କୋଣାର୍କ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ ହେଉଥିବା ବେଳେ ନିମାପଡ଼ା ବିଜେଡିରେ ଏବେ ବଡ଼ ଧରଣର କମ୍ପନ ସୃଷ୍ଟି ହୋଇଛି। ପୂର୍ବତନ ବିଜେଡି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କୁ ଦଳରୁ ନିଲମ୍ବିତ କରାଯିବା ପରେ ସ୍ଥାନୀୟ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଓ ଆଲୋଚନା ଜୋର ଧରିଛି। ପ୍ରଶ୍ନ ଉଠୁଛି, ଦିଲ୍ଲୀପଙ୍କ ରାଜନୈତିକ ରାସ୍ତାରେ କଣ୍ଟା ସାଜିଲା କିଏ ଏବଂ ଏହି ନିଲମ୍ବନ ପଛର ଅସଲ କାରଣ କ'ଣ। ଅନ୍ୟପଟେ ସମୀର ରଞ୍ଜନ ଦାଶଙ୍କ ଘର ବାହୁଡ଼ା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁଯାୟୀ, ଏକ ଠକେଇ ମାମଲାରେ ଦୀର୍ଘ ଏକ ବର୍ଷ ଜେଲରେ ରହିବା ପରେ ଦିଲ୍ଲୀପ ନାୟକ ସର୍ତ୍ତମୂଳକ ଜାମିନରେ ମୁକୁଳିଥିଲେ। ଜେଲରୁ ଫେରିବା ପରେ ସେ ପୁଣି ଥରେ ନିମାପଡ଼ାରେ ସକ୍ରିୟ ହୋଇ ଦଳୀୟ ସଂଗଠନକୁ ଏକଜୁଟ କରିବା ଆରମ୍ଭ କରିଥିଲେ। ତେବେ ଠିକ୍ ଏହି ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ଦିଲ୍ଲୀପ ଜେଲରେ ଥିବା ସମୟରେ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଏବେ ନିଲମ୍ବିତ କରିବାକୁ ନେଇ ଦିଲ୍ଲୀପଙ୍କ ସମର୍ଥକମାନେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। 

Also Read: ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ପ୍ରଶ୍ନ କଲେ ଅରୁଣ ସାହୁ, କହିଲେ- ଯିବି କି ନାହିଁ ନିଜେ ନିଷ୍ପତ୍ତି ନେବେ 

ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ପ୍ରଭାତୀ ପରିଡ଼ାଙ୍କ ମଧ୍ୟରେ ଥିବା ରାଜନୈତିକ ବିବାଦ ମଧ୍ୟରେ ସମୀର ଦାଶଙ୍କ ବିଜେଡିକୁ ଘରବାହୁଡ଼ା ପାଇଁ ରାସ୍ତା ସଫା କରାଯାଉ ଥାଇପାରେ ବୋଲି ଚର୍ଚ୍ଚା ଚାଲିଛି। ଯଦିଓ ସମୀର ଦାଶ ଏହାକୁ ଦଳର ନିଷ୍ପତ୍ତି ବୋଲି କହି କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି।

ଦିଲ୍ଲୀପ ଜେଲ୍ ଯିବା ପରେ ସୁବ୍ରତ ଛାଟୋଇ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ନିକଟରେ ସୁବ୍ରତଙ୍କ ଏକ ଫେସବୁକ୍ ଟିପ୍ପଣୀକୁ ନେଇ ଦିଲ୍ଲୀପଙ୍କ ସମର୍ଥକମାନେ ସନ୍ଦେହ କରୁଛନ୍ତି ଯେ ଦଳ ଭିତରେ ରହି କେହି ଦିଲ୍ଲୀପଙ୍କ ପତ୍ତା କାଟିବାକୁ ଉଦ୍ୟମ କରିଛନ୍ତି।

Also Read:ଭତ୍ତାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ, ଖର୍ଚ୍ଚର ହିସାବ ରଖିଲା ଶାସକ ଦଳ

ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ମତରେ, ପୂର୍ବ ନିର୍ବାଚନରେ ଦିଲ୍ଲୀପଙ୍କ ପାଇଁ ସମୀର ଦାଶଙ୍କ ଟିକେଟ କଟିଥିଲା। ବର୍ତ୍ତମାନ ସମୀର ଦାଶ ଓ ପ୍ରଭାତୀ ପରିଡ଼ାଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ଝଡ଼ ଏବଂ ସମୀରଙ୍କ ମଜବୁତ ସଂଗଠନକୁ ଦୃଷ୍ଟିରେ ରଖି ବିଜେଡି ତାଙ୍କ ପାଇଁ ବାଟ ଫିଟାଇ ଥାଇପାରେ।

ସେପଟେ ବିଜେଡିରୁ ନିଲମ୍ବିତ ପରେ ଦିଲ୍ଲୀପ ନାୟକ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ ଅନ୍ୟପଟେ କଂଗ୍ରେସ ନେତା ବିଶ୍ୱ ଦାଶ କହିଛନ୍ତି ଯେ ଦିଲ୍ଲୀପ ନାୟକ ଚୁପ୍ ବସିବେ ନାହିଁ ଏବଂ ସେ ପୂର୍ବରୁ କଂଗ୍ରେସରେ ଥିବାରୁ ପୁଣିଥରେ କଂଗ୍ରେସକୁ ଫେରିପାରନ୍ତି ବୋଲି କହିଛନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିମାପଡ଼ା ବିଜେଡିରେ ଦେଖାଦେଇଥିବା ଏହି ଗୋଷ୍ଠୀ କନ୍ଦଳ ଓ ଅନିଶ୍ଚିତତା ଏବେ ସାଧାରଣ କର୍ମୀଙ୍କୁ ଚିନ୍ତାରେ ପକାଇଛି। ଆଗାମୀ ଦିନରେ ନିମାପଡ଼ା ରାଜନୀତି କେଉଁ ମୋଡ଼ ନେଉଛି ଏବଂ ଦିଲ୍ଲୀପ ନାୟକଙ୍କ ପରବର୍ତ୍ତୀ ପଦକ୍ଷେପ କ'ଣ ରହୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।