ଭୁବନେଶ୍ବର ୪।୩: ଯିଏ ଘୋଡ଼ା ବେପାରରେ ସାମିଲ ହେବ, ତାର ରାଜନୈତିକ କ୍ୟାରିୟର ଏଣ୍ଡ୍‌ । ଏଭଳି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ । ସେ କହିଛନ୍ତି, ପୂର୍ବରୁ ଚାଟାର୍ଡ ଫ୍ଲାଇଟ୍ ଓ ଲୋଭର ବଶବର୍ତ୍ତୀ ହୋଇ କିଛି କଂଗ୍ରେସ ବିଧାୟକ ଦଳ ବିରୋଧରେ ଭୋଟ୍ ଦେଇଛନ୍ତି । ପରେ ସେମାନେ ନିଜ ଅଞ୍ଚଳରେ ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଛନ୍ତି । ମୁଁ କେବେ ଘୋଡ଼ା ବେପାରରେ ସାମିଲ ହୋଇନି । ଦଳ ବିରୋଧରେ ଭୋଟ୍ ଦେଇନି । ଯିଏ କ୍ରସ୍ ଭୋଟିଂ କରିଛି ସେମାନେ ରାଜନୀତିରୁ ବହୁ ଦୂରକୁ ଚାଲି ଯାଇଛନ୍ତି । ଦଳ ବିରୋଧରେ ଭୋଟ୍ ଦେବା ରାଜନୀତିରେ କଳଙ୍କିତ ଅଧ୍ୟାୟ ଅଟେ ।

ସେ ଆହୁରି ମଧ୍ୟ କହିଛନ୍ତି, ଡାକ୍ତର ଦତ୍ତେଶ୍ବର ହୋତା ଜଣେ ଜ୍ଞାନୀ ଗୁଣି ଲୋକ । ସେ ଜଣେ ଯୋଗ୍ୟ ପ୍ରାର୍ଥୀ । ଦିଲ୍ଲୀପ ରାୟଙ୍କ ସହିତ ତାଙ୍କର ଲଢେଇ ହେବ । ଆମେ ସବୁ କଂଗ୍ରେସ ବିଧାୟକ ଡ. ହୋତାଙ୍କୁ ଭୋଟ୍ ଦେବୁ ବୋଲି ରାମଚନ୍ଦ୍ର କାଡାମ୍ କହିଛନ୍ତି ।