ଭୁବନେଶ୍ୱର ୨୩ ।୦୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଗୁରୁବାର ସନ୍ଧ୍ୟାରେ ଶେଷ ହେବ। ତୃତୀୟ ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭାରେ ଭୋଟ୍ ହେବ।
ତେବେ ତୃତୀୟ ପର୍ଯ୍ୟାୟ ଲଢୁଥିବା ହେଭିୱେଟ୍ ପ୍ରାର୍ଥୀ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ , ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅଶୋକ ପଣ୍ଡା, ବାସନ୍ତୀ ହେମ୍ବ୍ରମ, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ରୋହିତ ପୂଜାରୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, କଟକ ସାଂସଦ ଭର୍ତ୍ତୃହରିତ ମହତାବ, ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, ସଂତୃପ୍ତ ମିଶ୍ର ପ୍ରମୁଖ ଅଛନ୍ତି । ତେବେ ଲଢେଇ ହେଉଥିବା ଏହି ଆସନଗୁଡିକ ମଧ୍ୟରୁ ୨୦୧୯ରେ ବିଜେପି ୨ଟି ଓ ବିଜେଡି ୪ଟି ଲୋକସଭା ସିଟ୍ ଜିତିଥିଲା । ସମ୍ବଲପୁର ଓ ଭୁବନେଶ୍ୱର ଲୋକସଭା ଆସନ ବିଜେପି ଦଖଲରେ ଥିବା ବେଳେ କେନ୍ଦୁଝର, ଢେଙ୍କାନାଳ, କଟକ ଓ ପୁରୀ ଆସନ ବିଜେଡି ଦଖଲରେ ରହିଛି । ସେହିପରି ୪୨ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି ୩୪ଟି, ବିଜେପି-୬, ଓ କଂଗ୍ରେସ-୨ଟି ଆସନ ଅକ୍ତିଆର କରିଥିଲା।