ସରକାରଙ୍କ ରାଜକୋଷ ଭରିଲା RBI, ୨୦୨୪ ଆର୍ଥିକ ବର୍ଷ ପାଇଁ ଦେଲା ରେକର୍ଡ ୨.୧୧ ଲକ୍ଷ କୋଟିର ସରପ୍ଲସ୍‌

Published By : Prameya-News7 Bureau | May 22, 2024 IST

ନୂଆଦିଲ୍ଲୀ: ସରକାରଙ୍କ ରାଜକୋଷ ଭରିବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)। କାରଣ ଆରବିଆଇ, ସରକାରଙ୍କୁ ଦେବାକୁ ଯାଉଛି ପ୍ରାୟ ୨,୧୦,୮୭୪ କୋଟି ଟଙ୍କାର ସରପ୍ଲସ୍‌ ବା ବଳକା ରାଶି। ଏନେଇ ଆରବିଆଇର ନିର୍ଦ୍ଦେଶକ ମଣ୍ଡଳୀର ୬୦୮ତମ ବୈଠକରେ ଘୋଷଣା କରାଯାଇଛି। ଆଉ ଏହି ସରପ୍ଲସ ହେଉଛି ଏପର୍ଯ୍ୟନ୍ତ ମିଳିଥିବା ସରପ୍ଲସରେ ସବୁଠୁ ଅଧିକ। ରିଜର୍ଭ ବ୍ୟାଙ୍କର ବୈଠକରେ ଆର୍ଥିକ ମାମଲାର ବିଭାଗ ସଚିବ ଅଜୟ ସେଠ୍‌ ଏବଂ ଆର୍ଥିକ ସେବାର ବିଭାଗୀୟ ସଚିବ ଜୋଶୀ ମଧ୍ୟ ସାମିଲ ଥିଲେ।

ଆରବିଆଇର କହିବା ଅନୁଯାୟୀ, ଏହି ସରପ୍ଲସ୍‌ ହେଉଛି ୨୦୨୩-୨୪ ଆର୍ଥିକ ବର୍ଷର ଏବଂ ଏହା ୨୦୨୪-୨୫ରେ ସରକାରଙ୍କ ଆକାଉଣ୍ଟକୁ ଯିବ। ତେବେ ବଡ଼ କଥା ହେଉଛି ଏହି ବଳକା ରାଶି ସରକାରଙ୍କ ଅନୁମାନ ଠାରୁ ଖୁବ୍‌ ଅଧିକ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ଲାଭାଂଶ ଦ୍ବାରା ସରକାରଙ୍କ ସରଳତା (ଲିକ୍ବିଡିଟି)ରେ ସୁଧାର ହେବ ଏବଂ ସରକାରୀ ଖର୍ଚ୍ଚକୁ ମଧ୍ୟ ସାହାରା ମିଳିବ।  ସୂଚନାଥାଉକି ଗତବର୍ଷ ୮୭,୪୧୬ କୋଟିର ବଳକା ରାଶି ସରକାରଙ୍କ ଟ୍ରାନ୍ସଫର କରିଥିଲା ଆରବିଆଇ।

କ’ଣ ଏହି ସରପ୍ଲସ୍ ବା ବଳକା ରାଶି ?

ଆରବିଆଇର ଆୟ ଏବଂ ବ୍ୟୟ ମଧ୍ୟରେ ବ୍ୟବଧାନକୁ ସରପ୍ଲସ୍ କହୁଯାଏ। ଆଉ ଆୟ ଏବଂ ବ୍ୟୟ ପରେ ଆରବିଆଇ ଏହାର ବଳକା ଅର୍ଥଙ୍କୁ ସରକାରଙ୍କୁ ଟ୍ରାନ୍ସଫର କରିଥାଏ। ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିନିୟମ, ୧୯୩୪ର ଧାର ୪୭ ଅନୁଯାୟୀ, ଏହି ଟ୍ରାନ୍ସଫର କରାଯାଇଥାଏ। 

କେଉଁଠୁ ଆସେ ବଳକା ରାଶି ସରପ୍ଲସ୍‌ ?

ଆରବିଆଇଆର ଆୟ:

ଘରୋଇ ଏବଂ ବିଦେଶୀ ସମ୍ପତ୍ତିରେ କରିଥିବା ନିବେଶରୁ ମିଳୁଥିବା ସୁଧ

ବିଭିନ୍ନ ସେବାରୁ ମିଳୁଥିବା ଆୟ କିମ୍ବା କମିଶନ୍‌

ଫରେନ ଏକ୍ସଚେଞ୍ଜ ଟ୍ରାଞ୍ଜାକ୍ସନରୁ ଆୟ

ଅନୁବନ୍ଧିତ କମ୍ପାନି ଏବଂ ସହାୟକ କମ୍ପାନିଙ୍କ ଠାରୁ ମିଳୁଥିବା ରିର୍ଟର୍ଣ୍ଣ

ଆରବିଆଇର ବ୍ୟୟ:

କରେନ୍ସୀ ନୋଟ୍ ମୁଦ୍ରଣ

ଜମା ଏବଂ ଉଧାର ଉପରେ ସୁଧ

କର୍ମଚାରୀଙ୍କ ବେତନ ଏବଂ ପେନସନ

କାର୍ଯ୍ୟାଳୟ ଏବଂ ଶାଖା ପରିଚାଳନା ଖର୍ଚ୍ଚ

ଆକସ୍ମିକ ଟଙ୍କାର ଆବଶ୍ୟକ ଏବଂ ଡେପ୍ରିସିଏସନର ପାଇଁ ହେଉଥିବା ଖର୍ଚ୍ଚ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.