ଭୁବନେଶ୍ବର ୨୫।୫: ବିଜେଡିକୁ ବଡ଼ ଝଟ୍‌କା । ବହୁ ଚର୍ଚ୍ଚା ଓ ଆଲୋଚନା ପରେ ଶେଷରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ରାଜ୍ୟସଭା ସଦସ୍ୟ ତଥା ତିନି ଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଦେବାଶିଷ ବିଜେଡିରୁ ରାଜ୍ୟସଭା ସାଂସଦ ଅଛନ୍ତି । ବାରବାଟୀ କଟକ ଆସନରୁ ବିଜେଡି ବିଧାୟକ ଥିଲେ ଦେବାଶିଷ । ତିର୍ତ୍ତୋଲ ଆସନରୁ ମଧ୍ୟ ବିଜେଡି ବିଧାୟକ ଥିଲେ । ଶଙ୍ଖ ଶିବିର ଛାଡ଼ି ପଦ୍ମ ଶିବିରରେ ଯୋଗ ଦେଇପାରନ୍ତି ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣକୁ ନେଇ ଦଳ ସହିତ ଅସନ୍ତୁଷ୍ଟ ଥିଲେ । ନବୀନ ଓ ତାଙ୍କ ମଧ୍ୟରେ ଧୀରେ ଧୀରେ ଦୂରତା ସୃଷ୍ଟି ହୋଇଥିଲା । ଦିନେ ପାଓ୍ୱର କରିଡରରେ ପାଓ୍ୱରଫୁଲ୍ ଥିବା ଦେବାଶିଷ ଏବେ କୁଆଡେ ଅଲୋଡ଼ା । ତାଙ୍କର ଅନୁଗତମାନଙ୍କୁ ଦଳରେ ଗୁରୁତ୍ଵ ଦିଆଯାଉନଥିଲା । ଏମିତିକି ତାଙ୍କୁ ଯେଉଁ ବରିଷ୍ଠ ଉପସଭାପତି ପଦ ଦିଆଯାଇଥିଲା, ତାହାକୁ ସେ ପ୍ରତ୍ୟାଖାନ କରିଥିଲେ । ଗତ କିଛି ମାସ ହେଲା ସେ ଦଳୀୟ ବ୍ୟାପାର ବା ସଙ୍ଗଠନରେ ମୁଣ୍ଡ ଖେଳାଉନଥିଲେ । କୌଣସି ଟିପ୍ପଣୀ ଦେବାରୁ ନିଜକୁ ଦୂରେଇ ରଖୁଥିଲେ। ତେବେ ତାଙ୍କ ନୀରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଏବେ ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋରସୋରରେ ହେଉଛି ।

ତେବେ ଦଳରୁ ଇସ୍ତଫା ନେଇ କାରଣ ଦର୍ଶାଇଛନ୍ତି ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି, ଦଳରେ ମୋତେ ଅନେକ ଦିନ ଧରି ଅଣଦେଖା କରାଯାଉଥିଲା । ମୋତେ ଲାଗୁଥିବା, ଦଳ ମୋଠାରୁ କୌଣସି ସେବା ଚାହୁଁନି । ଲୋକଙ୍କ ସ୍ବାର୍ଥ ପାଇଁ ଏଭଳି କଠିନ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।

Also Read:- ବିଜେଡିରେ କମ୍ପନ, ଦଳ ଛାଡ଼ିବେ ଦେବାଶିଷ ! ବିଜେପିରେ ମିଶିବା ନେଇ ଚର୍ଚ୍ଚା

ସେପଟେ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁବାଷ ସିଂ । ସେ କହିଛନ୍ତି, ବିଜେଡି ତାଙ୍କୁ ସବୁ ଦେଇଛି, ସେ ବିଜେଡିକୁ ଚିପୁଡ଼ି ସାରିଛନ୍ତି । ସେ ବିଜେପି ଜାଲରେ ପଡିଛନ୍ତି । ବିଜେଡି ସଂଗଠନ ଉପରେ କିଛି ପ୍ରଭାବ ନାହିଁ । ବିଜେଡି ଆହୁରି ମଜବୁତ ହେବ । ଲୋକଙ୍କର ନବୀନଙ୍କ ପ୍ରତି ଆକୁଣ୍ଠ ସମର୍ଥନ ଅଛି । ଦେବାଶିଷ ୨ବର୍ଷ ତଳୁ ବିଜେଡିରେ ନଥିଲେ, ଏବେ କେବଳ ଇସ୍ତଫା ଦେଲେ ।