ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା। ଆକାଶରେ ବଢ଼ିବ ଭାରତର ଶକ୍ତି। ଭାରତୀୟ ସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବେଙ୍ଗାଲୁରୁର 'ଫ୍ଲାଇଙ୍ଗ୍ ୱେଜ୍ ଡିଫେନ୍ସ ଆଣ୍ଡ୍ ଏରୋସ୍ପେସ୍' (Flying Wedge Defence & Aerospace) ପକ୍ଷରୁ 'FWD Supreme Lite' ନାମକ ଏକ ନୂଆ ଫ୍ଲାଇଙ୍ଗ୍ ଟେଷ୍ଟବେଡ୍ ପ୍ରସ୍ତୁତ କରାଯାଇଛି। ଏହି ଟେଷ୍ଟିଂ ମଡେଲ ଏୟାରକ୍ରାଫ୍ଟର ଓଜନ ପ୍ରାୟ ୨୫୦ କିଲୋଗ୍ରାମ ରହିଛି। ତେବେ ଏହି ନୂଆ ଏୟାରକ୍ରାଫ୍ଟ ମାଧ୍ୟମରେ ଭବିଷ୍ୟତର AI ଚାଳିତ ଯୁଦ୍ଧ ବିମାନ ପାଇଁ ଆବଶ୍ୟକୀୟ ଅତ୍ୟାଧୁନିକ ଜ୍ଞାନକୌଶଳର ପରୀକ୍ଷଣ କରିବାକୁ ମୁଖ୍ୟ ଲକ୍ଷ୍ୟ ରଖାଯାଇଛି।

କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷରେ ହିଁ 'FWD Supreme Lite'ର ପ୍ରଥମ ଉଡ଼ାଣ ପରୀକ୍ଷା କରାଯିବ। ଏହି ଟେଷ୍ଟବେଡ୍ ସାହାଯ୍ୟରେ ଏମିତି କିଛି ଟେକ୍ନୋଲୋଜିର ପରୀକ୍ଷା ହେବ, ଯାହାଦ୍ୱାରା ଯୁଦ୍ଧ ବିମାନଗୁଡ଼ିକ ଅନେକ କାର୍ଯ୍ୟ ନିଜେ କରିବାକୁ ସକ୍ଷମ ହେବେ। ଏଥିରେ ସ୍ୱୟଂଚାଳିତ ନାଭିଗେସନ୍, ସେନ୍ସର ଫ୍ୟୁଜନ୍ ଏବଂ ମିଶନ୍ ଶେଷ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ସାମିଲ ରହିଛି।

ଆଗାମୀ ଦିନରେ କମ୍ପାନୀ କେବଳ ଗୋଟିଏ ବିମାନ ମଧ୍ୟରେ ସୀମିତ ନରହି ଏକାଧିକ AI କ୍ଷମତା ଥିବା ବିମାନକୁ ଏକାଠି ମିଶାଇ ଏକ 'ସ୍ୱାର୍ମ' ଗ୍ରୁପ୍ ଭାବେ ବିକଶିତ କରିବାକୁ ଯୋଜନା ରଖିଛି। ଏହି ବିମାନଗୁଡ଼ିକ ପରସ୍ପର ସହ ତାଳମେଳ ରଖି ଶତ୍ରୁ ଉପରେ ନଜର ରଖିବା, ଟାର୍ଗେଟ୍ ଚିହ୍ନଟ କରିବା ଏବଂ ବିପଜ୍ଜନକ ମିଶନକୁ ସଫଳ କରିବାରେ ସାହାଯ୍ୟ କରିବେ।

Also Read: ଦେଶୀ ଅସଲ୍ଟ ରାଇଫଲ ‘ସେର’ର ପରୀକ୍ଷଣ ସଫଳ, ଏବେ ହେବ ସେନା ଟ୍ରାଏଲ

ଛୋଟ ରନୱେରୁ ମଧ୍ୟ ଉଡ଼ିପାରିବ:

ଏହି ବିଶେଷ କନ୍ସେପ୍ଟ୍ରେ RATO (Rocket Assisted Take-Off) ଟେକ୍ନୋଲୋଜି ବ୍ୟବହାର କରାଯିବାର ସମ୍ଭାବନା ଅଛି। ଏହାଦ୍ୱାରା ଯୁଦ୍ଧ ବିମାନଟି ଖୁବ୍ କମ୍ ଲମ୍ବ ଥିବା ରନୱେ କିମ୍ବା ଦୁର୍ଗମ ସ୍ଥାନରୁ ମଧ୍ୟ ସହଜରେ ଉଡ଼ାଣ ଭରିପାରିବ।

ଭାରତର ଘରୋଇ ପ୍ରତିରକ୍ଷା କ୍ଷେତ୍ର ପାଇଁ ଏହା ଏକ ବଡ଼ ସଫଳତା ଭାବେ ବିବେଚନା କରାଯାଉଛି। ଯଦି ଏହି ପରୀକ୍ଷଣ ସଫଳ ହୁଏ, ତେବେ ଆଗାମୀ ଦିନରେ ଭାରତୀୟ ପ୍ରତିରକ୍ଷା ବାହିନୀରେ ସ୍ୱୟଂଚାଳିତ ଏୟାର କମ୍ବ୍ୟାଟ୍ ସିଷ୍ଟମର ଏକ ନୂଆ ଯୁଗ ଆରମ୍ଭ ହେବ।