ନୂଆଦିଲ୍ଲୀ: ଆଜିର ସମୟରେ ଯେପରି ଭାବେ ମାର୍କେଟ ବଦଳୁଛି, ସେହି ହିସାବରେ ଲୋକଙ୍କୁ ଚାକିରି ମିଳିବା ଏବଂ ସୁରକ୍ଷିତ ରଖିବା ବଡ଼ ଆହ୍ୱାନ । ପୁଣି ରିଜେକ୍ସନ ହେଲେ, ମନୋବଳ ଭାଙ୍ଗିବା ଏକପ୍ରକାର ନିଶ୍ଚିତ । କିନ୍ତୁ ସୌମିଥ ଚିନ୍ତଲାଙ୍କ କାହାଣୀ ଲୋକଙ୍କ ଚିନ୍ତାଧାରକୁ ଭିନ୍ନ ଦୃଷ୍ଟିକୋଣ ଦେଇଛି ।

ସଫଳତା ହାସଲ କରିବା ପାଇଁ କୌଣସି ଆଇଆଇଟି କିମ୍ବା ଆଇଆଇଏମର ଟ୍ୟାଗ୍ ଦରକାର ନାହିଁ ବୋଲି ପ୍ରମାଣ କରି ଦେଖାଇଛନ୍ତି ସୌମିଥ ଚିନ୍ତାଲା । ଗୋଟିଏ କି ଦୁଇଟି ନୁହେଁ, ବରଂ ୨୭ଟି ବିଶ୍ୱବିଦ୍ୟାଳୟ ତାଙ୍କୁ ଆଡମିଶନ ଦେବାକୁ ମନା କରିଦେଇଥିଲେ । କିନ୍ତୁ ଆଜି ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦୁନିଆରେ ଏକ ବଡ଼ ନାଁ ।

ସୌମିଥ ଚିନ୍ତାଲାଙ୍କ ଜନ୍ମ ଓ ଲାଳନପାଳନ ହାଇଦ୍ରାବାଦରେ ହୋଇଥିଲା । ଏକ ସାଧାରଣ ପରିବାରରୁ ଆସିଥିବା ସୌମିଥଙ୍କ ଘରେ ପିଲାଦିନେ କୌଣସି କମ୍ପ୍ୟୁଟର ନଥିଲା । ସେ ପ୍ରଥମ ଥର ପାଇଁ ନିଜ ପଡ଼ୋଶୀଙ୍କ ଘରେ କମ୍ପ୍ୟୁଟର ଦେଖିଥିଲେ ଏବଂ ସେହିଠାରୁ ତାଙ୍କ ମନରେ ଟେକ୍ନୋଲୋଜି ପ୍ରତି ଆଗ୍ରହ ବଢ଼ିଥିଲା । ସେ ହାଇଦ୍ରାବାଦ ପବ୍ଲିକ ସ୍କୁଲରେ ନିଜର ସ୍କୁଲ ଶିକ୍ଷା ଶେଷ କରିଥିଲେ । ଏହାପରେ ୨୦୦୯ ମସିହାରେ ସେ ଭେଲୋର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ବିଟେକ୍ ପାସ୍ କରିଥିଲେ । ତାଙ୍କ ପାଖରେ ଦେଶର ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜର କୌଣସି ଡିଗ୍ରୀ ନଥିଲା ।

ବି.ଟେକ୍ ପରେ ସୌମିଥ ଉଚ୍ଚଶିକ୍ଷା ପାଇଁ ଆମେରିକା ଯିବାକୁ ଚାହୁଁଥିଲେ । ସେଥିପାଇଁ ସେ ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଆବେଦନ କରିଥିଲେ । କିନ୍ତୁ ତାଙ୍କୁ ଗୋଟିଏ ପରେ ଗୋଟିଏ ୨୭ଟି ବିଶ୍ୱବିଦ୍ୟାଳୟରୁ ନିରାଶ ହେବାକୁ ପଡ଼ିଥିଲା । ସମସ୍ତେ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଏତେ ରିଜେକ୍ସନ ପରେ ମଧ୍ୟ ସେ ହାର ମାନି ନଥିଲେ ଏବଂ ନିଜର ପ୍ରୟାସ ଜାରି ରଖିଥିଲେ । ଶେଷରେ ତାଙ୍କୁ ନ୍ୟୁୟର୍କ ୟୁନିଭରସିଟିରେ ଆଡମିଶନ ମିଳିଥିଲା । ସେଠାରେ ସେ ପ୍ରସିଦ୍ଧ ଏଆଇ ଗବେଷକ ୟାନ ଲେକୁନଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ, ଯାହା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା ।

ୟୁନିଭର୍ସିଟି ପଢ଼ା ସରିବା ପରେ ବି ସୌମିଥଙ୍କ ସଂଘର୍ଷ ସରିନଥିଲା । ଏଆଇ ଇଣ୍ଡଷ୍ଟ୍ରିରେ ଏକ ଭଲ ଚାକିରି ଖୋଜିବା ସମୟରେ ତାଙ୍କୁ ପୁଣି ଥରେ ଅନେକ କମ୍ପାନିରୁ ନାଁର ସାମ୍ନା କରିବାକୁ ପଡ଼ିଥିଲା । ଏତିକି ନୁହେଁ, ଆମେରିକାରେ ଭିସା ସମସ୍ୟା ଯୋଗୁଁ ତାଙ୍କୁ ବାଧ୍ୟ ହୋଇ କିଛି ସମୟ ପାଇଁ ଦେଶ ଛାଡ଼ିବାକୁ ମଧ୍ୟ ପଡ଼ିଥିଲା । ତଥାପି ସେ ନିଜ ଲକ୍ଷ୍ୟରୁ ଓହରି ନଥିଲେ ।

୨୦୧୪ ମସିହାରେ ତାଙ୍କ କ୍ୟାରିୟରରେ ଏକ ବଡ଼ ପରିବର୍ତ୍ତନ ଆସିଥିଲା । ସେ ମାର୍କ ଜୁକରବର୍ଗଙ୍କ କମ୍ପାନି ମେଟାର 'ଫଣ୍ଡାମେଣ୍ଟାଲ ଏଆଇ ରିସର୍ଚ୍ଚ' ଟିମରେ ଯୋଗ ଦେଇଥିଲେ । ସେଠାରେ ସେ ଏକ ଛୋଟ ଟିମ୍ ସହିତ ମିଶି 'ପାଇଟର୍ଚ୍ଚ' ନାମକ ଏକ ଓପନ୍-ସୋର୍ସ ମେସିନ ଲର୍ଣ୍ଣିଂ ଫ୍ରେମୱାର୍କ ତିଆରି କରିଥିଲେ । ଆଜିର ଦିନରେ ମେଟା, ଟେସଲା, ଉବେର ଏବଂ ଓପନ୍ଏଆଇ ଭଳି ବିଶ୍ୱର ବଡ଼ ବଡ଼ ଟେକ୍ କମ୍ପାନିଗୁଡ଼ିକ ସେମାନଙ୍କର ଏଆଇ ଗବେଷଣା ପାଇଁ ଏହି ପାଇଟର୍ଚ୍ଚର ହିଁ ବ୍ୟବହାର କରୁଛନ୍ତି ।

ମେଟାରେ ୧୧ ବର୍ଷ ଧରି ଉଲ୍ଲେଖନୀୟ କାମ କରିବା ପରେ ସୌମିଥ ନିକଟରେ ମେଟା ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ସେ OpenAIର ପୂର୍ବତନ ଚିଫ୍ ଟେକ୍ନୋଲୋଜି ଅଫିସର ମୀରା ମୁରାତିଙ୍କ ଏଆଇ ଷ୍ଟାର୍ଟଅପ୍ 'ଥିଙ୍କିଙ୍ଗ୍ ମେସିନ୍ସ ଲ୍ୟାବ୍' (Thinking Machines Lab)ରେ ସିଟିଓ ଭାବେ ଯୋଗ ଦେଇଛନ୍ତି ।