ଭୁବନେଶ୍ୱର ୨୫।୦୫ : ଶଙ୍ଖ ଭବନରେ ବଡ଼ କମ୍ପନ। ବିଜେଡିଙ୍କୁ ଝଟକା ପରେ ଝଟକା। ଯେଉଁ ରାସ୍ତା ଆପଣେଇଥିଲେ ସୁଜିତ କୁମାର ଏବଂ ମମତା ମହନ୍ତ ଏବେ ସେହି ରାସ୍ତା ଆପଣେଇ ପାରନ୍ତି ଦେବାଶିଷ। ରାଜ୍ୟସଭା ସଦସ୍ୟ ତଥା ତିନି ଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିବାକୁ ଯାଉଛନ୍ତି। ଦେବାଶିଷ ଉଭୟ ବିଜେଡି ଏବଂ ରାଜ୍ୟସଭା ପଦରୁ ଇସ୍ତଫା ଦେଇପାରନ୍ତି। ସେ ଅନ୍ୟ ଏକ ଦଳ ସହ ଯୋଗାଯୋଗରେ ଥିବା ସୂଚନା ମିଳିଛି। ଶଙ୍ଖ ଶିବିର ଛାଡ଼ି ପଦ୍ମ ଶିବିରରେ ଯୋଗ ଦେଇପାରନ୍ତି ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣକୁ ନେଇ ଦଳ ସହିତ ଅସନ୍ତୁଷ୍ଟ ଥିଲେ। ନବୀନ ଓ ତାଙ୍କ ମଧ୍ୟରେ ଧୀରେ ଧୀରେ ଦୂରତା ସୃଷ୍ଟି ହୋଇଥିଲା। ଦିନେ ପାଓ୍ୱର କରିଡରରେ ପାଓ୍ୱରଫୁଲ୍ ଥିବା ଦେବାଶିଷ ଏବେ କୁଆଡେ ଅଲୋଡ଼ା । ତାଙ୍କର ଅନୁଗତମାନଙ୍କୁ ଦଳରେ ଗୁରୁତ୍ଵ ଦିଆଯାଉନଥିଲା। ଏମିତିକି ତାଙ୍କୁ ଯେଉଁ ବରିଷ୍ଠ ଉପସଭାପତି ପଦ ଦିଆଯାଇଥିଲା, ତାହାକୁ ସେ ପ୍ରତ୍ୟାଖାନ କରିଥିଲେ। ଗତ କିଛି ମାସ ହେଲା ସେ ଦଳୀୟ ବ୍ୟାପାର ବା ସଙ୍ଗଠନରେ ମୁଣ୍ଡ ଖେଳାଉନଥିଲେ। କୌଣସି ଟିପ୍ପଣୀ ଦେବାରୁ ନିଜକୁ ଦୂରେଇ ରଖୁଥିଲେ। ତେବେ ତାଙ୍କ ନୀରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଏବେ ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋରସୋରରେ ହେଉଛି।

Also Read:-India US Trade Agreement: ଭାରତ-ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି, ଜୟଶଙ୍କର ଓ ମାର୍କୋ ରୁବିଓଙ୍କ ବୈଠକ ପରେ ପ୍ରକ୍ରିୟା ଜୋରଦାର

ସେପଟେ ଏ ସଂପର୍କରେ ଦେବାଶିଷ ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିନାହିଁ। ଏନେଇ ବିଜେଡି କି ବିଜେପିର କେହି ନେତା ମଧ୍ୟ ମୁହଁ ଖୋଲୁନାହାନ୍ତି। ଦେବାଶିଷ ଯଦି ବିଜେପିରେ ଯୋଗ ଦିଅନ୍ତି, ତେବେ ତାହାର ପ୍ରଭାବ କଟକ, ତିର୍ତ୍ତୋଲ ଓ ପାରାଦୀପ ରାଜନୀତିରେ ଅନୁଭୂତ ହେବ ବୋଲି ଆକଳନ କରାଯାଉଛି।