ହାଇଦ୍ରାବାଦ : ସାଉଥ ସୁପରଷ୍ଟାର ରାମ ଚରଣ ତାଙ୍କ ଲୁକ ଓ ଦମଦାର ଅଭିନୟ ପାଇଁ ସବୁବେଳେ ଲାଇମଲାଇଟରେ ରହିଥାନ୍ତି । ନିକଟରେ ତାଙ୍କର ବ୍ଲକବଷ୍ଟର ଫିଲ୍ମ ‘ପେଦ୍ଦି’ ରିଲିଜ ହୋଇଥିଲା ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ବର୍ତ୍ତମାନ ତାଙ୍କ ପରବର୍ତ୍ତୀ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ସୂଚନା ଥାଉ କି ‘ପେଦ୍ଦି’ ସୁଟିଂ ସମୟରେ ତାଙ୍କ ହାତରେ ଆଘାତ ଲାଗିବାରୁ ତାଙ୍କର ହାତ ସର୍ଜରୀ ହୋଇଥିଲା । ଏବେ ସେ ବେଡ୍ ରେଷ୍ଟରେ ଥିବା ଜଣାପଡିଛି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ଆଉ କିଛି ସମୟ ବିଶ୍ରାମ ନେବାକୁ ପଡ଼ିବ। ଏହାପରେ ସେ ତାଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ଶୁଟିଂ କାମ ଆରମ୍ଭ କରିବେ।

ଫିଲ୍ମ ‘ପେଦ୍ଦି’ର ସଫଳତା ପରେ ଏବେ ସୁକୁମାରଙ୍କ ନିର୍ଦ୍ଦେଶନାରେ ତିଆରି ହେବାକୁ ଥିବା ଫିଲ୍ମ 'RC17'କୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏପର୍ଯ୍ୟନ୍ତ ରାମ ଚରଣଙ୍କୁ ଛାଡ଼ି ଅନ୍ୟ କୌଣସି କଳାକାରଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ। ଫିଲ୍ମର ନାୟିକା ଭୂମିକା ପାଇଁ ଅନେକ ଅଭିନେତ୍ରୀଙ୍କ ନାମ ଚର୍ଚ୍ଚାରେ ଥିବାବେଳେ,ସାମ୍ନାକୁ ଆସିଥିବା ଅପଡେଟ୍ ଅନୁସାରେ ରୁକ୍ମିଣୀ ବସନ୍ତଙ୍କୁ ଫିମେଲ୍ ଲିଡ୍ ଭାବେ ଫାଇନାଲ୍ କରାଯାଇପାରେ। ନିକଟରେ କୁହାଯାଇଛି ଯେ,RC17ର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇସାରିଛି। ବର୍ତ୍ତମାନ ଫିଲ୍ମର ଟିମ୍ ମୁଖ୍ୟ କଳାକାର ଏବଂ ଟେକ୍ନିକାଲ୍ ଟିମ୍କୁ ଚୂଡ଼ାନ୍ତ କରିବାରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଖବର ମିଳିଛି ଯେ, ଫିଲ୍ମର ନାୟିକା ଭୂମିକା ପାଇଁ କନ୍ନଡ ଅଭିନେତ୍ରୀ ରୁକ୍ମିଣୀ ବସନ୍ତଙ୍କ ସହ ଆଲୋଚନା ଚାଲିଛି।

ରୁକ୍ମିଣୀ ବସନ୍ତ ବର୍ତ୍ତମାନ ଜୁନିୟର NTRଙ୍କ ଆଗାମୀ ଫିଲ୍ମ ‘Dragon’ରେ ମୁଖ୍ୟ ନାୟିକା ଭାବେ କାମ କରୁଛନ୍ତି। ଏହି କାରଣରୁ ସେ ଏପର୍ଯ୍ୟନ୍ତ ଅନ୍ୟ କୌଣସି ନୂଆ ପ୍ରୋଜେକ୍ଟରେ ସାଇନ୍ କରିନାହାନ୍ତି। ତେବେ RC17ରେ ସେ ରାମ ଚରଣଙ୍କ ସହ କେଉଁ ଅଭିନେତ୍ରୀ ଅଭିନୟ କରିବେ, ସେନେଇ ନିର୍ମାତାଙ୍କ ପକ୍ଷରୁ ଏଯାଏଁ କୌଣସି ଘୋଷଣା କରାଯାଇନାହିଁ।