ବିଦେଶରେ ୩୧.୭ ବିଲିୟନ ଡଲାର ଖର୍ଚ୍ଚ କରିଛନ୍ତି ଭାରତୀୟ, ଜାଣନ୍ତୁ କେଉଁଥିରେ କରିଛନ୍ତି ଖର୍ଚ୍ଚ

Published By : Prameya-News7 Bureau | May 22, 2024 IST

ନୂଆଦିଲ୍ଲୀ: ଭାରତୀୟମାନେ ଆର୍ଥିକ ବର୍ଷ ୨୦୨୪ରେ ଲିବରଲାଇଜ୍‌ଡ ରେମିଟାନ୍ସ ସ୍କିମ୍ (LRS) ମାଧ୍ୟମରେ ବିଦେଶରେ ରେକର୍ଡ ୩୧.୭ ବିଲିୟନ ଡଲାର ଖର୍ଚ୍ଚ କରିଛନ୍ତି । ଯାହା ଗତ ବର୍ଷ ତୁଳନାରେ ୧୭ ପ୍ରତିଶତ ଅଧିକ । ଗତ ଆର୍ଥିକ ବର୍ଷରେ ଏହି ରାଶି ୨୭.୧ ବିଲିୟନ ଡଲାର ଥିଲା । ଟ୍ୟାକ୍ସ କଲେକ୍ସନ ଅନ୍ ସୋର୍ସ (ଟିସିଏସ) ଲାଗୁ ହେବା ପରେ ବି ବିଦେଶରେ ଖର୍ଚ୍ଚରେ ଏହି ବୃଦ୍ଧି ହୋଇଛି । ତେବେ ଡାଟା ବିଶ୍ଲେଷଣରୁ ଜଣାପଡ଼ିଛି ଯେ ଭାରତୀୟ ୨୦୨୩ ଅକ୍ଟୋବରରେ ଟିସିଏସ୍ ଲାଗୁ ହେବା ପରେ ମାସିକ ହାରାହାରି ଖର୍ଚ୍ଚରେ ହ୍ରାସ ଘଟିଛି । ରେମିଟାନ୍ସର ବାର୍ଷିକ ଡାଟାରୁ ଜଣାପଡ଼ିଛି ଯେ ଭାରତୀୟ ଆର୍ଥିକ ବର୍ଷ ୨୪ରେ ବିଦେଶରେ ବୁଲିବା ଉପରେ ୧୭ ବିଲିୟନ୍ ଡଲାର ଖର୍ଚ୍ଚ କରିଛନ୍ତି । ଯାହା ଗତ ବର୍ଷର ୧୩.୬ ବିଲିୟନ ଡଲାରଠାରୁ ୨୪.୫ ପ୍ରତିଶତ ଅଧିକ । ମହାମାରୀ ଆରମ୍ଭ ପୂର୍ବରୁ ଆର୍ଥିକ ବର୍ଷ ୨୦୨୦ରେ ଏଲଆରଏସ ଅଧିନରେ ଖର୍ଚ୍ଚରେ ଅନ୍ତରାଷ୍ଟ୍ରୀୟ ଯାତ୍ରାର ଭାଗ ୩୭ ପ୍ରତିଶତ ବଢି ଆର୍ଥିକ ବର୍ଷ ୨୦୨୪ରେ ୫୩.୬ ପ୍ରତିଶତ ହୋଇଛି । କରୋନା କାଳରେ କଟକଣା କାରଣରୁ ଆର୍ଥିକ ବର୍ଷ ୨୦୨୧ରେ ଅନ୍ତରାଷ୍ଟ୍ରୀୟ ଯାତ୍ରା ଉପରେ ଖର୍ଚ୍ଚ କମି ୩.୨ ଡଲାର ରହିଥିଲା ।

ଅନ୍ୟପଟେ ବିଦେଶରେ ଶିକ୍ଷା ପାଇଁ ଯାଉଥିବା ରେମିଟାନ୍ସର ପ୍ରତିଶତ ଲଗତାର କମ ହେଉଛି । ଆର୍ଥିକ ବର୍ଷ ୨୦୨୧ରେ ଶିକ୍ଷା ପାଇଁ ରେମିଟାନ୍ସ ୩୦ ପ୍ରତିଶତ ଥିଲା । ଆର୍ଥିକ ବର୍ଷ ୨୦୨୨ରେ ଯାତ୍ରା କଟକଣା ହଟାଯିବା ପରେ ଏହା କମି ୨୬ ପ୍ରତିଶତ ହୋଇଥିଲା । ସେହିପରି ଆର୍ଥିକ ବର୍ଷ ୨୦୨୩ରେ ଶିକ୍ଷା ଉପରେ ଖର୍ଚ୍ଚ ପୂର୍ବ ବର୍ଷର ୫.୨ ବିଲିୟନ ଡଲାରରୁ କମି ୩.୪ ବିଲିୟନ ଡଲାର ରହିଛି । ଯେଉଁଥି ପାଇଁ ମୋଟ ଖର୍ଚ୍ଚର ଭାଗ କମି ୧୨ ପ୍ରତିଶତ ରହିଛି । ସେହିପରି ଆର୍ଥିକ ବର୍ଷ ୨୪ରେ ବିଦେଶ ପାଠ ପଢା ଉପରେ ମୋଟ ଖର୍ଚ୍ଚ ୩.୫ ବିଲିୟନ ଡଲାରରେ ସ୍ଥିର ରହିଛି । ଭାରତୀୟମାନେ ଫିସ୍ ତୁଳନାରେ ବିଦେଶରେ ସମ୍ପର୍କୀୟଙ୍କ ଦେଖାଶୁଣା ଉପରେ ଅଧିକ ଖର୍ଚ୍ଚ କରିଛନ୍ତି । ଏଥିରେ ପ୍ରାୟ ୪.୬ ବିଲିୟନ ଡଲାର ଖର୍ଚ୍ଚ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.