ଭୁବନେଶ୍ବର:  ପ୍ରକିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁନାବେଡ଼ା ଠାରେ ହାଲ୍ ମାନୁଫାକ୍ଚରିଙ୍ଗ୍ ୟୁନିଟରେ ଶକ୍ତି ଇଞ୍ଜିନର ଦ୍ୱିତୀୟ ମାନୁଫାକ୍ଚରିଙ୍ଗ୍ ଲାଇନ୍ ଉଦ୍‌ଘାଟନ କରିଛନ୍ତି । ଏହା ସହିତ ସୁନାବେଡା ହାଲ୍‌ରେ ନିର୍ମିତ ୨୦୦୦ତମ ଇଞ୍ଜିନକୁ ପ୍ରତୀକାତ୍ମକ ଭାବେ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରିଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ସେ ନିଜକୁ ଏଠାରେ ଅତିଥି ଭାବେ ନୁହେଁ, ବରଂ ଏହି ହାଲ୍ ପରିବାରର ଜଣେ ସଦସ୍ୟ ଭାବେ ଅନୁଭବ କରୁଛନ୍ତି ।

ସେ କହିଛନ୍ତି ଯେ କୋରାପୁଟର ଏହି କେନ୍ଦ୍ର ଏବଂ ବିଶାଖାପାଟଣାର ଡିଫେନ୍ସ ଓ ନାଭାଲ ଇକୋସିଷ୍ଟମ୍ ମିଶି ପୂର୍ବ ଭାରତ ପାଇଁ ଏକ ନୂଆ ଔଦ୍ୟୋଗିକ ଓ ରଣନୈତିକ ପରିଚୟ ସୃଷ୍ଟି କରିବ । ୧୯୬୪ରୁ ଫ୍ରଣ୍ଟଲାଇନ ବିମାନ ପାଇଁ ଇଞ୍ଜିନ ନିର୍ମାଣ କରିଆସୁଥିବା ହାଲ୍, କୋରାପୁଟକୁ କେବଳ ଏକ ଫ୍ୟାକ୍ଟ୍ରି ନୁହେଁ, ବରଂ ଏରୋସ୍ପେସ୍ ପ୍ରପଲସନ ଇକୋସିଷ୍ଟମର କେନ୍ଦ୍ରବିନ୍ଦୁ ଭାବେ ବିକଶିତ କରିପାରିଛି ।

ସେ ଆହୁରି କହିଥିଲେ ଯେ, ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି ଏବଂ ଏହାର ଆସ୍ଥା ନିରନ୍ତର ଭାବେ ବୃଦ୍ଧି ପାଉଛି । ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଓଡ଼ିଶା ନିଜର ଭୌଗୋଳିକ ସ୍ଥିତି, ସୁଦୀର୍ଘ ସମୁଦ୍ର ଉପକୂଳ, ବିଭିନ୍ନ ପ୍ରମୁଖ ବନ୍ଦର, ବିପୁଳ ଖଣିଜ ସମ୍ପଦ, ଉନ୍ନତ ଇଞ୍ଜିନିୟରିଂ ଦକ୍ଷତା, ଶିଳ୍ପାଞ୍ଚଳ ଭିତ୍ତିଭୂମି ଏବଂ କୁଶଳୀ ମାନବ ସମ୍ବଳର ଏକ ମଜବୁତ ଆଧାର ବଳରେ ଦେଶର ପ୍ରତିରକ୍ଷା ଉତ୍ପାଦନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ସେ କହିଥିଲେ ।

 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ମେଟାଲ ଡାଉନଷ୍ଟ୍ରିମ, ସେମିକଣ୍ଡକ୍ଟର ଓ ଆଇଟି ପରି ଶିଳ୍ପର ବ୍ୟାପକ ଅଭିବୃଦ୍ଧି ହେଉଥିବା ବିଷୟରେ ଆଲୋକପାତ କରିଥିଲେ । ଏହିସବୁ ଶିଳ୍ପଗୁଡିକ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ପାଇଁ ସହାୟକ ହେବ ବୋଲି ମତ ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ ଏହି ଅବସରରେ ରାଜ୍ୟରେ ଆଉ ଏକ ପ୍ରତିରକ୍ଷା ନିର୍ମାଣ ୟୁନିଟ୍ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ଓଡିଶାରେ ଶିଳ୍ପାୟନ ପ୍ରକ୍ରିୟା ସମ୍ପର୍କରେ ଆଲୋକପାତ କରି ସେ କହିଥିଲେ ଯେ, ଆଜି ଓଡ଼ିଶାରେ ଏକ ନୂତନ ଶିଳ୍ପ ବିପ୍ଳବର ଅଭ୍ୟୁଦୟ ହୋଇଛି, ଯାହା ମେଟାଲଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ଏକ ସମୃଦ୍ଧ ଇକୋ-ସିଷ୍ଟମ୍ ତିଆରି କରୁଛି । ଭାରତର ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ ଜ୍ଞାନକୌଶଳ ଓ ଆତ୍ମନିର୍ଭରଶୀଳତାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ ଓ ପ୍ରତିରକ୍ଷା ହବ୍ ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର ବୋଲି ସେ କହିଥଲେ ।

HAL କୋରାପୁଟ ଡିଭିଜନ୍ ଦ୍ୱାରା ହାସଲ କରାଯାଇଥିବା ମାଇଲଖୁଣ୍ଟ ବିଷୟରେ ମତ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଗତ ୬୦ ବର୍ଷ ଧରି ଏହି ସଂସ୍ଥା ଦେଶର ସୁରକ୍ଷାରେ ଅତୁଳନୀୟ ଯୋଗଦାନ ଦେଇଆସୁଛି । ଆଜି ଶକ୍ତି ଇଞ୍ଜିନ୍‌ର ଦ୍ୱିତୀୟ ମାନୁଫାକ୍ଚରିଙ୍ଗ୍ ଲାଇନ୍‌ର ଉଦ୍‌ଘାଟନ ଏବଂ ୨୦୦୦ତମ ଇଞ୍ଜିନ୍‌ର ହସ୍ତାନ୍ତର ଭାରତର ବୃଦ୍ଧିପାଉଥିବା ପ୍ରତିରକ୍ଷା ସାମର୍ଥ୍ୟର ଜ୍ୱଳନ୍ତ ପ୍ରତୀକ । ଲାଇଟ୍ ହେଲିକପ୍ଟର ପାଇଁ ନିର୍ମିତ ଏହି ଦ୍ୱିତୀୟ ଲାଇନ୍ ଦ୍ୱାରା ବାର୍ଷିକ ୧୦୦ଟି ଶକ୍ତି ଇଞ୍ଜିନ୍ ଉତ୍ପାଦନ ହୋଇପାରିବ । ଏହାଛଡ଼ା AL-31 FP ଇଞ୍ଜିନ୍ ଉତ୍ପାଦନ କ୍ଷମତାକୁ ବାର୍ଷିକ ୩୦ରୁ ୫୦କୁ ବୃଦ୍ଧି କରାଯାଉଛି । ବର୍ତ୍ତମାନ HAL କୋରାପୁଟ ଡିଭିଜନ୍ ୧୬୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବାରୁ ଏହା ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେ ପ୍ରକାଶ କରିଥିଲେ ।