ଭୁବନେଶ୍ୱର: ପଦବୀ ଛାଡ଼ିଲେ, ହେଲେ ଜିତିଲେ କୋଟି କୋଟି ଜନତାଙ୍କ ହୃଦୟ। କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆଠାରୁ ଆରମ୍ଭ କରି ଜନସାଧାରଣଙ୍କ ଗ୍ରହଣଯୋଗ୍ୟତା ପର୍ଯ୍ୟନ୍ତ ସବୁଠି ଏବେ ତାଙ୍କ ତ୍ୟାଗ ଓ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା।

ଛାତ୍ରଛାତ୍ରୀ ଏବଂ ଯୁବପୀଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ନିଜର ଆବେଗପୂର୍ଣ୍ଣ ଇସ୍ତଫା ପତ୍ରରେ ସେ ଦେଶର ଯୁବବର୍ଗଙ୍କ ସ୍ୱାର୍ଥ ରକ୍ଷାକୁ ନେଇ ଯେଉଁ ବାର୍ତ୍ତା ଦେଇଛନ୍ତି, ତାହା ସାରା ଦେଶର ଯୁବସମାଜକୁ ଗଭୀର ଭାବେ ଆନ୍ଦୋଳିତ କରିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଧର୍ମେନ୍ଦ୍ର ପ୍ରଧାନଙ୍କର ଏହି ଗୋଟିଏ ଇସ୍ତଫା ପୋଷ୍ଟ ଏବେ ଚର୍ଚ୍ଚା ସୃଷ୍ଟି କରିଛି। ତାଙ୍କର ଏହି ପୋଷ୍ଟକୁ ୪ କୋଟି ୬୮ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଦେଖିସାରିଛନ୍ତି। ପ୍ରାୟ ସାଢ଼େ ୪ କୋଟି ଭାରତୀୟ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କର ଏହି ନିଷ୍ପତ୍ତିକୁ ସିଧାସଳଖ ସମର୍ଥନ ଜଣାଇଛନ୍ତି।

ଜଣେ ଦକ୍ଷ ନେତା ଭାବେ ନିଜର ବ୍ୟକ୍ତିଗତ କ୍ଷମତାଠାରୁ ଦେଶର ଭବିଷ୍ୟତ ଗଢ଼ୁଥିବା ଯୁବପୀଢ଼ିଙ୍କ ସ୍ୱାର୍ଥକୁ ଆଗରେ ରଖିବା ଘଟଣାକୁ ଯୁବସମାଜ ଖୁବ୍ ପସନ୍ଦ କରିଛନ୍ତି। ସୋସିଆଲ ମିଡିଆରେ ତାଙ୍କ ସପକ୍ଷରେ ଲୋକଙ୍କର ଶୁଭେଚ୍ଛା ଓ ସମର୍ଥନର ସୁଅ ଛୁଟିବାରେ ଲାଗିଛି, ଯାହା ଦର୍ଶାଉଛି ଯେ ମନ୍ତ୍ରୀ ପଦବୀ ନଥାଇ ବି ସେ ଆଜି କୋଟି କୋଟି ଭାରତୀୟଙ୍କ ଗ୍ରହଣଯୋଗ୍ୟ ନେତା।