FY୨୫ରେ ୭.୫% ହାରରେ ବଢିବ ଦେଶର ଅର୍ଥବ୍ୟବସ୍ଥା, ଅଭିବୃଦ୍ଧି ଉପରେ RBI ବୁଲେଟିନରେ ଅନୁମାନ

Published By : Prameya-News7 Bureau | May 21, 2024 IST

ନୂଆଦିଲ୍ଲୀ: ଗ୍ରସ୍ ଡିମାଣ୍ଡ ଏବଂ ଗାଁରେ ଅଣ-ଖାଦ୍ୟାନ୍ନ ସାମଗ୍ରୀ ଉପରେ ଖର୍ଚ୍ଚ ବଢିବା ଯୋଗୁଁ ଦେଶର ଆର୍ଥିକ ଅଭିବୃଦ୍ଧି ହାର ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୭.୫ ପ୍ରତିଶତ ରହିପାରେ । ଭାରତୀୟ ରିଜର୍ଭ ବ୍ୟାଙ୍କ ମେ' ବୁଲେଟନରେ ଏହି ସୂଚନା ଦେଇଛି । ବୁଲେଟିନରେ କୁହାଯାଇଛି ଯେ ଭାରତୀୟ ଅର୍ଥବ୍ୟବସ୍ଥା ଯୋଗାଣ ଶୃଙ୍ଖଳାକୁ ପ୍ରଭାବିତ କରୁଥିବା ବୈଶ୍ୱିକ ବାଧା ସତ୍ତ୍ୱେ ମଜଭୁତିକୁ ଦେଖାଉଛି । ବୁଲେଟିନ୍ ଅନୁସାରେ ଆର୍ଥିତ ଗତିବିଧି ସୂଚକାଙ୍କ ଅନୁସାରେ ଏପ୍ରିଲରେ ଗତିବିଧିରେ ବୃଦ୍ଧି ଆସିଛି ଏବଂ ପ୍ରାରମ୍ଭିକ ଅନୁମାନ ଦର୍ଶାଉଛି ଯେ ୨୦୨୪-୨୫ର ପ୍ରଥମ ତ୍ରୈମାସରେ ଜିଡିପି ବୃଦ୍ଧି ୭.୫ ପ୍ରତିଶତ ରହିପାରେ ।

ଉଲ୍ଲେଖଯୋଗ୍ୟ ଯେ ସରକାର ମେ ୩୧ରେ ୨୦୨୪ ମାର୍ଚ୍ଚରେ ଶେଷ ହୋଇଥିବା ତ୍ରୈମାସ ପାଇଁ ଜିଡିପି ଅନୁମାନ ଏବଂ ବର୍ଷ ୨୦୨୩-୨୪ ପାଇଁ ରାଷ୍ଟ୍ରୀୟ ଆୟର ଅସ୍ଥାୟୀ ଅନୁମାନ ଜାରି କରିବେ । ଭାରତର ବୃଦ୍ଧି ହାର ୨୦୨୩-୨୪ର ଜୁନ୍ ତ୍ରୈମାସରେ ୮.୨ ପ୍ରତିଶତ, ସେପ୍ଟେମ୍ୱର ତ୍ରୈମାସରେ ୮.୧ ପ୍ରତିଶତ ଏବଂ ଡିସେମ୍ୱର ତ୍ରୈମାସରେ ୮.୪ ପ୍ରତିଶତ ରହିଥିଲା ।

ବୁଲେଟିନ୍ ଅନୁସାରେ ଜିଏସଟି ସଂଗ୍ରହ, ବିଜୁଳି ବ୍ୟବହାର, ବିନିର୍ମାଣ କ୍ଷେତ୍ରର ଏପ୍ରିଲ୍ ଡାଟା, ୨୦୨୪ରେ ଘରୋଇ ଚାହିଦାର ସ୍ଥିତିରେ ନିରନ୍ତର ଗତିର ସଂକେତ ଦେଉଛି । ଟୋଲ୍ ସଂଗ୍ରହରେ ଚଳିତ ବର୍ଷ ଏପ୍ରିଲରେ ବାର୍ଷିକ ଆଧାରରେ ୮.୬ ପ୍ରତିଶତ ବୃଦ୍ଧି ହୋଇଛି । ଦୁଇ ଚକିଆ ଏବଂ ତିନି ଚକିଆ ସେଗମେଣ୍ଟରେ ମଜଭୁତ ବୃଦ୍ଧି କାରଣରୁ ଏପ୍ରିଲରେ ବାହାନ ବିକ୍ରିରେ ବାର୍ଷିକ ଆଧାରରେ ୨୫.୪ ପ୍ରତିଶତ ବୃଦ୍ଧି ହୋଇଛି ।

ରିଜର୍ଭ ବ୍ୟାଙ୍କର ଡେପୁଟୀ ଗଭର୍ଣ୍ଣର ମାଇକେଲ ଦେବବ୍ରତ ପାତ୍ରଙ୍କ ନେତୃତ୍ୱାଧୀନ ଟିମ୍ ଲେଖିଛି ଯେ,'ଭାରତ ଆର୍ଥିକ ଉଡାଣ ଉଡିବାକୁ ଯାଉଛି ସେହି ଆଶା ବଢିଛି । ସଦ୍ୟ ଡାଟା ଦର୍ଶାଉଛି ଯେ ଦେଶର ସକଳ ଚାହିଦା ବଢୁଛି । ଅଣ-ଖାଦ୍ୟାନ୍ନ ସାମଗ୍ରୀ ଉପରେ ଖର୍ଚ୍ଚ ଯୋଗୁଁ ଗାଁରେ ବ୍ୟୟରେ ସୁଧାର ଦେଖିବାକୁ ମିଳୁଛି । ହେଡଲାଇନ ମୁଦ୍ରାସ୍ଫୀତିରେ ଚଳିତ ବର୍ଷ ଏପ୍ରିଲରେ ସାମାନ୍ୟ ହ୍ରାସ ହୋଇଛି । ଏହା ଲକ୍ଷ୍ୟ ସ୍ତରକୁ ଧୀରେ ଧୀରେ ପହଞ୍ଚିବାରେ ଆମ ଆଶାର ଅନୁରୂପ ଅଟେ ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.