ବର୍ମିଂଘମ ୭।୩: ଋଷିଆ ଗୁପ୍ତଚର ସେକ୍ସଟୟଜ ଓ ସୌନ୍ଧର୍ଯ୍ୟ ପ୍ରସାଧାନ ପାର୍ସଲରେ ବୋମା ଲୁଚାଇ ବ୍ରିଟେନ ପଠାଇବାକୁ ଷଡ଼ଯନ୍ତ୍ର କରିଥିଲେ। ମସାଜ ପିଲୋ, ସେକ୍ସଟୟଜ, ଲୁବ୍ରିକାଣ୍ଟସ ଓ ମେକପ ସାମଗ୍ରୀରେ ରଖାଯାଇଥିବା ବିସ୍ଫୋରକ ବ୍ରିଟେନ ପଠାଯାଇଥିଲା। ଏହି କାରଣରୁ ବର୍ମିଂଘମ ବିମାନ ବନ୍ଦର ନିକଟରେ ଥିବା ଏକ ଡିପୋରେ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ କେହି ହତାହତ ହୋ ନାହାନ୍ତି ତେବେ ଏହି ଉପକରଣ ଯଦି କୌଣସି ଯାତ୍ରୀ ଅଥବା କାର୍ଗୋ ବିମାନରେ ବିସ୍ଫୋରଣ ହୋଇଥାନ୍ତା ବଡ଼ ଧରଣର ଧନଜୀବନ ହାନୀ ହୋଇଥାନ୍ତା ବୋଲି ସୁରକ୍ଷା ଅଧିକାରୀମାନେ କହିଛନ୍ତି।

ଏହି ମାମଲାରେ ପୋଲିସ ପ୍ରଥମେ ୨୨ ଜୁଲାଇ ୨୦୨୪ରେ ଯାଞ୍ଚ ଆରମ୍ଭ କରିଥିଲା ଯେତେବେଳେ ବର୍ମିଂଘମ ନିକଟସ୍ଥ ମିନୱର୍ଥରେ ଡିଏଚଏଲ ଗୋଦାମରେ ବିମାନଯୋଗେ ପହଞ୍ଚିଥିବା ଏକ ପ୍ୟାକେଟରେ ନିଆଁ ଲାଗିଯାଇଥିଲା। ଏହି ଘଟଣାର କିଛିଦିନ ପରେ ଜର୍ମାନର ଲିପଜିଗ୍ ସ୍ଥିତ ଏକ ଅନ୍ୟ ଡିଏଚଏଲ ଫ୍ୟାସେଲିଟି ସେଣ୍ଟରର ଏକ ପାର୍ସଲ ବିମାନରେ ଚଢାଯାଉଥିବା ବେଳେ ଏଥିରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣା ବିମାନର ଉଡାଣ ବିଳମ୍ବିତ ହେବା କାରଣରୁ ଅଳ୍ପକେ ଟଳି ଯାଇଥିଲା।

ସେହିପରି ପୋଲାଣ୍ଡରେ ଏକ ତୃତୀୟ ପାର୍ସଲରେ ନିଆଁ ଲାଗିଯାଇଥିଲା, ତେବେ ଅଧିକାରୀମାନଙ୍କୁ ଏକ ଅନ୍ୟ ଉପକରଣ ଠିକଠାକ ଅବସ୍ଥାରେ ମିଳିଥିଲା। ଏଣୁ ବିଶେଷଜ୍ଞମାନଙ୍କୁ ଏହାର ସମ୍ଭାବିତ କ୍ଷତି ଆକଳନ କରିବାର ସୁଯୋଗ ମିଳିଥିଲା। ବିସ୍ଫୋରକ ଉପକରଣ ଥିବା ୪ ପାର୍ସଲ ନକଲୀ ସିପମେଣ୍ଟ ରୂପେ ଆମେରିକା, କାନାଡା ଓ ଆମଷ୍ଟରଡମ ପଠାଯାଇଥିବାର ପୋଲିସ ଜାଣିବାକୁ ପାଇଥିଲା। ବ୍ରିଟେନ ଓ ୟୁରୋପର ମିଳିତ ଯାଞ୍ଚରେ ଏପରି ସାମଗ୍ରୀ ପଛରେ ଋଷିଆର ଜିଆରୟୁ ସାମରିକ ଗୁଇନ୍ଦା ଏଜେନ୍ସୀର ହାତ ଥିବା ଜଣାପଡିଥିଲା।

ଏପରି କାମ ପାଇଁ ଋଷୀୟ ଗୁପ୍ତଚରମାନେ ୨୨ ଜଣ ଏଜେଣ୍ଟଙ୍କୁ ନିଯୁକ୍ତ କରିଥିଲେ, ଯେଉଁମାନଙ୍କ ବିରୋଧରେ ଚଳିତବର୍ଷ ଶେଷ ସୁଦ୍ଧା ମୋକଦ୍ଦମା ରୁଜୁ ହେବ। ୟୁରୋପୀୟ ସଂଘ ଏଜେନ୍ସୀ ୟୁରୋଜଷ୍ଟ ଅନୁସାରେ ଲିଥୁଆନିଆରୁ ବ୍ରିଟେନ ଓ ପୋଲାଣ୍ଡ ଠିକଣାରେ ୪ଟି ପାର୍ସଲ ପଠାଯାଇଥିଲା। ତଦନ୍ତକାରୀଙ୍କ ଅନୁସାରେ ୨୨ ଜଣ ଏଜେଣ୍ଟଙ୍କୁ ଋଷିଆ, ଲାଟିଭିଆ, ଏଷ୍ଟୋନିଆ, ଲିଥୁଆନିଆ ଓ ୟୁକ୍ରେନରୁ ନିଯୁକ୍ତ କରାଯାଇଥିଲା। ଋଷିଆର ଜିଆରୟୁ ଗୁଇନ୍ଦା ୟୁନିଟ୍ ଏମାନଙ୍କୁ ଏକ ଅନଲାଇନ ମେସେଜିଂ ସେବା ମାଧ୍ୟମରେ କାମ ଦେଇଥିଲା। ଏଥି ପାଇଁ କ୍ରିପ୍ଟୋ କରେନ୍ସୀ ମାଧ୍ୟମରେ ଦୂରରୁ ପୈଠ କରାଯାଉଥିଲା।

ଜନୈକ ସରକାରୀ ମୁଖପାତ୍ର କହିଛନ୍ତି ଯେ ଋଷିଆର ଲଗାତାର ଶତ୍ରୁତାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଆମ ଜାତୀୟ ସୁରକ୍ଷାକୁ ବିପଦରେ ପକାଉଛି। ଏହି କାରଣରୁ ସରକାର ଦୃଢ ପଦକ୍ଷେପ ନେଇଛନ୍ତି ଯେପରିକି ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି କରିବା, ଗୁଇନ୍ଦା ଅଧିକାରୀଙ୍କୁ ବରଖାସ୍ତ କରିବା, ଜିଆରୟୁ ଉପରେ କଟକଣା ଲଗାଇବା ଆଦି ରହିଛି।