ନୂଆଦିଲ୍ଲୀ: 'ରାମାୟଣ: ପାର୍ଟ-୧'ର ନିର୍ମାତାମାନେ ଏହି ଚଳଚ୍ଚିତ୍ରକୁ ବିଶ୍ୱବ୍ୟାପୀ ରିଲିଜ୍ କରିବା ପାଇଁ କୌଣସି ସୁଯୋଗ ହାତଛାଡ଼ା କରୁନାହାନ୍ତି। ବିଶାଳ ବଜେଟ୍ ଏବଂ ଅନ୍ତର୍ଜାତୀୟ ସ୍ତରର ପ୍ରସ୍ତୁତି ସହ ନିର୍ମିତ ଏହି ଚଳଚ୍ଚିତ୍ର ଚୀନ୍ ସମେତ ସାରା ବିଶ୍ୱରେ ମୁକ୍ତିଲାଭ କରିବ। ନିକଟରେ ଚୀନରେ ଏହି ଫିଲ୍ମର ପ୍ରଥମ ଟ୍ରେଲର ରିଲିଜ୍‌ ହୋଇଥିଲା, ଯାହାକୁ ସେଠାରେ ଅଭୂତପୂର୍ବ ପ୍ରତିକ୍ରିୟା ମିଳିଛି। ରିଲିଜ୍ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଟ୍ରେଲରଟି ୧୦ ଲକ୍ଷରୁ ଅଧିକ (୧ ନିୟୁତ) ଭିୟୁଜ୍ ଅତିକ୍ରମ କରିସାରିଛି। ଦର୍ଶକମାନେ ଫିଲ୍ମର ନିର୍ମାଣ ଶୈଳୀ ଓ ଭିଜୁଆଲସକୁ ପ୍ରଶଂସା କରିବା ସହ ଏହାକୁ ଚୀନର ସ୍ଥାନୀୟ ସୁପରହିଟ୍ ଫିଲ୍ମଗୁଡ଼ିକଠାରୁ ବି ଶ୍ରେଷ୍ଠ ବୋଲି କହିଛନ୍ତି।

ଜଣେ ଚୀନ୍ ସୋସିଆଲ ମିଡିଆ ୟୁଜର 'ରାମାୟଣ'କୁ ସେଠାକାର ପ୍ରସିଦ୍ଧ 'ଫେଙ୍ଗସେନ୍' ଫିଲ୍ମ ସିରିଜ୍ ସହ ତୁଳନା କରି ଲେଖିଛନ୍ତି, ‘ଏହାର ସ୍ପେଶାଲ ଇଫେକ୍ଟସ ୩୬୦ ନିୟୁତ ଡଲାର ବଜେଟରେ ତିଆରି ଫେଙ୍ଗସେନ୍ ତୁଳନାରେ ବହୁତ ଭଲ।’ ଅନ୍ୟ ଜଣେ ପ୍ରଶ୍ନ କରିଛନ୍ତି, ‘ନିଜ ଦେଶର ନିର୍ଦ୍ଦେଶକମାନେ 'ଇନଭେଷ୍ଟିଚର ଅଫ୍ ଦି ଗଡ୍ସ' ପାଇଁ ଏହିପରି ଭିଜୁଆଲ୍ ଇଫେକ୍ଟସ ଚାହୁଁଥିଲେ କି ? ଗତ ଦୁଇ ବର୍ଷ ମଧ୍ୟରେ ଆମ ଦେଶରେ ନିର୍ମିତ ଫିଲ୍ମଗୁଡ଼ିକ ଅପେକ୍ଷା ଏହା କିପରି ଏତେ ଭଲ ଦେଖାଯାଉଛି ?’

ନିଜ ଦେଶର ସିନେମା ନିର୍ମାତାମାନେ ଚୀନ୍ ପୌରାଣିକ କାହାଣୀଗୁଡ଼ିକୁ ଏପରି ଭବ୍ୟ ରୂପ ଦେଇପାରୁନଥିବାରୁ ଅନେକ ଦୁଃଖ ପ୍ରକାଶ କରିଛନ୍ତି। ଜଣେ କ୍ଷୋଭର ସହ ଲେଖିଛନ୍ତି, ‘ଆମ ନିର୍ଦ୍ଦେଶକମାନଙ୍କ ମନରେ ନିଜ ନିଜର ପୌରାଣିକ କାହାଣୀ ପ୍ରତି କୌଣସି ସମ୍ମାନ ନଥିବାରୁ ଆମେ ଏପରି ମହାକାବ୍ୟ ନିର୍ମାଣ କରିପାରୁନାହୁଁ।’

ଜଣେ ବ୍ୟକ୍ତି 'ରାମାୟଣ'କୁ "ଭାରତର ନିଜସ୍ୱ ଓଡିସି ବୋଲି ଆଖ୍ୟା ଦେଇଥିବା ବେଳେ ଅନ୍ୟ ଜଣେ କହିଛନ୍ତି, ‘ଏହାର ସୁଟିଂ 'ଲେଜେଣ୍ଡାରୀ' ପ୍ରୋଡକ୍ସନ୍ସଠାରୁ ବି ଭଲ।’ ସୂଚନାଯୋଗ୍ୟ, 'ଲେଜେଣ୍ଡାରୀ ଏଣ୍ଟରଟେନମେଣ୍ଟ' 'କ୍ଲାସ୍ ଅଫ୍ ଦି ଟାଇଟନ୍ସ', 'ଗର୍ଜିଲା' ଏବଂ 'ଜୁରାସିକ୍ ୱାର୍ଲ୍ଡ' ପରି ପ୍ରସିଦ୍ଧ ହଲିଉଡ୍ ଫିଲ୍ମ ନିର୍ମାଣ କରିଛି।

ନମିତ ମାଲହୋତ୍ରାଙ୍କ ଦ୍ୱାରା ନିର୍ମିତ ଏବଂ ନୀତେଶ ତିୱାରୀଙ୍କ ଦ୍ୱାରା ନିର୍ଦ୍ଦେଶିତ 'ରାମାୟଣ: ପାର୍ଟ-୧'ରେ ରଣବୀର କପୁର ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରୁଥିବା ବେଳେ, ସାଇ ପଲ୍ଲବୀ 'ସୀତା' ଭୂମିକା ମାଧ୍ୟମରେ ବଲିଉଡ୍‌ରେ ପାଦ ଥାପୁଛନ୍ତି। ସାଉଥ୍ ସୁପରଷ୍ଟାର୍ ୟଶ ଏହାର ସହ-ପ୍ରଯୋଜକ ଥିବା ବେଳେ 'ରାବଣ' ଭୂମିକାରେ ନଜର ଆସିବେ। ଏହି  ଫିଲ୍ମରେ ରବି ଦୁବେ, ସନ୍ନି ଦେଓଲ, ଅରୁଣ ଗୋଭିଲ, ଲାରା ଦତ୍ତ, ରକୁଲ ପ୍ରୀତ ସିଂହ, ବିବେକ ଓବରୋୟ ଏବଂ କୁନାଲ କପୁର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। 'ରାମାୟଣ: ପାର୍ଟ-୧' ଦୀପାବଳି ପୂର୍ବରୁ ନଭେମ୍ବର ୬ ତାରିଖରେ ସାରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଛି।