ଲକ୍ଷ୍ନୌ: ରାମ ମନ୍ଦିର ଦାନ ଅର୍ଥ ଚୋରି ମାମଲାରେ ଏସ୍ଆଇଟି ତଦନ୍ତର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ସବୁଠାରୁ ବଡ଼ କଥା ହେଉଛି ଏପ୍ରିଲ୍ ୨୭ରୁ ଜୁନ୍ ୫ ଭିତରେ ୪୨ ଦିନରେ ମଧ୍ୟରେ ୭୦ ଥର ଚୋରି ହୋଇଛି । ଏନଡିଟିଭି ରିପୋର୍ଟ ଅନୁସାରେ ଏସ୍ଆଇଟି ତଦନ୍ତରେ ଚୋରି ଏବଂ ଦାନ ଅର୍ଥ ହେର୍ଫେର୍ ନେଇ ଠୋସ୍ ପ୍ରମାଣ ମିଳିଛି । ଏହି ପ୍ରମାଣ ଆଧାରରେ ହିଁ ୮ ଜଣଙ୍କୁ ଗିରଫ କରାଯାଇଛି । ଏସ୍ଆଇଟି ଏପ୍ରିଲ୍ ୨୭ରୁ ଜୁନ୍ ୫ ଯାଏଁର ସିସିଟିଭି ଫୁଟେଜ୍ ଟିକିନିଖି ଯାଞ୍ଚ କରିଛି ଏବଂ ସେଥିରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇଛି । ଏହା ବ୍ୟତୀତ ଦାନ ରାଶି ଗଣତି ଏବଂ ପରିଚାଳନାରେ ମଧ୍ୟରେ ଅନେକ ତ୍ରୁଟି ଧରାପଡ଼ିଛି ।

ଏସ୍ଆଇଟିର ପ୍ରାରମ୍ଭିକ ତଦନ୍ତରେ କାଉଣ୍ଟିଂ ରେକର୍ଡର ତଦାରଖ ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ଧରାପଡିଛି । ରାମ ମନ୍ଦିରର ଦାନ ସାମଗ୍ରୀର ଭାଗବଣ୍ଟାରେ ମଧ୍ୟରେ ଅନିୟମିତତା ଦେଖିବାକୁ ମିଳିଛି । ଏହାର ଆଭ୍ୟନ୍ତରୀଣ ନିୟନ୍ତ୍ରଣ ପ୍ରଣାଳୀରେ ଅତ୍ୟନ୍ତ ଦୁର୍ବଳ । ଏସ୍ଆଇଟି ତଦନ୍ତରେ ନିରୀକ୍ଷଣ ସ୍ତରରେ ଉତ୍ତରଦାୟୀ ସ୍ଥିରକୁ ନେଇ ଘୋର ଅସ୍ପଷ୍ଟତା ମିଳିଥିଲା । ଏସ୍ଆଇଟିର ତଦନ୍ତ ରିପୋର୍ଟ ମିଳିବା ପରେ ହିଁ ଏଫ୍ଆଇଆର୍ ଏବଂ ପଦାଧିକାରୀଙ୍କ ଇସ୍ତଫା ଖବର ସାମନାକୁ ଆସିଛି ।

ଏସ୍ଆଇଟି ତଦନ୍ତରେ ଆଭ୍ୟନ୍ତରୀଣ ଅଡିଟ୍ ରିପୋର୍ଟ ବି ଯାଞ୍ଚ କରାଯାଇଛି । ଆର୍ଥିକ ବର୍ଷ ୨୦୨୨-୨୩, ୨୦୨୩-୨୪ ଏବଂ ୨୦୨୪-୨୫ର ଆଭ୍ୟନ୍ତରୀଣ ଅଡିଟ୍ ରିପୋର୍ଟରେ ଅନେକ ତ୍ରୁଟି ମିଳିଛି । ହୁଣ୍ଡି ସଂଖ୍ୟା ଏବଂ ଅଭିଲେଖ ସମାନ ନଥିଲା । ପର୍ଯ୍ୟାପ୍ତ ସିସିଟିଭି କଭରେଜ୍ ମିଳି ନଥିଲା । ସୁରକ୍ଷା ପ୍ରୋଟୋକଲ୍ କେବଳ କାଗଜରେ ସୀମିତ ରହିଥିବା ତଦନ୍ତରେ ଜଣାପଡ଼ିଛି ।

ରିପୋର୍ଟ ଅନୁସାରେ, ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ଦାନ ଚୋରିକୁ ନେଇ କରାଯାଉଥିବା ଦାବି ଉପରେ ବି ସ୍ପଷ୍ଟତା ହୋଇଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଅନେକ ଦାବି ଓ ତଥ୍ୟ ଭିତ୍ତିହୀନ ବୋଲି ଜଣାପଡ଼ିଛି । ଅନୁରାଗ ରସ୍ତୋଗୀଙ୍କ ଦ୍ୱାରା ଦାନ କରାଯାଇଥିବା ରୁପା ଇଟାକୁ ନେଇ ଯେଉଁ ଦାବି କରାଯାଉଥିଲା, ତାହା ମିଛି ପ୍ରମାଣିତ ହୋଇଛି । ତୀର୍ଥ କ୍ଷେତ୍ରର ରେକର୍ଡରେ ଦାନର ବିବରଣୀ ରେକର୍ଡ ହୋଇଛି । ଦୁଇ ଥର ଦାନ ମିଳିଥିଲା । ପ୍ରଥମେ ୨୦୨୦ ଜୁଲାଇ ୨୧ ଏବଂ ଦ୍ୱିତୀୟ ଥିଲା ଜୁଲାଇ ୨୮ରେ ଦାନ ମିଳିଥିଲା । ରେକର୍ଡରେ ୩୮ କିଲୋ ରୁପା ମିଳିଥିବା ଉଲ୍ଲେଖ ରହିଛି । ସେହି ବର୍ଷ ଜୁଲାଇ ୨୯ରେ ୨୫.୭୫୬ କିଲୋଗ୍ରାମ ରୁପା ଇଟା ଦାନ ଆକାରରେ ମିଳିଥିଲା । ସେହି ରୁପାକୁ ସୁରକ୍ଷିତ ଭାବେ ବ୍ୟାଙ୍କ ଲକରରେ ସୁରକ୍ଷିତ ରଖାଯାଇଛି ।