ନୂଆଦିଲ୍ଲୀ: ରାଘବ ଚଢାଙ୍କୁ ରାଜ୍ୟସଭା ଉପନେତା ପଦରୁ ହଟାଇଲା ଆମ ଆଦ୍ମୀ ପାର୍ଟି। ତାଙ୍କ ସ୍ଥାନରେ ପଞ୍ଜାବର ଅଶୋକ ମିତ୍ତଲଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଛି। ରାଘବ ଛଢା ୨୦୨୩ ମସିହାରୁ ଆପ୍ର ରାଜ୍ୟସଭା ଉପନେତା ଦାୟିତ୍ୱରେ ଥିଲେ। ଦଳରେ ତାଙ୍କୁ ନେଇ ମତଭେଦ ରହିଥିବା ଚର୍ଚ୍ଚା ହେଉଥିଲା। ଗୁରୁବାର ଆପ୍ ତାଙ୍କୁ ଏହି ପଦରୁ ହଟାଇ ଦେଇଛି।

ଏନେଇ ରାଜ୍ୟସଭା ସଚିବାଳୟକୁ ଏକ ଆନୁଷ୍ଠାନିକ ସୂଚନା ପତ୍ର ପଠାଯାଇଛି। ଚଢାଙ୍କୁ ସଂସଦରେ କହିବା ପାଇଁ ସମୟ ଦିଆଯିବା ଉଚିତ୍ ନୁହେଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଥିବା ସୂତ୍ରରୁ ସୂଚନା ମିଳିଛି।

ରାଘବ ଆପ୍ ସାଂସଦ ଭାବରେ ଯେତେବେଳେ ରାଜ୍ୟସଭାରେ ତାଙ୍କ ବକ୍ତବ୍ୟ ରଖୁଥିଲେ, ସେତେବେଳେ ସାରା ଦେଶ ତାଙ୍କୁ ଭାଷଣକୁ ଧ୍ୟାନର ସହ ଶୁଣୁଥିଲା। କାରଣ ପୂର୍ବରୁ ପେଷାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଥିବା ଉଚ୍ଚଶିକ୍ଷିତ ଶ୍ରୀ ଚଢା ରାଜ୍ୟସଭାରେ ଲୋକଙ୍କ ସମସ୍ୟାକୁ ଖୁବ୍ ସୁନ୍ଦର ଭାବରେ ଉଠାଇବା ସହ ସରକାରଙ୍କୁ ଘେରୁଥିଲେ।​​​​​​​

ନେତାଙ୍କୁ ହଟାଇବାକୁ ଜନତାଙ୍କୁ ଅଧିକାରୀ ଦେବା କଥା ହେଉ କିମ୍ବା, କ୍ୱିକ୍ କମର୍ସ କମ୍ପାନୀର ୧୦ ମିନିଟ ସର୍ଭିସ ବିବାଦ, ବା କମ୍ପାନୀମାନଙ୍କର ଡାଟା ଟ୍ରାନ୍ସଫର କଥା, ଏସବୁ ପ୍ରସଙ୍ଗ ରାଘବ ଚଢ଼ାକୁ ଦେଶରେ ଲୋକପ୍ରିୟ କରାଇଛି। ହେଲେ ଗତ କିଛିଦିନ ହେବା ସେ ଦଳର କୌଣସି ମାମଲାରେ ସେ ସାମିଲ୍ ହୋଇ ନଥିଲେ।

କେଜରିୱାଲଙ୍କୁ ଦୁର୍ନୀତି ଅଭିଯୋଗରୁ କୋର୍ଟ ଦୋଷମୁକ୍ତ କରିବା, ଆପ୍ ନେତାଙ୍କୁ ଗିରଫଦାରୀ ଏସବୁ ପ୍ରଶଙ୍ଗରେ ରାଘବ ଚଢା ନିରବ ରହିଥିଲେ। ତେଣୁ ଆପ୍ ସହ ସାଂସଦଙ୍କ ମତାନ୍ତର ଥିବା ଖବର ସାମ୍ନାକୁ ଆସିଥିଲା। ଅନେକ ଦିନ ଧରି ଏହି ଆଲୋଚନା ହେବା ପରେ ଆପ୍ ରାଘବ ଚଢ଼ାଙ୍କୁ ନେଇ ଏଭଳି ନିଷ୍ପତ୍ତି ନେଇଛି।

ବିବାଦ ନେଇ କଣ କହିଲେ ଆପ୍‌ ନେତା ?

ଆମ ଆଦ୍‌ମୀ ପାର୍ଟିର ଏଭଳି ପଦକ୍ଷପେକୁ ନେଇ ଦଳ ଭିତରେ କନ୍ଦଳ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନୂଆ ରାଜ୍ୟସଭା ଉପନେତା ନିଯୁକ୍ତ ହୋଇଥିବା ଅଶୋଖ ମିତ୍ତଲ କିନ୍ତୁ କଥାକୁ ଖଣ୍ଡନ କରିଛନ୍ତି। ଦଳ ଭିତରେ ସେମିତି କିଛି ନଥିଲା କି ଏବେ ନାହିଁ । ଏହା କେବଳ ରୁଟିନ ଚେଞ୍ଜ। ସମସ୍ତଙ୍କୁ ସୁଯୋଗ ମିଳିବା ଦରକାର ବୋଲି ଦଳ ବିଚାର କରେ ବୋଲି ଅଶୋକ ମିତ୍ତଲ କହିଛନ୍ତି।

ଦଳରୁ ଦୂରେଇ ଯାଉଛନ୍ତି ଚଢା !

ଆପ ଏବଂ ଏହାର ଶୀର୍ଷ ନେତୃତ୍ୱ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ ଚଢାଙ୍କ ନିରବତା ମଧ୍ୟରେ ନାନା କଥା ସାମ୍ନାକୁ ଆସୁଥିଲା। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମଦ ଦୁର୍ନୀତି ମାମଲାରେ ଯେତେବେଳେ କେଜ୍ରିୱାଲଙ୍କୁ ଗିରଫ କରାଗଲା, ସେତେବେଳେ ଚଢା ବିଳମ୍ବରେ ପ୍ରତିକ୍ରିୟା ଦେଇଥିଲେ। ୟୁକେରେ ଆଖି ଅସ୍ତ୍ରୋପଚାରରୁ ସୁସ୍ଥ ହେବାକୁ ସମୟ ଲାଗିଲା ବୋଲି ଚଢା କାରଣ ଦର୍ଶାଇଥିଲେ।

ଏହାପରେ ରାଘବ ଦଳରୁ ଧୀରେ ଧୀରେ ଦୂରତା ବଜାଇ ରଖୁଥିଲେ। ୨୦୨୬ ଫେବୃଆରୀରେ ମାସରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ କୋର୍ଟ ଆପ ସୁପ୍ରିମୋ ଅରବିନ୍ଦ କେଜରିୱାଲ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଅନ୍ୟମାନଙ୍କୁ ସମସ୍ତ ଅଭିଯୋଗରୁ ଦୋଷମୁକ୍ତ କରିଥିଲେ। ଏହାକୁ ନେଇ ଆପ୍‌ ଦଳରେ ହଇଚଇ ସୃଷ୍ଟି ହୋଇଥିଲା। ସଞ୍ଜୟ ସିଂହଙ୍କ ଠାରୁ ଆରମ୍ଭ କରି ଆପ୍‌ର ବଡ଼ ବଡ଼ ନେତା ବେଜେପି ସରକାରଙ୍କୁ ସମାଲୋଚନା କରିଥିଲେ। ହେଲେ ରାଘବ ଚଢା କିନ୍ତୁ ନିରବ ରହିଲେ। ସୋସିଆଲ୍ ମିଡିଆରେ ତାଙ୍କର କୌଣସି ଗୋଟିଏ ବି ପୋଷ୍ଟ ବି ଦେଖିବାକୁ ମିଳିଲା ନାହିଁ। ଯାହାକୁ ନେଇ ଚର୍ଚ୍ଚା ଆହୁରି ବଢିଗଲା।

Also Read- WestBengal Assembly Poll ଅମିତ ଶାହ ଜଣାଇଲେ ବିଜେପିର ବେଙ୍ଗଲ ବିଜୟ ରଣନୀତି, ଜାଣନ୍ତୁ କହିଲେ କ’ଣ?

ଦଳୀୟ କାର୍ଯ୍ୟକ୍ରମରେ ଅନୁପସ୍ଥିତି

ରାଘବ ଚଢା କେବଳ ଯେ ଦଳ ସମ୍ପର୍କିତ କୌଣସି ମନ୍ତବ୍ୟ ଦେଉ ନଥିଲେ, ତାହା ନୁହେଁ, ତାଙ୍କୁ କୌଣସି ଦଳୀୟ କାର୍ଯ୍ୟରେ ମଧ୍ୟ ଦେଖିବାକୁ ମିଳିଲା ନାହିଁ। ଫଳରେ ରାଘବ ଚଢା ଯେ ଏବେ ଆଉ ଆପ୍‌ରେ ନାହାନ୍ତି, ତାହା ରାଜନୈତିକ ପରିବେଶରେ ଖୁବ୍‌ ଚର୍ଚ୍ଚା ସାଉଁଟିଲା। ଦୋଷମୁକ୍ତ ହେବା ପରେ କେଜରିୱାଲଙ୍କ ସାମ୍ବାଦିକ ସମ୍ମିଳନୀ, ଜନ୍ତରମନ୍ତରରେ ଜନସଭା ସମେତ ଏକାଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ରାଘବ ଅନୁପସ୍ଥିତ ରହିଲେ। ଘଟଣାକୁ ନେଇ ଦଳୀୟ ନେତାଙ୍କୁ ବାରମ୍ବାର ପ୍ରଶ୍ନ କରାଯାଇଥିଲେ ମଧ୍ୟ ନେତାମାନେ କୌଣସି ଫାଟ ନଥିବା କହିଥିଲେ। ରାଘବ ଦଳରୁ ଦୂରେଇ ନାହାନ୍ତି ସେ ଆମ ସହ ଅଛନ୍ତି ବୋଲି ଆପ ସାଂସଦ ସଞ୍ଜୟ ସିଂହ କହିଥିଲେ।

ରାଜନୀତିରେ ଏଣ୍ଟ୍ରି କରିବା ପୂର୍ବରୁ ଏକାଧିକ ବଡ଼ ବଡ଼ କମ୍ପାନୀରେ ଜଣେ ପେଷାଦାର ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରିସାରିଥିବା ୩୭ ବର୍ଷୀୟ ଚଢା ୨୦୧୨ରେ ଆପରର ପ୍ରତିଷ୍ଠା ପର ଠାରୁ ଦଳ ସହ ରହିଛନ୍ତି। ଗୋଟେ ସମୟରେ ଚଢାଙ୍କୁ କେଜରିୱାଲଙ୍କ ନିକଟତର ବୋଲି ବିବେଚନା କରାଯାଉଥିଲା। ସେ ଦଳର ଜାତୀୟ କୋଷାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି। ଆପର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ କମିଟି, ଏହାର ରାଜନୈତିକ ବ୍ୟାପାର କମିଟିର ମଧ୍ୟ ସଦସ୍ୟ ରହିଛନ୍ତି।  

ରାଜ୍ୟସଭା ଚାମ୍ପିୟନ ରାଘବ

ଦିଲ୍ଲୀରେ ବିଧାୟକ ଥିବା ସମୟରେ ରାଜ୍ୟସଭାକୁ ଯାଇଥିଲେ। ସଂସଦର ଉଚ୍ଚ ସଦନରେ ସବୁଠାରୁ କମ ବୟସରେ ସାଂସଦଙ୍କ ମଧ୍ୟରେ ଚଢାଙ୍କ ନାଁ ରହିଥିଲା। ରାଜ୍ୟସଭାରେ ଏଣ୍ଟ୍ରି ମାରିବା ପରେ ଚଢା ଲୋକଙ୍କ ଜୀବନଶୈଳୀ ଉପରେ ପ୍ରଭାବ ପକାଉଥିବା ସମସ୍ୟା ଗୁଡ଼ିକୁ ଉଠାଇ ସେ ଲୋକଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲେ। ଲୋକେ କହୁଥିଲେ ରାଜ୍ୟସଭା ଚାମ୍ପିୟନ ରାଘବ।

ଦେଶର ବିଭିନ୍ନ ବିମାନବନ୍ଦରରେ ବଜେଟ୍ ଅନୁକୂଳ ଖାଦ୍ୟ ବିକଳ୍ପର ଅଭାବ ଉପରେ ସେ ଆଲୋକପାତ କରିଥିଲେ। ତାଙ୍କର ଏହି ଆଲୋଚନାର ଫଳସ୍ୱରୂପ ଉଡାନ ଯାତ୍ରୀ କାଫେର ପ୍ରଚଳନ ହୋଇଥିଲା। ଯେଉଁଠି ସୁଲଭ ମୂଲ୍ୟରେ ଜଳଖିଆ ପ୍ରଦାନ କରାଯାଉଛି। କ୍ୱିକ କମର୍ସ କମ୍ପାନୀଗୁଡ଼ିକର ୧୦ ମିନିଟ ଡେଲିଭରି ବ୍ୟବସ୍ଥାକୁ ମଧ୍ୟ ସେ ରାଜ୍ୟସଭାରେ ଉଠାଇଥିଲେ। ଏଥିରେ ଗିଗ୍ ୱାର୍କର୍ସଙ୍କର ଜୀବନ ପ୍ରତି ବିପଦ ଅଛି ବୋଲି କହିଥିଲେ। ଗିଗ୍‌ ୱାର୍କର୍ସଙ୍କର ବିପଦପୂର୍ଣ୍ଣ ଜୀବନଶୈଳୀକୁ ଲୋକ ଲୋଚନକୁ ଆଣିବାକୁ ସେ ବ୍ଲିଙ୍କିଟ୍ ଡେଲିଭରି କାର୍ଯ୍ୟନିର୍ବାହୀ ଭାବରେ ଗୋଟିଏ ଦିନ ବିତାଇଥିଲେ। ଯାହା ସାରା ଦେଶରେ ଆଲୋଚନା ହୋଇଥିଲା।

Also Read-​​​​​​​ ଏପ୍ରିଲ ୧୬ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ, ଆସିବ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍

ସଂସଦର ଚଳିତ ବଜେଟ ଅଧିବେଶନରେ, ସେ ଭାରତରେ ଦେୟଯୁକ୍ତ ପିତୃତ୍ୱ ଛୁଟିକୁ ଆଇନଗତ ଅଧିକାର କରିବା ପାଇଁ ଏକ ଆଇନ ଆଣିବାକୁ ଦାବି କରିଥିଲେ। ୩୦-ଦିନିଆ ଟେଲିକମ୍ ଟାରିଫ୍ ଯୋଜନା ଏବଂ ମୋବାଇଲ୍ ଡାଟା ରୋଲଓଭର ଏବଂ ସ୍ଥାନାନ୍ତରରେ ଅଧିକ ନମନୀୟତା ପାଇଁ ଆହ୍ୱାନ ଦେଇ ଗ୍ରାହକ ଅଧିକାର ପ୍ରସଙ୍ଗଗୁଡ଼ିକୁ ସକ୍ରିୟ ଭାବରେ ଉଠାଇଛନ୍ତି। ସେ ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଚଢା ବର୍ତ୍ତମାନ ଦଳର ପଞ୍ଜାବ ସହ-ପ୍ରଭାରୀ ଭୂମିକାରେ ଅଛନ୍ତି।

ବିଜେପି ପ୍ରତି ନରମିଲା ସ୍ୱର

ରାଘବ ଚଢ଼ାଙ୍କର ଆମ ଆଦ୍‌ମୀ ପାର୍ଟି ସହ ଆଉ ପଡ଼ୁ ନାହିଁ। ସେ କୌଣସି ମୁହୂର୍ତ୍ତରେ ଦଳରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏସବୁ ଚର୍ଚ୍ଚା ଭିତରେ କେନ୍ଦ୍ର ସରକାରଙ୍କ ପ୍ରତି ତାଙ୍କର ନରମ ସ୍ୱର ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି। ଯେଉଁ ରାଘବ ଚଢା ତାଙ୍କ ସଂସଦ ଭାଷଣରେ ଜିଏସ୍‌ଟି, ମୁଦ୍ରା ମୂଲ୍ୟ ହ୍ରାସ, ମହଙ୍ଗା ମାଡ଼, ସ୍ୱାସ୍ଥ୍ୟ ବ୍ୟବସ୍ଥା, ଶିକ୍ଷା ବ୍ୟବସ୍ଥା ଆଦିର ଦୁର୍ବଳତା ଦେଖାଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷୁଥିଲେ, ଆଜି ତାଙ୍କ ଭାଷଣରେ ସରକାରଙ୍କ ପ୍ରତି ସ୍ୱର ନରମିଛି। ରାଘବ ଏବେ କୌଣସି ପ୍ରସଙ୍ଗରେ ସରକାରଙ୍କୁ ସିଧାସଳଖ ଦାୟୀ ନ କରି କେବଳ ଲୋକଙ୍କ ବିଷୟ ଉଠାଉଛନ୍ତି। ଏବଂ ଏହା କରିବାକୁ ଦାବି କରୁଛନ୍ତି। ସେପଟେ ରାଘବ ପ୍ରସଙ୍ଗ ଉଠାଇବା ପରେ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଛନ୍ତି। ରାଘବକୁ ନେଇ ବିଜେପି ପକ୍ଷରୁ ନକାରାତ୍ମକ କୌଣସି ପ୍ରତିକ୍ରିୟା ଶୁଣିବାକୁ ମିଳୁନି। ତେଣୁ ରାଘବ ମନ ବିଜେପି ଆଡ଼କୁ ଡଳିଲାଣି ବୋଲି କୁହାଯାଉଛି।

ପଞ୍ଜାବରେ ବିଜେପି ଫେସ୍ ହେବେ କି ଚଢା ?

ସବୁଠାରୁ ବଡ଼ କଥା ହେଲା ପଞ୍ଜାବରେ ବିଜେପି ବର୍ତ୍ତମାନ ନେତୃତ୍ୱ ସଂକଟ ଦେଖା ଦେଇଛି। ପଞ୍ଜାବରେ ପୂର୍ବରୁ ବିଜେପି 'ଶିରୋମଣି ଅକାଳୀ ଦଳ' (SAD) ସହିତ ମିଶି ନିର୍ବାଚନ ଲଢୁଥିଲା, ଯେଉଁଠାରେ ବିଜେପି ଏକ ଛୋଟ ଭାଇ ଭୂମିକାରେ ରହୁଥିଲା (ମୁଖ୍ୟତଃ ସହରାଞ୍ଚଳ ସିଟ୍‌ରେ)। କିନ୍ତୁ କୃଷି ଆଇନକୁ ନେଇ ମେଣ୍ଟ ଭାଙ୍ଗିବା ପରେ, ବିଜେପି ଏବେ ପଞ୍ଜାବରେ ଏକାକୀ ନିଜର ସ୍ଥିତି ମଜବୁତ କରିବାକୁ ଚେଷ୍ଟା କରୁଛି। ସୁନୀଲ ଜାଖଡ଼ (Sunil Jakhar) କଂଗ୍ରେସରୁ ଆସି ବିଜେପିରେ ମିଶିଛନ୍ତି ଓ  ବର୍ତ୍ତମାନ ସେ ପଞ୍ଜାବ ବିଜେପି ସଭାପତି ଅଛନ୍ତି। ଜଣେ ଅନୁଭବୀ ଏବଂ ସ୍ୱଚ୍ଛ ଭାବମୂର୍ତ୍ତି ସମ୍ପନ୍ନ ନେତା ଭାବେ ତାଙ୍କର ଖ୍ୟାତି ରହିଛି। ତଥାପି ଦଳ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭରାସ କରିପାରୁ ନାହିଁ। ଅମରିନ୍ଦର ସିଂ, ମନପ୍ରୀତ ସିଂ ବାଦଲ ଓ ରବନୀତ ସିଂ ବିଟ୍ଟୁ ଭଳି ନେତା ଅଛନ୍ତି। ତଥାପି ବିଜେପି ରାଜ୍ୟରେ ନୂଆ ଓ ଯୁବ ଚେହେରା ଖୋଜୁଛି। ଆଉ ସେଇ ଯୁବ ଚେହେରା ରାଘବ ଚଢା ହୋଇପାରନ୍ତି ବୋଲି କୁହାଯାଉଛି। ଆସନ୍ତା ବର୍ଷ ଫେବ୍ରୁଆରୀ ମାସ ବେଳକୁ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାର ଅଛି। ତେଣୁ ରାଘବ ଓ ବିଜେପି ମଧ୍ୟରେ ଭିତିର ଆଲୋଚନା ଜାରି ରହିଛି ବୋଲି କୁହାଯାଉଛି। ତେବେ ଯଦି ଓ ଏନେଇ ଉଭୟ ବିଜେପି ଓ ରାଘବ ନିରବ ରହିଛନ୍ତି, ହେଲେ ଆପ୍ କହୁଛନ୍ତି ରାଘବ ଆପ ଛଡିବେ ନାହିଁ। ସେ ଆମ ସହ ଅଛନ୍ତି। ତେବେ କ୍ଷମତା ରାଜନୀତିରେ ନୀତି ନୈତିକ ଓ ମୂଲ୍ୟବୋଧର ଯେ ବିଲୟ ଘଟେ ଏକଥା ଇତିହାସ କହେ। ତେଣୁ ରାଘବ ତାଙ୍କ ନୈତି ନୈତିକତା ସହ ଆପ୍‌ରେ ରହିବେ ନା ବିଜେପି ଯିବେ ତାହା ସମୟ କହିବ।