ନୂଆଦିଲ୍ଲୀ: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସିକୁ ଆଉ ଝଟକା । ସାଂସଦ ପ୍ରକାଶ ଚିକ ବଡ଼ାଇକ ଗୁରୁବାର ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି । ଦଳ ମଧ୍ୟରେ ବଢୁଥିବା ଅସନ୍ତୋଷ ମଧ୍ୟରେ ସେ ଗୋଟିଏ ସପ୍ତାହ ଭିତରେ ଇସ୍ତଫା ଦେବାରେ ଟିଏମସିର ତୃତୀୟ ରାଜ୍ୟସଭା ସାଂସଦ ହୋଇଛନ୍ତି ।

ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକ୍ରିଷ୍ଣନଙ୍କୁ ଲେଖିଥିବା ଚିଠିରେ ପ୍ରକାଶ ଚିତ ତତ୍କାଳ ପ୍ରଭାବରୁ ଉପର ଗୃହରୁ ଇସ୍ତଫା ଦେଉଥିବା ଘୋଷଣା କରିଛନ୍ତି । ସେ ଲେଖିଛନ୍ତି, "ମୁଁ ଏହି ଚିଠି ମାଧ୍ୟମରେ ରାଜ୍ୟସଭାର ସଦସ୍ୟ ପଦରୁ ଇସ୍ତଫା ଦେଉଛି । ଦୟାକରି ମୋର ଇସ୍ତଫା ପତ୍ରକୁ ତୁରନ୍ତ ଗ୍ରହଣ କରନ୍ତୁ ।" ବିଦାୟୀ ସାଂସଦ ଜଣକ ନିଜ କାର୍ଯ୍ୟକାଳ ମଧ୍ୟରେ ମିଳିଥିବା ସହଯୋଗ ପାଇଁ ଅଧ୍ୟକ୍ଷ ଓ ରାଜ୍ୟସଭା ସଚିବାଳୟକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ରାଜ୍ୟସଭା ପଦରୁ ଇସ୍ତଫା ଦେବା ପରେ ପ୍ରକାଶ ଚିକ୍ କହିଛନ୍ତି ଯେ ବେଙ୍ଗଲବାସୀଙ୍କ ଜନାଦେଶକୁ ଦେଖି ମୁଁ ମୋର ବ୍ୟକ୍ତିଗତ ନିଷ୍ପତ୍ତି ନେଇଛି । ମୁଁ ନିଜ ପଦରୁ ଇସ୍ତଫା କାରଣ ଜନାଦେଶ ଟିଏମସି ସପକ୍ଷରେ ନଥିଲା । ଭାରତୀୟ ଜନତା ପାର୍ଟି ସପକ୍ଷରେ ଥିଲା, ଏଥିପାଇଁ ପଦ ଛାଡ଼ୁଛି । ଲୋକଙ୍କ ମଧ୍ୟରେ ଅସନ୍ତୋଷ ଭରି ରହିଛି । ଲୋକଙ୍କ ଆକ୍ରୋଶ ହିସାହରେ ମୁଁ ଯାହା କରିଛି ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଯାହା ମୋତେ ଆଦେଶ ଦେବେ, ସେ ହିସାବରେ ଆଗକୁ କାମ କରିବି । ଟିଏମସି ବାବଦରେ ବ୍ୟକ୍ତିଗତ ଭାବେ କିଛି କହିବି ନାହିଁ ।

ତାଙ୍କ ପୂର୍ବରୁ ଟିଏମସି ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରାୟ ଏବଂ ସୁସ୍ମିତା ଦେବଙ୍କ ଇସ୍ତଫା ଦେଇଥିଲେ । ସୁସ୍ମିତା ଦେବ ବୁଧବାର ରାଜ୍ୟସଭା ଏବଂ ଟିଏମସି ଉଭୟରୁ ଇସ୍ତଫା ଦେଇଥିଲେ । ଦିଲ୍ଲୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ଏକ ବୈଠକର କିଛି ସମୟ ପରେ ତାଙ୍କର ଇସ୍ତଫା ଆସିଥିଲା, ଯାହା ପରେ ସେ ବିଜେପି ଆଡ଼କୁ ନଇଁଥିବା ନେଇ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

ଗତ ସପ୍ତାହର ଟିଏମସିକୁ ବିଦ୍ରୋହୀ ଗୋଷ୍ଠୀ ବଡ଼ ଝଟକା ଦେଇଥିଲେ । ଦଳର ୮୦ ଜଣ ବିଧାୟକଙ୍କ ମଧ୍ୟରୁ ୫୮ ଜଣ ବିଧାୟକ ମମତାଙ୍କ ପ୍ରାର୍ଥୀଙ୍କୁ ବିରୋଧ କରିଥିଲେ । ପରେ ବହିଷ୍କୃତ ବିଧାୟକ ଋତବ୍ରତ ବାନାର୍ଜୀଙ୍କୁ ବିରୋଧୀ ନେତା ପାଇଁ ସମର୍ଥନ ଜଣାଇଥିଲେ । ସେପଟେ କାକୋଲି ଘୋଷଙ୍କ ନେତୃତ୍ୱରେ ବିଦ୍ରୋହୀ ସାଂସଦମାନଙ୍କର ଏକ ଗୋଷ୍ଠୀ ୨୦ରୁ ଅଧିକ ଲୋକସଭା ସଦସ୍ୟଙ୍କ ସମର୍ଥନ ଥିବା ଦାବି କରିଛନ୍ତି । ଏହି ସମସ୍ତ ଘଟଣାକ୍ରମ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଏକ ବଡ଼ ରାଜନୈତିକ ସଙ୍କଟ ସୃଷ୍ଟି କରିଛି ଏବଂ ଟିଏମସି ଦଳ ଏକ ବଡ଼ ଧରଣର ବିଭାଜନ ଆଡ଼କୁ ଗତି କରୁଛି।