ପୁରୀ ୦୧।୦୬ : ରଥତ୍ରୟର ୪୨ ଚକ ସହ ୨୧ ଅଖ ସଂଯୋଗ ଶେଷ ହୋଇଛି । ଭଉଁରୀ ଉତ୍ସବରେ ନାହାକା ଚକ ଓ ଅଖ ସଂଯୋଗ ହୋଇଥିଲା । ରବିବାର ତିନି ରଥର ବାକି ୩୬ଟି ଚକ ସହ ୧୮ ଅଖ ସଂଯୋଗ କରାଯାଇଛି । ଏହା ରଥ ଠିଆ ହେବାର ପ୍ରଥମ କାର୍ଯ୍ୟ । ଭିନ୍ନ ଭିନ୍ନ ସ୍ଥାନରେ ତିନି ରଥର ଚକ ଓ ଅଖ ସଂଯୋଗ ହୋଇ ପ୍ରସ୍ତୁତ ରହିଛି । ଭୋଇ ସେବକମାନେ ବିଶ୍ୱକର୍ମାଙ୍କ ପରାମର୍ଶ କ୍ରମେ ଚକ ଅଖ ସଂଯୋଗ କାର୍ଯ୍ୟ ଶେଷ କରିଛନ୍ତି । ଏଥିସହ କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ ଓ ପୁରୀ ଏସ୍ପି ପ୍ରତୀକ ସିଂହ ରଥଖଳାକୁ ଆସି ରଥ ନିର୍ମାଣର ଅଗ୍ରଗତି ନେଇ ନିର୍ମାଣକାରୀଙ୍କ ସହ ଆଲୋଚନା କରିଥିଲେ ।

ଭୋଇ ସର୍ଦ୍ଦାର ରବି ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଳିଷ୍ଠ ଭୋଇ ସେବକମାନେ ଚକ ଓ ଅଖକୁ ଟେକି ଆଣିଥିଲେ । ଦକ୍ଷ ବିଶ୍ୱକର୍ମାମାନେ ବୁଝାଇଥିଲେ କେଉଁ ସ୍ଥାନରେ କେଉଁ ଅଖ ଓ ଚକ କିଭଳି ରହିବ । ପ୍ରଥମରେ ନାହାକା ଚକ, ପରେ ପଡ଼ିନାହାକା ଓ ପରକୁ ପର ବଡ଼ ଉଛୁଳା ଓ ସାନ ଉଛୁଳା ଚକ ରଖାଯାଇଛି । ସାନ ଉଛୁଳା ହେଉଛି ରଥ ସମ୍ମୁଖରେ ରହିଥିବା ବ୍ରେକ୍ ଚକ । ଦେବୀ ସୁଭଦ୍ରାଙ୍କ ୧୨ ଚକ ମଧ୍ୟରେ ପଡ଼ିନାହାକା ନଥିବା ସ୍ଥଳେ ନନ୍ଦିଘୋଷ ଓ ତାଳଧ୍ୱଜର ଏହି ଭଳି ଚାରି ପ୍ରକାର ଚକ ରହୁଛି । ଚକ ଓ ଅଖ ଥାକ ହେଲେ ମେଣ୍ଢି (ଅଖ ତଳେ ରହିବାକୁ ଥିବା କାଠ) ସ୍ଥାପନା ହୋଇ ଦଣ୍ଡା ପଡ଼ିବ କୁହନ୍ତି ଭୋଇ ସର୍ଦ୍ଦାର ରବି ଭୋଇ ।

Also Read:-Fire Tragedy in Cuttack : ସାତ ଘଣ୍ଟା ପରେ ବିଲ୍ଡିଂରୁ ଲିଭୁନି ନିଆଁ, ଜଳିଗଲା ବ୍ୟାଙ୍କରେ ଥିବା ଟଙ୍କା !

ଦଣ୍ଡା ଫ୍ରେମ୍ ପ୍ରସ୍ତୁତ ପରେ ନମ୍ବରିଂ ହେବା ସହ କଳସା (ମାପ ଅନୁସାରେ ସାଇଜ୍‌ରେ କାଟିବା) ହୋଇ ଖୋଲା ଆରମ୍ଭ ହୋଇଛି । ବିଶ୍ୱକର୍ମାମାନେ ରଥ ଚାଳିରେ ଗୟଳ ଚଉପଟ କରୁଛନ୍ତି । ତାଳଧ୍ୱଜର ୭ଟି ଗୟଳ ଚଉପଟ ସରିଥିବା କହିଛନ୍ତି ଅଭିଜ୍ଞ ବିଶ୍ୱକର୍ମା ବାଳକୃଷ୍ଣ ମହାରଣା । ଭୋଇ ସେବକମାନେ ଗୟଳ ଚିରଟ ପାଇଁ କରତି ସେବକଙ୍କୁ ୪୦ ଫୁଟିଆ କାଠ ଯୋଗାଉଛନ୍ତି । ଚାଳିର ଆବଶ୍ୟକତାକୁ ଦେଖି ଶାଳରେ ଲୁହା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ଓଝା ସେବକ । ରୂପକାର ସେବକମାନେ ରଥାଂଶକୁ ଅଧିକ ସୁନ୍ଦର କରିବାକୁ ମୂର୍ତ୍ତି ଖୋଦେଇରେ ନିମଗ୍ନ ।