ଲକ୍ଷ୍ନୌ: ଅଯୋଧ୍ୟା ରାମ ମନ୍ଦିରରେ ଦାନ କରାଯାଇଥିବା ଧନ ରାଶିର କଥିତ ଚୋରି ଗଣନା ପ୍ରକ୍ରିୟା କାଳରେ ନୁହେଁ ବରଂ ନୋଟ ଗଣତି ମେସିନରେ ଟଙ୍କା ଲଗାଇବା ପୂର୍ବରୁ ହେଉଥିଲା। ଏହା କହିଛନ୍ତି ଏହି ପ୍ରଣାଳୀ ସହ ପରିଚିତ ଆରଏସଏସର ଜନୈକ ବରିଷ୍ଠ ପଦଧିକାରୀ। ନୋଟଗୁଡିକୁ ମେସିନରେ ଚଢାଇବା ପୂର୍ବରୁ ସମ୍ବେଦନଶୀଳ ମୁହୁର୍ତ୍ତରେ ଏହି ଚୋରି ହେଉଥିଲା। ପଦାଧିକାରୀଙ୍କ ଅନୁସାରେ ଏସବିଆଇ ଆଉଟ ସୋର୍ସିଂ ଏଜେନ୍ସୀ ଦ୍ୱାରା ସଞ୍ଚାଳିତ ଗଣତି ମେସିନରେ ଟଙ୍କା ପ୍ରବେଶ କରିବାମାତ୍ରେ ରାଶି ଅଟୋମେଟିକ୍ ରେକର୍ଡ ହୋଇଯାଉଥିଲା। ଏଣୁ ହେରଫେରର ସନ୍ଦେହ ହ୍ରାସ ହେଉଥିଲା।

ତେବେ ନୋଟ୍ ଖୋଲିବା ଓ ସେଗୁଡିକୁ ମୂଲ୍ୟ ରାଶି ଅନୁସାରେ ସଜାଡିବା ମାନୁଆଲି ହେଉଥିଲା। ଏହି ପର୍ଯ୍ୟାୟରେ ହିଁ ହେରଫେରର ସବୁଠୁ ଅଧିକ ସମ୍ଭାବନା ଥିଲା। ସେ କହିଛନ୍ତି ଯେ ମନ୍ଦିର ଦାନ ସଂଗ୍ରହ ପ୍ରକ୍ରିୟାରେ ସୁରକ୍ଷାର ଅନେକ ସ୍ତର ରହିଛି। ମନ୍ଦିର ଭିତରେ ରଖା ଯାଇଥିବା ଦାନ ବାକ୍ସ ଗୁଡିକ ଅଲଗା ଅଲଗା ତାଲାରେ ସୁରକ୍ଷିତ କରାଯାଇଛି। ଏଥିରୁ ଗୋଟିଏ ଚାବି ଏସବିଆଇ କର୍ମଚାରୀଙ୍କ ପାଖରେ ରହୁଥିବା ବେଳେ ଆଉ ଗୋଟିଏ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅଧିକାରୀଙ୍କ ନିକଟରେ ରହୁଥିଲା। ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଟିନ୍ନୁ ଯାଦବ ନିକଟରେ ସଂଗ୍ରହ ପ୍ରଣାଳୀ ସମ୍ପର୍କିତ ଗୋଟିଏ ଚାବି ରହୁଥିଲା।

ଦାନ ବାକ୍ସ ଖୋଲିବା ପରେ ଦାନ କରାଯାଇଥିବା ଜିନିଷକୁ ଦୋହରା ଚାବି ଥିବା ଅନ୍ୟ ବାକ୍ସକୁ ସ୍ଥାନାନ୍ତର କରି ତୀର୍ଥଯାତ୍ରୀ ସୁବିଧାକେନ୍ଦ୍ର ଷ୍ଟୋରକୁ ପଠାଇ ଦିଆଯାଉଥିଲା। ସେଠାରେ ଦାନ ଗଣନା ମେସିନ ରହିଛି। ଗଣନା ପୂର୍ବରୁ କର୍ମଚାରୀ ନୋଟ ଗୁଡିକୁ ମୂଲ୍ୟ ବର୍ଗ ଆଧାରରେ ଅଲଗା କରନ୍ତି ଓ ମୋଡି ହୋଇ ରହିଥିଲେ ସିଧା କରନ୍ତି। ୧୦,୨୦ ଓ ୫୦ ଟଙ୍କା ନୋଟ୍ କୁ ଉଚ୍ଚମୂଲ୍ୟବର୍ଗର ନୋଟ୍ ଠାରୁ ପୃଥକ କରାଯାଉଥିଲା। ସେହିପରି ମୂଲ୍ୟବାନ ବସ୍ତୁକୁ ପୃଥକ ବର୍ଗିକୃତ କରାଯାଉଥିଲା।

ତଦନ୍ତକାରୀଙ୍କ ଅନୁସାରେ ଚୋରି ଘଟଣା ମାନୁଆଲ ଟଙ୍କା ବାଛିବା କାଳରେ ହେଉଥିଲା। ଏଣୁ ଦୀର୍ଘ ସମୟ ଧରି ଅଳ୍ପଅଳ୍ପମାତ୍ରାରେ ନଗଦ ହେଫରଫେର ହୋଇଛି। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ଯାହା ତାହା ହେଉଛି ଦାନ ଚୋରି ନେଇ ଟ୍ରଷ୍ଟର କିଛି ଅଧିକାରୀଙ୍କୁ ସନ୍ଦେହ ହେବାକୁ ଲାଗିଥିଲା। ତେବେ ମାମଲା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ନୋଟ ବାଛୁଥିବା କିଛି କର୍ମଚାରୀ ସେମାନଙ୍କ ସିଫ୍ଟ ସମାପ୍ତ ହେବାର ୧ ଘଣ୍ଟା ପୂର୍ବରୁ ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ଅଧିକାରୀମାନେ ସେମାନେ ଯିବା ପୂର୍ବରୁ ସୁରକ୍ଷା କର୍ମୀଙ୍କୁ ସେମାନଙ୍କ ତଲାସୀ ନେବାକୁ କହିଥିଲେ।

ଏଥିରେ ଧରାପଡିଯିବା ଭୟରେ ଜଣେ କର୍ମଚାରୀ କଥିତ ରୂପେ ଚୋରି କରିଥିବା ନଗଦକୁ ୱାସରୁମ ଝରକା କଡରେ ଲୁଚାଇ ଦେଇଥିଲା। ତେବେ ପରେ ଜଣେ ସଫେଇ କର୍ମଚାରୀ ନଗଦ ଟଙ୍କା ଦେଖି ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଏହି ଘଟଣା ସମ୍ପର୍କରେ ଟ୍ରଷ୍ଟର ବରିଷ୍ଠ ଅଧିକାରୀଙ୍କୁ ସୂଚିତ କରାଯାଇଥିଲା। ଏହା ପରେ ପରବର୍ତ୍ତି ଯାଞ୍ଚ ଆରମ୍ଭ ହୋଇଥିଲା। ଏହା ସତ୍ତ୍ୱେ ଆରଏସଏସ ପଦାଧିକାରୀ ଦାବି କରିଛନ୍ତି ଯେ ଟ୍ରଷ୍ଟ ଆର୍ଥିକ ପାରଦର୍ଶିତା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି।

ଏସବିଆଇ, ବ୍ୟାଙ୍କ ଅଫ ବରୋଦା ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ମନ୍ଦିରର ୨୨ଟି ଆକାଉଣ୍ଟ ସଞ୍ଚାଳିତ ରହିଛି। ଏହି ଆକାଉଣ୍ଟ ଗୁଡିକୁ ନିର୍ମାଣ, ବେତନ, ଆରତୀ ଓ ପୂଜା ଖର୍ଚ୍ଚ ଭଳି ବିଶେଷ ଉଦ୍ଦେଶ୍ୟରେ ସଂରକ୍ଷିତ କରାଯାଇଛି। ପଦାଧିକାରୀ କହିଛନ୍ତି ଯେ ଚୋରି ଘଟଣା ପରେ ମନ୍ଦିର ଦାନ ପ୍ରବନ୍ଧନ ପ୍ରଣାଳୀରେ ପ୍ରକ୍ରିୟାଗୁଡିକୁ ଆହୁରି ଅଧିକ କଡ଼ାକଡ଼ି କରିବା ଓ ଯାହାବି ଅସୁବିଧା ରହିଛି ତାହା ଦୂର କରିବା ପାଇଁ ପ୍ରୟାସ ଜାରି ରହିଛି।