓ ଡେପୁଟି କମିଶନର (ମଧ୍ୟ) ଇନ୍ଧିରା ମୁଖାର୍ଜୀଙ୍କୁ ସସପେଣ୍ଡ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଘୋଷଣା କରି କହିଛନ୍ତି ଯେ ଅଧିକାରୀମାନେ ପୀଡ଼ିତ ପରିବାରକୁ ଲାଞ୍ଚ ଦେବା ଏବଂ ଲିଖିତ ଅନୁମତି ବିନା ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରିବାରେ ସାମିଲ ଥିଲେ । ତିନି ଆଇପିଏସ୍ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ ।

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ବେଙ୍ଗଲ ସରକାର ତଦନ୍ତରେ ହସ୍ତକ୍ଷେପ କରୁନାହାନ୍ତି । ସିବିଆଇ ଏହାର ତଦନ୍ତ କରୁଛି ଏବଂ କୋର୍ଟରେ ଏହା ଉପରେ ମାମଲା ଚାଲିଛି । ସେ ସ୍ପଷ୍ଟ କରିଛନ୍ତି ଯେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ବିଭାଗୀୟ ତଦନ୍ତର ନେତୃତ୍ୱ ମୁଖ୍ୟ ଶାସନ ସଚିବଙ୍କ ମାର୍ଗଦର୍ଶରେ ରାଜ୍ୟର ଗୃହ ସଚିବ କରିବେ ।

୨୦୨୪ ଅଗଷ୍ଟ ୯ରେ କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ କାର୍ଯ୍ୟରତ ଜଣେ କନିଷ୍ଠ ଡାକ୍ତରଙ୍କ ମୃତ୍ୟୁ ଦେହ ମିଳିଥିଲା । ଏହି ମାମଲାରେ ୩୩ ବର୍ଷୀୟ ସଞ୍ଜୟ ରାୟକୁ ଦୁଷ୍କର୍ମ ଓ ହତ୍ୟା ସନ୍ଦେହରେ ଗିରଫ କରାଯାଇଥିଲା । ୨୦୨୫, ଜାନୁଆରୀ ୨୦ରେ ନିମ୍ନ ଅଦାଲତ ସଞ୍ଜୟ ରାୟକୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରବାସ ଶୁଣାଇଥିଲେ । ଏହି ମାମଲାରେ ଅନ୍ୟମାନଙ୍କ ସଂପୃକ୍ତି ଥିବା ନେଇ ପୀଡ଼ିତଙ୍କ ପରିବାରର ଅଭିଯୋଗ କରିଥିଲେ ।