ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ରେ ପଞ୍ଜାବ କିଙ୍ଗସ୍ର ଶୋଚନୀୟ ପ୍ରଦର୍ଶନ ଜାରି ରହିଛି। ସିଜନ୍ର ପ୍ରଥମରୁ ପ୍ରଭାବଶାଳୀ ପ୍ରଦର୍ଶନ କରି ପ୍ରଥମ ୭ଟି ମ୍ୟାଚ୍ରୁ ୬ଟି ଜିତିଥିବା ପଞ୍ଜାବ ଦଳ ଏବେ ଦ୍ୱିତୀୟାର୍ଦ୍ଧରେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛି। ରବିବାର ଖେଳାଳି ଯାଇଥିବା ଏକ ରୋମାଞ୍ଚକର ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଠାରୁ ପରାଜିତ ହେବା ପରେ ପଞ୍ଜାବର କ୍ରମାଗତ ୬ଷ୍ଠ ପରାଜୟ ହୋଇଛି । ଏହି ବିଜୟ ସହ RCB ଚଳିତ ସିଜନର ପ୍ରଥମ ଦଳ ଭାବେ ପ୍ଲେ-ଅଫ୍ରେ ନିଜର ସ୍ଥାନ ପକ୍କା କରିଛି।

ପଏଣ୍ଟିଂଙ୍କ ନିରାଶା, ଅଧିନାୟକ ଶ୍ରେୟସ ଅୟରଙ୍କ ସହ ପ୍ରୀତି ଜିଣ୍ଟାଙ୍କ ଗମ୍ଭୀର ଆଲୋଚନା

ଦଳର ଏଭଳି ଦ୍ରୁତ ପତନକୁ ନେଇ ମ୍ୟାଚ୍ ଚାଲିଥିବା ସମୟରେ ଡଗ୍ଆଉଟ୍ରେ ପଞ୍ଜାବର ମୁଖ୍ୟ କୋଚ୍ ରିକି ପଏଣ୍ଟିଂ ଅତ୍ୟନ୍ତ ନିରାଶ ଏବଂ ଅସହାୟ ଭାବେ ଏକାକୀ ବସିଥିବାର ଦେଖିବାକୁ ମିଳିଥିଲା। ଅନ୍ୟପଟେ ମ୍ୟାଚ୍ ଶେଷ ହେବା ପରେ ପ୍ରୀତି ଜିଣ୍ଟା ପଡ଼ିଆ ମଝିରେ ଅଧିନାୟକ ଶ୍ରେୟସ ଅୟରଙ୍କ ସହ ଦୀର୍ଘ ସମୟ ଧରି ଏକ ଗମ୍ଭୀର ଆଲୋଚନା କରୁଥିବାର ନଜର ଆସିଛନ୍ତି, ଯାହା ଦଳ ମଧ୍ୟରେ ଥିବା ଆନ୍ତରିକ ତିକ୍ତତା ଓ ଚାପକୁ ସ୍ପଷ୍ଟ କରୁଛି।

ବେଙ୍ଗାଲୁରୁର ବିଶାଳ ସ୍କୋର, ବିଫଳ ହେଲା ପଞ୍ଜାବର ଲଢ଼େଇ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୨୨ ରନ୍ର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ଦଳ ପାଇଁ ଷ୍ଟାର୍ ବ୍ୟାଟର ବିରାଟ କୋହଲି ୩୭ ବଲ୍ରୁ ୫୮ ରନ୍ ଏବଂ ଭେଙ୍କଟେଶ ଅୟର ମାତ୍ର ୪୦ ବଲ୍ରୁ ୭୩ ରନ୍ର ଏକ ବିସ୍ଫୋରକ ଅପରାଜିତ ପାଳି ଖେଳିଥିଲେ। ଦେବଦତ୍ତ ପାଡିକ୍କଲ ଓ ଟିମ୍ ଡେଭିଡ୍ ମଧ୍ୟ ଉପଯୋଗୀ ଯୋଗଦାନ ଦେଇଥିଲେ।

୨୨୩ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବ କିଙ୍ଗସ୍ ପାୱାରପ୍ଲେ ମଧ୍ୟରେ ହିଁ ନିଜର ୩ଟି ପ୍ରମୁଖ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଶଶାଙ୍କ ସିଂହ ମାତ୍ର ୨୭ ବଲ୍ରୁ ୫୬ ରନ୍ର ଲଢ଼ୁଆ ପାଳି ଖେଳିଥିଲେ ହେଁ ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ୧୯୯ ରନ୍ ହିଁ କରିପାରିଥିଲା।

ପାୱାରପ୍ଲେ ଯୋଗୁଁ ହାରିଲୁ: ଶ୍ରେୟସ ଅୟର

ମ୍ୟାଚ୍ ପରେ ପରାଜୟର କାରଣ ସମ୍ପର୍କରେ କହିବାକୁ ଯାଇ ପଞ୍ଜାବ ଅଧିନାୟକ ଶ୍ରେୟସ ଅୟର କହିଛନ୍ତି, "ବେଙ୍ଗାଲୁରୁ ଦଳ ଆରମ୍ଭରୁ ହିଁ ବହୁତ ଭଲ ବ୍ୟାଟିଂ କଲା। ଆମେ ପାୱାରପ୍ଲେ ମଧ୍ୟରେ ହିଁ ମ୍ୟାଚ୍ ହରାଇ ସାରିଥିଲୁ। ଆମର ଶୀର୍ଷ କ୍ରମ ବ୍ୟାଟିଂ ବିଫଳ ହେଲା, ଯେଉଁ ସୁନ୍ଦର ଆରମ୍ଭ ଆମକୁ ପୂର୍ବ ମ୍ୟାଚ୍ ଗୁଡ଼ିକରେ ମିଳୁଥିଲା ତାହା ଏଥର ମିଳିପାରିଲାନି।" ତେବେ ଏହି ସ୍ଥିତିରେ ମଧ୍ୟ ସେ ନିଜକୁ ସକରାତ୍ମକ ରଖିବା ସହ ଆଗାମୀ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛନ୍ତି। ଏହି ପରାଜୟ ପରେ ପଞ୍ଜାବର ପ୍ଲେ-ଅଫ୍ ଆଶା ଏବେ ଅନ୍ୟ ଦଳର ସମୀକରଣ ଉପରେ ନିର୍ଭର କରୁଛି।