ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସ୍ତରରେ ପୁଣି ବଡ଼ ହଲଚଲ୍ । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ତଥା ବରିଷ୍ଠ ଆଇଏଏସ ଅଧିକାରୀ ଆର. ଏସ. ଗୋପାଳନ ଚାକିରିରୁ ସ୍ଵେଚ୍ଛାକୃତ ଅବସର (ଭିଆରଏସ) ପାଇଁ ଆବେଦନ କରିଛନ୍ତି। ଶାରୀରିକ ଅସୁସ୍ଥତା ଏବଂ କେତେକ ବ୍ୟକ୍ତିଗତ କାରଣ ଯୋଗୁ ସେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସୂଚନାଥାଉକି, ୨୦୦୧ ବ୍ୟାଚର ଏହି ପ୍ରଶାସନିକ ଅଧିକାରୀ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱ ତୁଲାଉଛନ୍ତି। ଏହା ସହିତ ସେ ଅବକାରୀ ବିଭାଗର ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି। ସରକାରୀ ନିୟମ ଅନୁଯାୟୀ, ୨୦୨୮ ମସିହା ଜୁନ ମାସରେ ତାଙ୍କର ସ୍ଵାଭାବିକ ଅବସର ସମୟ ରହିଥିଲା। ମାତ୍ର ନିଜ ଚାକିରି ପ୍ରାୟ ଦେଢ଼ ବର୍ଷ ବାକି ଥିବା ବେଳେ ସେ ଭିଆରଏସ ପାଇଁ ଆବେଦନ କରି ସମସ୍ତଙ୍କୁ ଚକିତ କରିଛନ୍ତି।

ନିର୍ବାଚନ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା:

ଆର. ଏସ. ଗୋପାଳନ ଗତ ପ୍ରାୟ ଦୁଇ ବର୍ଷ ହେବ ଓଡ଼ିଶାର ସିଇଓ ଭାବେ ସଫଳତାର ସହ କାର୍ଯ୍ୟ କରିଆସୁଛନ୍ତି। ନିକଟରେ ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଶେଷ ହୋଇଥିଲା। ଗତ ସେପ୍ଟେମ୍ବର ୨୧ ତାରିଖରେ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଥିଲା। ଏହି ପ୍ରକ୍ରିୟାରେ ପ୍ରାୟ ୨୦ ଲକ୍ଷରୁ ଅଧିକ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦିଆଯିବା ସହ ନୂତନ ଭୋଟରଙ୍କୁ ସାମିଲ କରାଯାଇଥିଲା। ଏହାପରେ ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ପ୍ରାୟ ୩.୧୬ କୋଟିରେ ପହଞ୍ଚିଛି।

Also Read: ଓଡ଼ିଶାରେ ସେଣ୍ଟ୍ରାଫୋର୍ଜ ଏଆଇ ଲିମିଟେଡର ୨୨,୬୩୪ କୋଟି ଟଙ୍କାର ପୁଞ୍ଜିନିବେଶକୁ ମଞ୍ଜୁରି

ରାଜ୍ୟରେ ଏକ ସ୍ୱଚ୍ଛ, ସ୍ତୁତ୍ୟ ଏବଂ ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କରିବା ଦିଗରେ ତାଙ୍କର କାର୍ଯ୍ୟକାଳ ବେଶ୍ ପ୍ରଶଂସନୀୟ ରହିଥିଲା। ତେବେ ତାଙ୍କର ଏହି ହଠାତ୍ ଅବସର ନିଷ୍ପତ୍ତି ପରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ ଅଧିକାରୀ କିଏ ହେବେ, ସେ ନେଇ ଚର୍ଚ୍ଚା ଜୋର ଧରିଛି।