ନୂଆଦିଲ୍ଲୀ: ମଙ୍ଗଳବାର(୨୧ ମେ ୨୦୨୪) ଇତିହାସ ରଚିଲା ଭାରତୀୟ ଶେୟାର ବଜାର। ପ୍ରଥମ ଥର ଭାରତୀୟ ଷ୍ଟକ୍ ମାର୍କେଟ୍ର ମାର୍କେଟ୍ କ୍ୟାପିଟାଲାଇଜେସନ୍ ୫ ଟ୍ରିଲିଅନ ଡଲାର ହୋଇଛି। ଗତ ୬ ମାସରେ ଷ୍ଟକ୍ ମାର୍କେଟ୍ରେ ୧ ଟ୍ରିଲିଅନ ଡଲାର ସମ୍ପତ୍ତି ଯୋଡ଼ି ହୋଇଛି। ଯାହା ୫ ଟ୍ରିଲିଅନ୍ ପର୍ଯ୍ୟନ୍ତ ନେବାରେ ବଡ଼ ସହଯୋଗ କରିଛି।
ସବୁଠାରୁ ବଡ଼ କଥା ହେଲା ବର୍ତ୍ତମାନ ନିର୍ବାଚନ ସମୟ ଚାଲୁଥିବାରୁ ବିଦେଶୀ ନିବେଶ ହ୍ରାସ ପାଉଛି। କାରଣ ନିର୍ବାଚନରେ କିଏ ଜିତିବ କିଏ ହାରିବ ସେ ନେଇ ଅସ୍ଥିରତା ଲାଗି ରହିଛି। ସେପଟେ ଚୀନ ବଜାର ଲୋଭ ଘାରୁଛି। ତେଣୁ ବିଦେଶୀ ନିବେଶକମାନେ(ଏଫ୍ଆଇଆଇ) ଭାରତୀୟ ଷ୍ଟକ୍ ମାର୍କେଟ୍ରୁ ଟଙ୍କା ନିବେଶ ନ କରି ୱିଡ୍ର କରି ନେଉଛନ୍ତି। ଫରେନ ଇନ୍ଷ୍ଟଚ୍ୟୁଟ୍ ଇନ୍ଭେଷ୍ଟର ହ୍ରାସ ସତ୍ତ୍ୱେ ଭାରତୀୟ ଷ୍ଟକ୍ ମାର୍କେଟ୍ କ୍ୟାପ୍ ୫ ଟ୍ରିଲଅନ ଡଲାରରେ ପହଞ୍ଚି ରେକର୍ଡ କରିଛି।
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ପଞ୍ଜିକୃତ ହୋଇଥିବା ସମସ୍ତ କମ୍ପାନୀର ମିଳିତ ମାର୍କେଟ୍ କ୍ୟାପ୍ ମଙ୍ଗଳବାର ୧୪୧,୭୫ ଲକ୍ଷ କୋଟି(୫ ଟ୍ରିଲିଅନ ଡଲାର) ହୋଇଛି। ଏହି ଦିନଗୁଡ଼ିକରେ ନିବେଶକମାନେ ବଡ଼ ବଡ଼ ଶେୟାରରେ ଅଧିକ ନିବେଶ କରିଥଲେ। ହେଲେ ଗତ ସପ୍ତାହରେ ସଫଳତା ପାଇବା ପରେ ନିଫ୍ଟି ଓ ସେନ୍ସେକ୍ସ ପୁଣିଥରେ ରାହା ଧରିବାକୁ ସଂଘର୍ଷ କରୁଛନ୍ତି। ୨୦୨୩ ନଭେମ୍ବର ୨୯ ତାରିଖରେ ଦଲାଲ ଷ୍ଟ୍ରିଟ୍ ୪ ଟ୍ରିଲିଅନ ଡଲାରରୁ ଯାତ୍ରା ଆରମ୍ଭ କରି ମେ ୨୧ ତାରିଖ ୨୦୨୪ରେ ୫ ଟ୍ରିଲିଅନ୍ରେ ପହଞ୍ଚିଛି। ଏଥିପାଇଁ ୬ ମାସ ସମୟ ଲାଗିଛି। ସେହିପରି ମଙ୍ଗଳବାର ନିଫ୍ଟି ସର୍ବକାଳୀନ ସ୍ତରରେ ପହଞ୍ଚିବାକୁ ୨୫୦ ପଏଣ୍ଟ ପଛରେ ରହିଯାଇଥିଲା। ସେହିପରି ସ୍ମଲ କ୍ୟାପ୍ ନୂଆ ସ୍ତରକୁ ଛୁଇଁଥିଲା।
ନିୟମିତ ଏଫ୍ଆଇଆଇ ବଜାରରୁ ୱିଡ୍ର ହେଉଥିବା ବେଳେ ଘରୋଇ ସଂସ୍ଥାର ନିବେଶ(ଡୋମେଷ୍ଟିକ୍ ଇନଷ୍ଟିଟ୍ୟୁସନାଲ), ରିଟେଲ, ଏବଂ ଏଚ୍ଏନ୍ଆଇ ନିବେଶକ ଶେୟାର ମାର୍କେଟ୍କୁ ବଳ ଦେଇଛନ୍ତି। କେବଳ ମେଁ ମାସରେ ୨୮,୨୦୦ କୋଟି ଟଙ୍କାର ଏଫ୍ଆଇଆଇ ୱିଡ୍ର ହୋଇଛି। ଏହା ସତ୍ତ୍ୱେ ବି ବିଏସ୍ଇ ଭଲ ପ୍ରଦର୍ଶନ କରିଛି। ହଂକଂ, ଜାପାନ, ଚୀନ ଓ ଆମେରିକା ପରେ ଭାରତ ହେଉଛି ପଞ୍ଚମ ବଡ଼ ଷ୍ଟକ୍ ମାର୍କେଟ୍।
ଭାରତୀୟ ଷ୍ଟକ୍ ମାର୍କେଟ୍ର ବର୍ତ୍ତମାନ ସ୍ଥିତି ଠାରୁ ଟିକେ ଫଛକୁ ଫେରିଗଲେ ୨୦୦୭ରେ ପ୍ରଥମ ଥର ୧ ଟ୍ରିଲିଅନ ଡଲାର ମୋଟ ମାର୍କେଟ୍ କ୍ୟାପ୍ ହୋଇଥିଲା। ତେବେ ଏହା ଦୁଇ ଟ୍ରିଲିଅନରେ ପହଞ୍ଚିବାକୁ ଆଉ ୧୦ ବର୍ଷ ସମୟ ନେଇଥିଲା। ୨୦୧୭ ମେ ୧୬ ତାରିଖରେ ବିଏସ୍ଟି ମାର୍କେଟ୍ କ୍ୟାପ୍ ୨ଟ୍ରିଲିଅନ ହୋଇଥିଲା। ଏହାର ୪ ବର୍ଷ ପରେ ୨୪ ମେ ୨୦୨୧ରେ ୩ ଟ୍ରିଲିଅନରେ ପହଞ୍ଚିଥିଲା। ଶେୟାର ମାର୍କେଟ୍ ୩ ଟ୍ରିଲିଅନ ହେବାର ୩ ବର୍ଷ ବି ପୂରି ନାହିଁ ୨୧ ମେ ୨୦୨୪ରେ ଏହା ୫ ଟ୍ରିଲିଅନ୍ ହୋଇଛି।
ଗତ ୧୫-୨୦ ବର୍ଷର ଇତିହାସ, ନୂଆ କମ୍ପାନୀର ପଞ୍ଜିକୃତ ସଂଖ୍ୟା ଓ ବଜାର ରିଟର୍ଣ୍ଣ ଧାରାକୁ ଦେଖିଲେ ୨୦୨୭ ସୁଦ୍ଧା ଭାରତ ତୃତୀୟ ବୃହତ୍ତମ ଅର୍ଥନୀତି ହେବ ଏବଂ ୨୦୩୦ ସୁଦ୍ଧା ମାର୍କେଟ୍ କ୍ୟାପିଟାଲାଇଜେସନ ୧୦ ଟ୍ରିଲିୟନ ଡଲାରରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି । ଏଥିସହିତ ଗତ କିଛି ବର୍ଷ ମଧ୍ୟରେ ଭାରତର ମାର୍କେଟ ଡେଫ୍ଥ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଏହା ୧ ବିଲିୟନ ଡଲାରର ମାର୍କେଟ କ୍ୟାପ୍ ସହିତ ଷ୍ଟକ୍ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇ ୫୦୦ କୁ ବୃଦ୍ଧି ପାଇଛି।
ବିଶ୍ୱରେ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଷ୍ଟକ୍ଗୁଡ଼ିକ ମଧ୍ୟରେ ଭାରତୀୟ ଷ୍ଟକ୍ ମାର୍କେଟ ରହିଛି। ଯାହା ଗତ ୫,୧୦,୧୫ ଓ ୨୦ ବର୍ଷ ମଧ୍ୟରେ ବାର୍ଷିକ ଆଧାରରେ ୧୦ ପ୍ରତିଶତ ରିଟର୍ଣ୍ଣ ଦଉଛି। ମୋର୍ଗାନ୍ ଷ୍ଟେନଲି କ୍ୟାପିଟାଲ୍ ଇଣ୍ଟରନ୍ୟାସନାଲ୍ର ଅଭିବୃଦ୍ଧି ସମ୍ପନ୍ନ ବଜାର(ଏମର୍ଜିଂ ମାର୍କେଟ୍)ଇଣ୍ଡେକ୍ସରେ ଭାରତର ୱେଟେଜ୍ ମେ ୩୧ ତାରିଖରୁ ୧୮.୩ ପ୍ରତିଶତରୁ ବଢ଼ି ୧୯ ପ୍ରତିଶତ ପାଖାପାଖି ହୋଇଯିବ। ଏଥିରେ ୨.୫ ବିଲିଅନ ଡଲାର ବିଦେଶୀ ନିବେଶ ହେବ ବୋଲି ଅନୁମାନ କରାଯାଉଛି।
ଭାରତୀୟ ଷ୍ଟକ୍ ମାର୍କେଟ୍ କ୍ୟାପିଟାଲାଇଜେସନ ବୃଦ୍ଧିର କାରଣ
ବିଏସ୍ଇର ମାର୍କେଟ୍ କ୍ୟାପ୍ କଥା ଦେଖିଲେ ସମସ୍ତ ଲିଷ୍ଟେଡ୍ କମ୍ପାନୀ ସହ ଆଇପିଓ, ଏଫ୍ପିଓ, ଓଏଫ୍ଏସ୍ ଆଦି ରୂପରେ ନୂଆ ଲିଷ୍ଟେଡ୍ କମ୍ପାନୀଗୁଡ଼ିକ ମିଶି ମାର୍କେଟ୍ କ୍ୟାପ୍ ବୃଦ୍ଧି କରିବାରେ ସହାୟକ ହୁଅନ୍ତି। ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ୍ ଗ୍ରୁପ୍ ଜେଫ୍ରୀ ଗ୍ରୁପ୍ର ବିଶେଷଜ୍ଞମାନଙ୍କ ମତରେ ଗତ ୫-୭ ବର୍ଷ ମଧ୍ୟରେ ଭାରତୀୟ ୟୁନିକର୍ଣ୍ଣଗୁଡ଼ିକ ମାଚ୍ୟୁୟର ହେବା ଓ ସମସ୍ତ ସେକ୍ଟରରେ ଇକ୍ୱିଟି ଆବଶ୍ୟକତାକୁ ଟ୍ରିଗର କରିବା ଆଇପିଓ, ଏଫ୍ପିଓ ଇଶୁ ଆଦି ୪ ଓ ୫ ପ୍ରତିଶତ ମାର୍କେଟ୍ କ୍ୟାପ୍ ବଢ଼ାଉଛି। ୧୦୦ ବିଲିୟନ ଡଲାରର ମିଳିତ ବିନିଯୋଗ ସହିତ ଭାରତୀୟ ୟୁନିଅର୍ସଗୁଡ଼ିକର ମୂଲ୍ୟ ପ୍ରାୟ ୩୫୦ ବିଲିୟନ ଡଲାରର ହୋଇଛି।