ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ସିବିଏସଇ ଛାତ୍ର ସାର୍ଥକଙ୍କୁ ଉଚ୍ଚପ୍ରଶଂସା କରିଛନ୍ତି, ତାଙ୍କ ଭିଡିଓ ଏକ୍ସ ହ୍ୟାଣ୍ଡଲରେ ସେୟାର କରିଛନ୍ତି। ରାହୁଲ ସାର୍ଥକଙ୍କୁ ତାରିଫ କରି ଏକ୍ସ ରେ ଲେଖିଛନ୍ତି ଯେ ‘ସାର୍ଥକ ମାତ୍ର ୧୮ ବର୍ଷ ବୟସର, ହେଲେ ତାଙ୍କର ବିଚାର, ସାହସ ଓ ସିଦ୍ଧାନ୍ତ କାହାଠୁ ବି କମ୍ ନୁହେଁ, ସେ ଓ ତାଙ୍କ ସାଥୀ ନିସର୍ଗ ତାହା କରି ଦେଖାଇଛନ୍ତି ଯାହା ଦେଶର ବଡ଼ ମିଡିଆ ହାଉସ୍ ଙ୍କ ଅନୁସନ୍ଧାନୀ ସାମ୍ବାଦିକ ବି କରି ପାରି ନାହାନ୍ତି’।

ସିବିଏସଏଇ ଓ ସିଓଇଏମପିଟି ମଧ୍ୟରେ ଥିବା ଅସାଧୁ ମେଣ୍ଟକୁ ସାର୍ଥକ ଓ ତାଙ୍କ ସାଥୀ ଦେଶ ସାମ୍ନାରେ ଖୋଲିକି ରଖି ଦେଇଛନ୍ତି। ରାହୁଲ ଲେଖିଛନ୍ତି ‘ମୋଦି ଚାହୁଁଛନ୍ତି ଆମର ଯୁବ ବର୍ଗ କେବଳ ରିଲସ୍ କରିବେ, ପକୁଡି ଛାଣିବେ ହେଲେ ପ୍ରଶ୍ନ କରିବେନି କି ସେମାନଙ୍କ ଆଖି ଖୋଲିବନି ‘। ହେଲେ ଏହି ପିଲାମାନେ ନା କେବଳ ପ୍ରଶ୍ନ କରିଛନ୍ତି, ବରଂ ସେମାନଙ୍କ ଉତ୍ତର ମଧ୍ୟ ଖୋଜି କାଢିଛନ୍ତି।

ଦେଶର ୧୮ ବର୍ଷର ପିଲା ସିବିଆଇଠୁ ବି ଧ୍ରୁତ ସାବ୍ୟସ୍ତ ହୋଇଛି। ଯୁବ ପିଢୀଙ୍କ ଏହି ବିଜୟ ଉଚିତ ବାକ୍ୟରେ ସରକାରଙ୍କ ହାର ବୋଲି କୁହାଯାଇପାରେ। ରାହୁଲ ଗାନ୍ଧି କହିଛନ୍ତି ଯେ ଏହିମାନେ ହିଁ ଯୁବ ଶକ୍ତି ଯେଉଁମାନେ ଜିଜ୍ଞାସୁ, ସଚେତନ ଓ ସବୁ ଜାଣନ୍ତି। ରାହୁଲ କହିଛନ୍ତି ଯେ ଏପରି ଯୁବକ ଯେଉଁ ଦେଶରେ ଅଛନ୍ତି ସେହି ଦେଶର ଭବିଷ୍ୟତ କାହା କଥାରେ ଭାସି ଯିବ ନାହିଁ। ଏହା ପୂର୍ବରୁ ରାହୁଲ ସାର୍ଥକଙ୍କ ସେହି ପୋଷ୍ଟକୁ ସେୟାର କରିଥିଲେ ଯେଉଁଥିରେ ସାର୍ଥକ ସିବିଏସଇ ଟେଣ୍ଡର ପ୍ରକ୍ରିୟାର ଅନିୟମିତତା ସାମ୍ନାକୁ ଆଣିଥିଲେ।