ମୁମ୍ବାଇ: ଅମ୍ବାନୀ ପରିବାରର ବୋହୂ ରାଧିକା ମର୍ଚାଣ୍ଟ ନ୍ୟୁୟର୍କର ‘ବଙ୍ଗଲୋ’ (Bungalow) ରେଷ୍ଟୁରାଣ୍ଟ ଯାଇଥିଲେ । ଏହି ସମୟରେ ବିଶିଷ୍ଟ ସେଫ୍ ବିକାଶ ଖାନ୍ନାଙ୍କ ହାତରେ ଏକ ଜିଲାପି ଆକୃତିର ରାଖୀ ବାନ୍ଧିଛନ୍ତି ରାଧିକା। ଏହି ଭାବପୂର୍ଣ୍ଣ ମୁହୂର୍ତ୍ତକୁ ନେଇ ନିଜର ଭାବନା ପରିପ୍ରକାଶ କରିଛନ୍ତି ବିକାଶ ଖାନ୍ନା । 

ଅନନ୍ତ ଅମ୍ବାନୀ, ରାଧିକା ମର୍ଚାଣ୍ଟ ଏବଂ ତାଙ୍କ ପରିବାରକୁ ସ୍ୱାଗତ କରିବା ପାଇଁ ସେଫ୍ ବିକାଶ ଖାନ୍ନା ରେଷ୍ଟୁରାଣ୍ଟକୁ ଫୁଲରେ ସଜାଇଥିଲେ। ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରେ ସେ ଫୁଲରେ ଅନନ୍ତ ଅମ୍ବାନୀଙ୍କ ପଶୁ କଲ୍ୟାଣ ପ୍ରକଳ୍ପ "ବନ୍ତାରା" (Vantara) ର ନାମ ଲେଖୁଥିବାର ଦେଖିବାକୁ ମିଳିଛି।

ବିକାଶ ଖାନ୍ନା ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଏହି ସ୍ମରଣୀୟ ମୁହୂର୍ତ୍ତକୁ ଶେୟାର କରି ଲେଖିଛନ୍ତି,  ‘ଯେତେବେଳେ ରାଧିକା ମୋ ହାତରେ ସେହି ଛୋଟ ଜିଲାପି ଆକୃତିର ରାଖୀଟି ବାନ୍ଧିଲେ, ମୋ ଭିତରେ କିଛି ଗୋଟିଏ ବଦଳିଗଲା। ଲାଗିଲା ଯେପରି ମୋ ହୃଦୟର କୌଣସି ଶୂନ୍ୟତା ପୂରଣ ହୋଇଗଲା।’

​​​​​​​ଏହି ରାଖୀ ତାଙ୍କ ପାଇଁ ପ୍ରିୟଜନଙ୍କୁ ମନେ ପକାଇବାର ଏକ ସମୟ ଥିଲା ବୋଲି ସେ ଲେଖିଛନ୍ତି । ଏହା ସହ ଅନନ୍ତ ଅମ୍ବାନୀଙ୍କ ପଶୁପ୍ରେମ ଏବଂ 'ବନ୍ତାରା' ମାଧ୍ୟମରେ ସେ କରୁଥିବା ମହତ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି ବିକାଶ ଖାନ୍ନା । ସେଫ୍ ବିକାଶ ଖାନ୍ନା ରାଧିକାଙ୍କର ଏହି ଭାବପୂର୍ଣ୍ଣ ବ୍ୟବହାର ପାଇଁ ଧନ୍ୟବାଦ ଜଣାଇବା ସହ ଏହି ସ୍ମୃତିକୁ ସାରା ଜୀବନ ହୃଦୟରେ ସାଇତି ରଖିବେ ବୋଲି କହିଛନ୍ତି।