ମୋହନା: କଥାରେ ଅଛି ଅଙ୍ଗଦାନ ମହତ ଦାନ । ଏହି କଥାକୁ ପ୍ରମାଣିତ କରିବା ସହ ଅଙ୍ଗଦାନ କରି ଚର୍ଚ୍ଚାରେ ଜଣେ ଚାଷୀ । ଅଙ୍ଗଦାନ କରି ଗଜପତି ଜିଲ୍ଲା ମୋହନା ଥାନା ଜାଲିବାଡି ଗାଁର ରମେଶ ରଣସିଂ ହୋଇଗଲେ ଅମର । ଗତ ୩୧ ରେ ନିଜ ସମ୍ପର୍କୀୟଙ୍କ ସହ ବାଇକରେ ଯାଉଥିଲେ ରମେଶ । ବଡସିନ୍ଧବା ନିକଟରେ ଅନ୍ୟ ଏକ ବାଇକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଉଭୟ ଗୁରୁତର ଆହତ ହୋଇଥିଲେ ।

ରମେଶଙ୍କୁ ପ୍ରଥମେ ଚନ୍ଦ୍ରଗିରି ମେଡିକାଲ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ଏହାପରେ ଶ୍ରୀକାକୁଲମ ମେଡିକାଲରେ ଚିକିତ୍ସାଧୀନ ଥିଲେ ରମେଶ । ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀକାକୁଲମ ମେଡିକାଲରେ ଗତକାଲି ରମେଶଙ୍କ ମୃତ୍ୟୁ ହୋଇଥିଲା । ତେବେ ରମେଶ ନିଜର ହୃତପିଣ୍ଡ ଓ କୀଡନି ଦାନ କରିଥିବା କହିଛନ୍ତି ରମେଶଙ୍କ ପୁଅ । ଅଙ୍ଗଦାନ କରି ତାଙ୍କ ବାପା ଅନ୍ୟର ଜୀବନ ବଞ୍ଚାଇବା ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଥିବା କହିଛନ୍ତି ତାଙ୍କ ପୁଅ । ଗାଁରେ ମରଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କର ଏହି ମହତ ଦାନ ପାଇଁ ମୋହନା ଥାନା ପୋଲିସ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି l