ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆଗକୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଘରୋଇ କମ୍ପାନୀମାନେ ଏଥିରେ ଏଣ୍ଟ୍ରି କରିବା ମାତ୍ରେ ଭାରତରେ ପ୍ରତିରକ୍ଷା କ୍ଷେତ୍ର ଖୁବ୍ ଶକ୍ତିଶାଳୀ ହୋଇଯିବ। ଯାହାର ଶୁଭାରମ୍ଭ ହୋଇଯାଇଛି।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ (DRDO) ଦ୍ୱାରା ବିକଶିତ ସମସ୍ତ ପାରମ୍ପରିକ କ୍ଷେପଣାସ୍ତ୍ର ପ୍ରଣାଳୀର ଟେକ୍ନୋଲୋଜୀ ଭାରତୀୟ ପ୍ରତିରକ୍ଷା କମ୍ପାନୀଗୁଡ଼ିକୁ ହସ୍ତାନ୍ତର କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି ପଦକ୍ଷେପ ଦେଶର ପ୍ରତିରକ୍ଷା ବ୍ୟବସ୍ଥାରେ ଭାରତୀୟ ଶିଳ୍ପର ଭୂମିକାକୁ ବଢ଼ାଇବା ସହ ଉନ୍ନତ କ୍ଷେପଣାସ୍ତ୍ର ପ୍ରଣାଳୀର ସ୍ୱଦେଶୀ ଉତ୍ପାଦନକୁ ବଳ ଦେବ। ଏହା ଦ୍ୱାରା କ୍ଷେପଣାସ୍ତ୍ର ବିକାଶ ଓ ବୃହତ୍ ପରିମାଣରେ ଶିଳ୍ପ ଉତ୍ପାଦନ ମଧ୍ୟରେ ଥିବା ବ୍ୟବଧାନ ଦୂର ହେବ। ଟେକ୍ନୋଲୋଜୀ ହସ୍ତାନ୍ତର ପରେ ଭାରତୀୟ ପ୍ରତିରକ୍ଷା କମ୍ପାନୀଗୁଡ଼ିକ ଆବଶ୍ୟକ ଯୋଗ୍ୟତା, ପ୍ରମାଣପତ୍ର ଏବଂ ନିୟାମକ ମାନଦଣ୍ଡ ପୂରଣ କରି କ୍ଷେପଣାସ୍ତ୍ର ପ୍ରଣାଳୀର ଉତ୍ପାଦନ କରିପାରିବେ।

ଏନେଇ ମନ୍ତ୍ରଣାଳୟ କହିଛି “ଏହି ବ୍ୟବସ୍ଥା କ୍ଷେପଣାସ୍ତ୍ର ପ୍ରଣାଳୀର ବିକାଶକୁ ସଫଳତାର ସହ ଶିଳ୍ପ ଉତ୍ପାଦନ ପର୍ଯ୍ୟାୟକୁ ନେବାରେ ସହାୟକ ହେବ। ଉନ୍ନତ ପ୍ରତିରକ୍ଷା ପ୍ରଣାଳୀର ବିକାଶ ଓ ଉତ୍ପାଦନ ପାଇଁ ଭାରତୀୟ ଶିଳ୍ପର କ୍ଷମତାକୁ ଉପଯୋଗ କରିବା ଦିଗରେ ଡିଆରଡିଓର ନିରନ୍ତର ପ୍ରୟାସକୁ ଏହା ପ୍ରତିଫଳିତ କରୁଛି।”

Also Read- ବିନା ପାଇଲଟରେ ଉଡ଼ିବ ଲଢ଼ୁଆ ବିମାନ ! ଆକାଶ ମାର୍ଗରେ ଶତ୍ରୁକୁ ଚକମା ଦେବ AI​​​​​​​

ମନ୍ତ୍ରଣାଳୟ କହିଛି, ଏହି ପଦକ୍ଷେପ ଦ୍ୱାରା ଦେଶର ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷମତା ମଜବୁତ ହେବା ସହ ପ୍ରତିରକ୍ଷା ଶିଳ୍ପ ଭିତ୍ତିଭୂମି ଆହୁରି ବ୍ୟାପକ ହେବ। ଡିଆରଡିଓର ବିକଶିତ କ୍ଷେପଣାସ୍ତ୍ର ପ୍ରଣାଳୀକୁ ଶିଳ୍ପ ଉତ୍ପାଦନ ପର୍ଯ୍ୟାୟକୁ ସଫଳତାର ସହ ନେବାରେ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଏହାସହ ଭାରତୀୟ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ ଅନ୍ୟାନ୍ୟ ଟେକ୍ନୋଲୋଜୀ ସହଯୋଗୀ ସଂସ୍ଥାଗୁଡ଼ିକ ପାଇଁ କ୍ଷେପଣାସ୍ତ୍ର ଯୋଗାଣ ଶୃଙ୍ଖଳରେ ଅଧିକ ଭାଗୀଦାର ହେବାର ସୁଯୋଗ ସୃଷ୍ଟି ହେବ।