୨ହଜାରର ନୋଟ୍ କୁ ନେଇ RBIଙ୍କ ବଡ଼ ଅପଡେଟ୍, ବ୍ୟାଙ୍କକୁ ଏବେବି ଫେରିନି ୭,୯୬୧ କୋଟି ଟଙ୍କା

Published By : Prameya-News7 Bureau | May 03, 2024 IST

ନୂଆଦିଲ୍ଲୀ ୩।୫:  ଭାରତୀୟ ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କା ନୋଟକୁ ନେଇ ଏକ ବୟାନ ଜାରି କରିଛନ୍ତି। ଏଥିରେ କହିଛନ୍ତି ଯେ ବନ୍ଦ କରାଯାଇଥିବା ୨ହଜାର ଟଙ୍କା ନୋଟର ୯୭.୭୬ ପ୍ରତିଶତ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଫେରି ଆସିଛି। ହେଲେ ଏବେବି ୭,୯୬୧ କୋଟି ଟଙ୍କାର ନୋଟ୍‌ ଲୋକଙ୍କ ପାଖରେ ରହିଛି। ଆରବିଆଇ କହିଛନ୍ତି ଯେ ୧୯ ମେ ୨୦୨୩ରେ ଏହି ମୁଦ୍ରାକୁ ପ୍ରଚଳନରୁ ବାହାର କରିଦିଆଯାଇଥିଲା। ଏଣୁ ଏହି ନୋଟକୁ ବଜାରରୁ ଫେରାଇ ନେବାକୁ ବ୍ୟାଙ୍କ ବ୍ୟବସ୍ଥା କରିଥିଲା। 

ତେବେ ନିଷିଦ୍ଧ ଘୋଷଣା ହେବା ବେଳକୁ ବଜାରରେ ଏହି ମୁଦ୍ରାରୁ ୩.୫୬ ଲକ୍ଷ କୋଟି ଟଙ୍କା ଥିଲା। ଏବେ ୩୦ ଏପ୍ରିଲ ୨୦୨୪ ସୁଦ୍ଧା ଏହି ମୁଦ୍ରାରୁ ୭,୯୬୧ କୋଟି ଟଙ୍କାର ନୋଟ୍‌ ବାହାରେ ଅଛି। ତେବେ ଆରବିଆଇଙ୍କ କହିବା କଥା ହେଲା ଏହି ୨୦୦୦ ଟଙ୍କା ନୋଟ୍ ଏବେବି ବୈଧ ଅଛି। ଲୋକେ ସାରା ଦେଶର ଆରବିଆଇଙ୍କ ୧୯  କାର୍ଯ୍ୟାଳୟରେ ଏହି ନୋଟ ଜମା କରି ତା ବଦଳେ ଅନ୍ୟ ମୁଦ୍ରା ନେଇ ପାରନ୍ତି। ଭାରତୀୟ ଡାକ ମାଧ୍ୟମରେ ମଧ୍ୟ ଆରବିଆଇଙ୍କ କୌଣସି କାର୍ଯ୍ୟାଳୟକୁ ୨ ହଜାର ଟଙ୍କା ନୋଟ ପଠାଇ ସମାନ ମୂଲ୍ୟର ରାଶି ନିଜ ବ୍ୟାଙ୍କ ଖାତାରେ ଜମା କରାଇ ପାରନ୍ତି। 

ଭାରତୀୟ ରିଜର୍ଭ ବ୍ୟାଙ୍କ ନଭେମ୍ବର ୨୦୧୬ରେ ପ୍ରଚଳିତ ୧ ହଜାର ଓ ୫୦୦ ଟଙ୍କା ନୋଟର ବିମୁଦ୍ରିକରଣ କରିଥିଲେ। ବଜାରରୁ ଟଙ୍କା ହଟା ଯିବା ଯୋଗୁ ଆରବିଆଇ ପ୍ରଥମ ଥର ୨ ହଜାର ଟଙ୍କା ନୋଟ୍ ପ୍ରଚଳନକୁ ଆଣିଥିଲେ। ଫଳରେ ବିମୁଦ୍ରିକରଣ ଯୋଗୁ ଉପୁଜିଥିବା ପରିସ୍ଥିତିର ମୁକାବିଲା କରାଯାଇଥିଲା। ପରେ ଖୁଚୁରା ସମସ୍ୟାର ସମାଧାନ ନିମନ୍ତେ ନୂଆ ୫୦୦ ଟଙ୍କା ଓ ୨୦୦ ଟଙ୍କା ନୋଟ୍ ମଧ୍ୟ ପ୍ରଚଳନକୁ ଆସିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.