ପେଶାବର : ବଲିଉଡ ଦିଗ୍ଗଜ ଅଭିନେତା ରାଜ କପୁରଙ୍କ ପାକିସ୍ତାନ ପେଶାୱରରେ ଥିବା ପୈତୃକ ବାସଭବନର ଏକ ଅଂଶ ଭୂଷୁଡିପଡିଛି । ନିକଟରେ ହୋଇଥିବା ବର୍ଷା ଓ ଶୁକ୍ରବାର ରାତିର ଭୂମିକମ୍ପରେ ବିଲ୍ଡିଂର ଗୋଟିଏ ପାର୍ଶ୍ୱ ଭାଙ୍ଗିପଡିଛି। ଖୈବର ପୁକ୍ତନଖ୍ୱା ପ୍ରୋଭିନ୍ସରେ ଥିବା ପ୍ରାଚୀନ କପୁର ହାଭେଲୀକୁ ପାକିସ୍ତାନ ସରକାର ୨୦୧୬ ମସିହାରେ ଜାତୀୟ ଐତିହ୍ୟ ଘୋଷଣା କରିଥିଲେ। ଖୈବରପୁକ୍ତନଖ୍ୱା ହେରିଟେଜ କାଉନସିଲର ସାଧାରଣ ସମ୍ପାଦକ ସକିଲ ବହିଦୁଲ୍ଲାହ କହିଛନ୍ତି ଯେ ଭୂମିକମ୍ପ ଝଟକାରେ ଭବନର ଏକ କାନ୍ଥ ଭାଙ୍ଗିଯାଇଛି। ଏଣୁ ଭବନର ବାକି ଅଂଶର ସୁରକ୍ଷାକୁ ନେଇ ଏବେ ଚିନ୍ତା ଉପୁଜିଛି।

ସକିଲ ବହିଦୁଲ୍ଲାହ ପ୍ରତ୍ନତତ୍ୱ ବିଭାଗ ଓ ପ୍ରାନ୍ତିୟ ସରକାର ଐତିହାସିକ ଭବନଗୁଡିକର ସଂରକ୍ଷଣ ନିମନ୍ତେ ତତ୍କାଳ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଯଦି ଏପରି ଅବହେଳା ଲାଗି ରହେ ତେବେ ଅଞ୍ଚଳର ସାଂସ୍କୃତିକ ଐତିହ୍ୟର ଅପୁରଣୀୟ କ୍ଷତି ହୋଇପାରେ। କପୁର ହାଭେଲୀ ପେଶାୱର ସହରର ପ୍ରସିଦ୍ଧ କିସସାଖାନୀ ବଜାରର କେନ୍ଦ୍ରସ୍ଥଳରେ ରହିଛି। ଏହା ପାକିସ୍ତାନର ପ୍ରମୁଖ ସ୍ମାରକ ମଧ୍ୟରୁ ଅନ୍ୟତମ। ଏହା ସଂରକ୍ଷଣ ଆବଶ୍ୟକ କରୁଥିବା ବେଳେ ଦୀର୍ଘ ସମୟରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।

ଏହି ପ୍ରାଚୀନ ବିଲ୍ଡିଂଟି ଅଭିନେତା ପୃଥିରାଜ କପୁରଙ୍କ ପୈତୃକ ଘର, ଯିଏ ଫିଲ୍ମ ଉଦ୍ୟୋଗରେ ପ୍ରବେଶ କରିଥିବା କପୁର ପରିବାରର ପ୍ରଥମ ସଦସ୍ୟ। ଏହି ଘରକୁ ପୃଥିରାଜ କପୁରଙ୍କ ପିତା ଦିୱାନ ବିଶେଶ୍ୱରନାଥ କପୁର ୧୮୧୮ମସିହାରେ ନିର୍ମାଣ କରାଇଥିଲେ। ଅଭିନେତା ରାଜ କପୁର ଓ ତ୍ରିଲୋକ କପୁରଙ୍କ ଜନ୍ମ ଏହି ଘରେ ହୋଇଥିଲା। ନିର୍ମାଣ କାଳରେ ଏହି ଭବନଟିକୁ ଉତ୍କୃଷ୍ଟ ବାସ୍ତୁକଳାର ଉଦାହରଣ ମନେ କରାଯାଉଥିଲା। ଏହି ଘରେ ପାଖାପାଖି ୪୦ଟି କୋଠରୀ ଥିଲା। ଭବନର ଶୀର୍ଷ ଭାଗକୁ ଜଟିଳ ଆକୃତି ଓ ଝରକାରେ ସଜା ଯାଇଥିଲା।

ଯଦିଓ ଏହି ବିଲ୍ଡିଂଟି ଏବେ ଜରାଜିର୍ଣ୍ଣ ଅବସ୍ଥାକୁ ପହଞ୍ଚି ଯାଇଛି ତଥାପି ଦୀର୍ଘ ବର୍ଷରେ ଏହା ସୌନ୍ଧର୍ଯ୍ୟ ନଷ୍ଟ ହୋଇ ନାହିଁ। ଏହି ବିଲ୍ଡିଂରେ ରାଜ କପୁରଙ୍କ ଦୁଇ ସାନ ଭାଇ ଓ ଭଉଣୀଙ୍କର ମଧ୍ୟ ଜନ୍ମ ହୋଇଥିଲା। ତେବେ ରାଜ କପୁରଙ୍କ ଭାଇ ସମ୍ମି କପୁର ଓ ଶଶି କପୁରଙ୍କ ଜନ୍ମ ଭାରତରେ ହୋଇଥିଲା। ଏହି ବିଲ୍ଡିଂରେ କପୁର ପରିବାରଙ୍କ ପ୍ରାରମ୍ଭିକ ପିଢୀର ଜୀବନ ଅତିବାହୀତ ହୋଇଥିଲା। ତେବେ ଭାରତ ବିଭାଜନ ପରେ ପରିବାର ଏହି ବିଲ୍ଡିଂକୁ ଛାଡି ଭାରତରେ ସବୁଦିନ ପାଇଁ ରହିଯାଇଥିଲେ। ରାଜ କପୁରଙ୍କ ପୁଅ ଋଷି କପୁର ଓ ରଣଧୀର କପୁର ୧୯୯୦ ମସିହାରେ ଏହି ସ୍ଥାନକୁ ଗସ୍ତ କରିଥିଲେ।