ନୂଆଦିଲ୍ଲୀ: ଦେଶର ଅନଲାଇନ୍ ଗେମିଂ ଇଣ୍ଡଷ୍ଟ୍ରି ପାଇଁ ଲାଗୁ ପ୍ରମୋଶନ ଆଣ୍ଡ୍ ରେଗୁଲେସନ ଅଫ୍ ଅନଲାଇନ ଗେମିଂ ରୁଲ୍ସ ୨୦୨୬ । ଏହି ନୂଆ ନିୟମର ମୁଖ୍ୟ ଉଦ୍ଦେଶ୍ୟ ଅନଲାଇନ ମନି ଗେମିଂରୁ ହେଉଥିବା ଆର୍ଥିକ ଏବଂ ସାମାଜିକ କ୍ଷତିକୁ ରୋକିବା ଏବଂ ଭାରତକୁ ଏକ ବିଶ୍ୱ ଗେମିଂ ହବ୍ କରିବା।

ନୂଆ ନିୟମ ଅନୁସାରେ ଅନଲାଇନରେ ଆର୍ଥିକ ନେଣଦେଣ ସହ ଜଡ଼ିତ ସମସ୍ତ ପ୍ରକାର ଖେଳକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଏଥିରେ ଭାଗ୍ୟ ବା ସୁଯୋଗ, କୌଶଳ ଉପରେ ଟଙ୍କା ଲଗାଯାଇଥାଏ। ଏବେ ଏହି ଖେଳଗୁଡ଼ିକର ବିଜ୍ଞାପନ କିମ୍ବା ପ୍ରଚାର ମଧ୍ୟ ବେଆଇନ ହେବ। ବ୍ୟାଙ୍କ ଏବଂ ପେମେଣ୍ଟ ଗେଟୱେଗୁଡ଼ିକୁ ଏପରି ପ୍ଲାଟଫର୍ମ ପାଇଁ କାରବାର ପ୍ରୋସେସିଂ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନିୟମ ଭାଙ୍ଗିଲେ ବଡ଼ ଜରିମାନା ସହ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ

ସରକାର ନିୟମ ଉଲ୍ଲଂଘନକାରୀଙ୍କ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା କରିଛନ୍ତି। ଅନଲାଇନ୍ ମନି ଗେମ୍ ପ୍ରମୋଟ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ଦ୍ବିତୀୟ ଥର ଏଭଳି କଲେ ଜେଲ ଦଣ୍ଡ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ଏବଂ ଜରିମାନା ୨ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ସେହିଭଳି ଏହି ଖେଳଗୁଡ଼ିକର ବିଜ୍ଞାପନ ପାଇଁ ୨ ବର୍ଷ ଜେଲଦଣ୍ଡ କିମ୍ବା ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ।

୪୫ କୋଟି ଲୋକ ପ୍ରଭାବିତ, ୨୦ ହଜାର କୋଟିରୁ ଅଧିକ କ୍ଷତି

ଭାରତରେ ଅନଲାଇନ୍ ଗେମିଂ ମାର୍କେଟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ୨୦୨୪ ମସିହାରେ ଏହାର ମୂଲ୍ୟ ୨୩୨ ବିଲିୟନ ଟଙ୍କା ଅର୍ଥାତ୍ ୨୩ ହଜାର ୨୦୦ କୋଟି ଟଙ୍କା ଥିଲା। ତଥ୍ୟ ଅନୁଯାୟୀ, ଦେଶର ପ୍ରାୟ ୪୫ କୋଟି ଲୋକ ମନି ଗେମିଂ ପ୍ଲାଟଫର୍ମ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଯେଉଁଥିରେ ଲୋକମାନେ ୨୦,୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିଛନ୍ତି। ଏହାକୁ ଧ୍ୟାନରେ ରଖି, ସରକାର ଇ- ସ୍ପୋର୍ଟ୍ସ ଏବଂ ସୋସିଆଲ ଗେମ୍ସକୁ ପ୍ରୋତ୍ସାହିତ କରିବା ଏବଂ ମନି ଗେମିଂକୁ ରୋକିବାକୁ ନିଷ୍ପତ୍ତି ନେଇଛନ୍ତି।

ଏବେ ନଜର ରଖିବ ଭାରତୀୟ ଅନଲାଇନ୍ ଗେମିଂ ପ୍ରାଧିକରଣ

ନିୟମଗୁଡ଼ିକୁ ଠିକ ଢଙ୍ଗରେ ଲାଗୁ କରିବା ପାଇଁ ଅନଲାଇନ୍ ଗେମିଂ ଅଥରିଟି ଅଫ୍ ଇଣ୍ଡିଆ (OGAI) ଗଠନ କରାଯାଇଛି। ଏହାର କାର୍ଯ୍ୟାଳୟ ଦିଲ୍ଲୀରେ ରହିବ। ଏହା ଏକ ଡିଜିଟାଲ୍- ଫାର୍ଷ୍ଟ ନିୟାମକ। ନିୟାମକ ୯୦ ଦିନ ମଧ୍ୟରେ ନିଷ୍ପତ୍ତି ନେବେ ଯେ, କୌଣସି ଖେଳ 'ମନି ଗେମିଂ’ ବର୍ଗରେ ଆସୁଛି କିମ୍ବା 'ଇ-ସ୍ପୋର୍ଟସ୍' ଭାବରେ ସୁରକ୍ଷିତ। ଇ- ସ୍ପୋର୍ଟସ ପାଇଁ ଡିଜିଟାଲ ପଞ୍ଜୀକରଣ ପ୍ରମାଣପତ୍ର ଏବେ ୧୦ ବର୍ଷ ପାଇଁ ବୈଧ ହେବ। ପୂର୍ବରୁ ପ୍ରମାଣପତ୍ରଗୁଡ଼ିକ ପାଞ୍ଚ ବର୍ଷ ପାଇଁ ବୈଧ ଥିଲା।

ସେହିଭଳି ଉପଭୋକ୍ତା ଅଭିଯୋଗ ପାଇଁ ଏକ ଦୁଇସ୍ତରୀୟ ବ୍ୟବସ୍ଥା ରହିବ। ଯଦି କମ୍ପାନୀ ସେଗୁଡ଼ିକର ସମାଧାନ କରିବାରେ ବିଫଳ ହୁଏ, ତେବେ ଉପଭୋକ୍ତାମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିପାରିବେ।

ଯୁବପିଢ଼ିଙ୍କ ସୁରକ୍ଷା ପାଇଁ ବୟସ ସୀମା ଏବଂ ପ୍ୟାରେଣ୍ଟାଲ କଣ୍ଟ୍ରୋଲ

ଡିଜିଟାଲ୍ ମାହୋଲକୁ ସୁରକ୍ଷିତ କରିବା ପାଇଁ କମ୍ପାନୀଗୁଡ଼ିକୁ ଏବେ ବୟସର ଯାଞ୍ଚ, ବୟସ ସୀମା ଏବଂ ପ୍ୟାରେଣ୍ଟାଲ କଣ୍ଟ୍ରୋଲ ସମେତ ଅନେକ ସୁରକ୍ଷା ବୈଶିଷ୍ଟ୍ୟ ପ୍ରଦାନ କରିବାକୁ ପଡ଼ିବ। ଏହା ଯୁବପିଢ଼ିଙ୍କୁ ନିଶା ଏବଂ ମାନସିକ ଚାପରୁ ରକ୍ଷା କରିବାରେ ସାହାଯ୍ୟ କରିବ।

ସରକାରଙ୍କ ଅନୁସାରେ, ଏହି ନିୟମାବଳୀ ଭାରତର ସୃଜନଶୀଳ ଅର୍ଥନୀତିକୁ ସୁଦୃଢ଼ କରିବ। ଇ- ସ୍ପୋର୍ଟ୍ସ ଏବଂ ସୁରକ୍ଷିତ ସୋସିଆଲ ଗେମ ଡିଜାଇନ୍, ପ୍ରଯୁକ୍ତିବିଦ୍ୟା ଏବଂ ବିଷୟବସ୍ତୁ ସୃଷ୍ଟି କ୍ଷେତ୍ରରେ ନୂତନ ନିବେଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି କ୍ଷେତ୍ର ୨୦୨୭ ସୁଦ୍ଧା ୩୧୬ ବିଲିୟନ ଡଲାର ୩୧, ୬୦୦ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।