ନୂଆଦିଲ୍ଲୀ: ଉତ୍ତର ଭାରତ ଆକାଶରେ କଳା ବାଦଲର ଏକ ବିଶାଳ ଆସ୍ତରଣ ଦେଖିବାକୁ ମିଳିଛି । ଏହାର ଲମ୍ବ ୭୦୦୦ରୁ ୧୦,୦୦୦ କିଲୋମିଟର ହେବ ବୋଲି ଆକଳନ କରାଯାଇଛି । ଏହି ମେଘମାଳାକୁ ଦେଖି ଉତ୍ତର ଭାରତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ମେଘମାଳା ବା Rain Band ସାଟେଲାଇଟ୍‌ ଚିତ୍ରରୁ ସ୍ପଷ୍ଟ ହୋଇଛି । ଉତ୍ତର ଭାରତ, ହିମାଳୟ, ଚୀନ୍‌ରୁ ଆରମ୍ଭ କରି ଦକ୍ଷିଣ କୋରିଆ ପର୍ଯ୍ୟନ୍ତ ବ୍ୟାପିଥିବା ମେଘମାଳାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । 

ଏକ ରିପୋର୍ଟ ଅନୁଯାୟୀ, ୨୦୨୬ ମୌସୁମୀ ଋତୁର ଏହା ସବୁଠାରୁ ସକ୍ରିୟ ପର୍ଯ୍ୟାୟ ହୋଇଥିବା ବେଳେ ଆଗାମୀ ଦିନରେ ଦେଶର ବିଭିନ୍ନ ଭାଗରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ମହାସାଗରରୁ ଆସୁଥିବା ପ୍ରଚୁର ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଏସିଆର ସ୍ଥାନୀୟ ପାଣିପାଗ ସହ ମିଶି ଏକ ବୃହତ୍ତ 'ମୌସୁମୀ ସଙ୍ଗମ କ୍ଷେତ୍ର' (Monsoon Convergence Zone) ସୃଷ୍ଟି କରିଛି, ଫଳରେ ମେଘଖଣ୍ଡଗୁଡ଼ିକ କ୍ରମାଗତ ଭାବରେ ନୂତନ ରୂପ ନେଉଛି।

ପାଣିପାଗ ଓ ବର୍ଷାର ସ୍ଥିତି
ଗତ ଦୁଇ ଦିନ ମଧ୍ୟରେ ଦେଶରେ ଦୈନିକ ହାରାହାରି ବର୍ଷା ତୁଳନାରେ ୧୭୦% ରୁ ୧୮୦% ଅଧିକ ବର୍ଷା ରେକର୍ଡ କରାଯାଇଛି, ଏହା ଚଳିତ ଋତୁର ସବୁଠାରୁ ଶକ୍ତିଶାଳୀ ମୌସୁମୀର ପ୍ରଭାବ। ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଲୀ-ଏନସିଆରରେ ଭାରି ବର୍ଷା ହୋଇସାରିଛି। ସେହିପରି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି।

ମୌସୁମୀର ଆରମ୍ଭରେ ଉପୁଜିଥିବା ନିଅଣ୍ଟିଆ ବର୍ଷା ସମସ୍ୟା ଏହି ବର୍ଷା ଫଳରେ ଦୂର ହେବ। ଏହା ଦ୍ୱାରା ଜଳାଶୟଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବା ସହ ଖରିଫ ଚାଷ ପାଇଁ ବଡ଼ ସହାୟକ ହେବ। ଏହି ସକ୍ରିୟ ମୌସୁମୀ ଯୋଗୁ ସପ୍ତାହ ସାରା ବର୍ଷା ଜାରି ରହିବାର ସମ୍ଭାବନା ରହିଛି । ଆକସ୍ମିକ ବନ୍ୟା, ସହରାଞ୍ଚଳରେ ଜଳବନ୍ଦୀ, ଭୂସ୍ଖଳନ ଏବଂ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ଭଳି ବିପଦର ଆଶଙ୍କା ବୃଦ୍ଧି ପାଇଛି ।

ହିମାଳୟ ପାର୍ବତ୍ୟାଞ୍ଚଳ ରାଜ୍ୟ—ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶ ପାଇଁ ସତର୍କ ସୂଚନା ଜାରି ହୋଇଛି ।  ଗବେଷକଙ୍କ ମତରେ, ଏହି ସାଟେଲାଇଟ୍ ଚିତ୍ର ପ୍ରମାଣିତ କରୁଛି ଯେ, ଭାରତୀୟ ମୌସୁମୀ କେବଳ ଭାରତୀୟ ଉପମହାଦ୍ୱୀପ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ଆରବ ସାଗରରୁ ପୂର୍ବ ଏସିଆ ପର୍ଯ୍ୟନ୍ତ ବ୍ୟାପିଥିବା ଏକ ବିଶାଳ ଆଞ୍ଚଳିକ ପାଣିପାଗ ପ୍ରକ୍ରିୟାର ଅଂଶବିଶେଷ।