ପୁରୀ: ମହାପ୍ରଭୁଙ୍କ ବଡ଼ଦେଉଳ ବିଧିରେ ବାଧା କାହିଁକି ? ନୀତି ଠାରୁ ଆରମ୍ଭ କରି ସଂସ୍କାର ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି । ଏକାଧିକ କ୍ଷେତ୍ରରେ ପରିବର୍ତ୍ତନ ନାମରେ ପରମ୍ପରାକୁ ବଳି ପକାଯାଉଛି । ରାଜତନ୍ତ୍ରର ଶ୍ରୀମନ୍ଦିର ବ୍ୟବସ୍ଥାବଳୀ ଗଣତନ୍ତ୍ରରେ ଶ୍ୱାସରୁଦ୍ଧ ସ୍ଥିତି ଭୋଗୁଛି କି ! କୋଟି କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର ଶ୍ରୀମନ୍ଦିରର ମୌଳିକତାରେ ଆଞ୍ଚ ଆସିବା ଚିନ୍ତାର କାରଣ ପାଲଟିଛି ।

ଠାକୁରଙ୍କ ଅନେକ ଅନନ୍ୟ ନୀତି ଓ ଶ୍ରୀମନ୍ଦିର ପରମ୍ପରାରେ ଅନେକ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଶମ୍ଭୁ ଏକାଦଶୀରେ ଠାକୁରେ ଶ୍ରୀମନ୍ଦିରରୁ ଲୋକନାଥ ମନ୍ଦିର ଯାଉନାହାନ୍ତି । ସାଧାରଣ ଲୋକେ ଶ୍ରୀମନ୍ଦିରରେ ହରିହର ଉପାସନା ମହତ୍ତ୍ୱ ଜାଣୁନାହାନ୍ତି । ଅମାବାସ୍ୟାରେ ମଧ୍ୟ ନାରାୟଣ ମହାପ୍ରଭୁଙ୍କ ଜମ୍ୱେଶ୍ୱରଙ୍କ ମନ୍ଦିରକୁ ବିଜେ ନକରି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ସାଗର ବିଜେ ସମୟରେ ଠାକୁରେ ସମୁଦ୍ର ତଟକୁ ମଧ୍ୟ ବିଜେ ହେଉ ନାହାନ୍ତି । ରଥ ଯାତ୍ରାରେ ଆଗେ ଯେପରି ଠାକୁରଙ୍କୁ ଭୋଗ ଲାଗୁଥିଲା ତାହା ସମ୍ଭବ ହେଉ ନାହିଁ । ଏଭଳି ଆହୁରି ଅନେକ ବଡ଼ଦେଉଳ ପରମ୍ପରା ତଥା ଠାକୁରଙ୍କ ଅସଲ ନୀତିକୁ ବହୁ ବର୍ଷ ହେଲା ଅଣଦେଖା କରାଯାଉଛି ।

ବାହାର ଅଞ୍ଜାର, ପନିରି ଆଦି ବିଭିନ୍ନ ଜିନିଷ ଶ୍ରୀମନ୍ଦିରକୁ ପ୍ରବେଶ ପରମ୍ପରା ବିରୋଧୀ । ମନ୍ଦିର ଭିତରେ ଚେୟାର ପକାଇ ବାବୁମାନେ ବସିବା ଅନୁଚିତ । ଆଗେ ତଳେ ବସି ଟେବୁଲଟିଏ ପକାଇ ଲେଖୁଥିଲେ । ବର୍ତ୍ତମାନ ଶ୍ରୀମନ୍ଦିର ଭିତର କାର୍ଯ୍ୟାଳୟରେ ମାଳ ମାଳ ଚେୟାର ପଡ଼ୁଛି । ଶ୍ରୀମନ୍ଦିରରେ କେବଳ ନତମସ୍ତକ ହୋଇ ଠାକୁରଙ୍କୁ ନମସ୍କାର କରାଯାଏ । ଏବେ ଏସବୁକୁ ଅଧିକାଂଶ ମାନୁ ନାହାନ୍ତି । କେତେକ ସମୟରେ ଦେଖିବାକୁ ମିଳୁଛି କିଛି ଲୋକ ଲୁଙ୍ଗି ମାରି ଭିତରକୁ ଯାଉଛନ୍ତି । ହାଫପ୍ୟାଣ୍ଟ ମନା କଲାପରେ ମଧ୍ୟ କିଛି ଲୋକ ପିନ୍ଧି ଆସୁଛନ୍ତି । ଟୋପି ଓ ସକ୍ସ ପିନ୍ଧି ବଡ଼ଦେଉଳକୁ ଯାଉଛନ୍ତି । ମୋବାଇଲ ବ୍ୟବହାର ଓ ସ୍ୱଚ୍ଛତା ରକ୍ଷା କେବଳ ଧର୍ମକୁ ଆଖିଠାର । ଏସବୁ ନେଇ କଟକଣା ରହିଛି ହେଲେ କେହି ମାନୁନାହାନ୍ତି ତାଙ୍କର କ’ଣ କରିପାରୁଛି ପ୍ରଶାସନ !

ମନ୍ଦିରରେ ପାହୁଣ୍ଡେ ଆଗେଇଲା ବେଳକୁ ଦକ୍ଷିଣା ମାଗି ନୟାନ୍ତ କରାଯାଉଛି । ଶ୍ରଦ୍ଧାଳୁ ବିରକ୍ତି ପ୍ରକାଶ କରୁଥିଲେ ସୁଦ୍ଧା ମହାପ୍ରଭୁଙ୍କ ମୁହଁକୁ ଚାହିଁ ତୁନି ରହିଯାଉଛନ୍ତି । ସେହିଭଳି ଯାତ୍ରୀଙ୍କ ସୁରକ୍ଷା ମଧ୍ୟ ବିପନ୍ନ ହେଉଛି । ଅପରାଧୀ ରାକେଟ୍ ସକ୍ରିୟ ରହୁଛନ୍ତି । ସରକାରଙ୍କ ପାଖରେ ଏହାର ରେକର୍ଡ ରହିଛି । ହେଲେ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା ସମ୍ଭବ ହେଉନାହିଁ । ଏଭଳି ପରିବର୍ତ୍ତନ ବଡ଼ଦେଉଳର ପରମ୍ପରା ଓ ମୌଳିକତାକୁ ଦଳି ଦେଉଛି ।

ବରିଷ୍ଠ ସେବାୟତ ତଥା ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସଭାପତି ଅବସରପ୍ରାପ୍ତ ଅଧ୍ୟାପକ ପଦ୍ମନାଭ ମହାସୁଆର କୁହନ୍ତି, ପରମ୍ପରା ଯାହା ଅଛି, ଯାହା ଘଟୁଛି ଓ ଆଗକୁ ଯାହା ଘଟିବାକୁ ଯାଉଛି ସେସବୁ ନିଶ୍ଚିତ ବିଚାରକୁ ନିଆଯିବା କଥା । ଆଗକୁ କାଠ ଓ ପାଣିର ସମସ୍ୟା ନିଶ୍ଚିତ ହେବ । ଏବେଠାରୁ ଏହା ଜଣାପଡ଼ୁଛି । ଗଙ୍ଗା ଯମୁନାକୁ ଯେଉଁ ଜଳ ଆସୁଛି ତାହା ସମ୍ପୂର୍ଣ୍ଣ ପ୍ରାକୃତିକ ନୁହେଁ । ପୁଣି ଶ୍ରୀମନ୍ଦିର ଭିତରେ ଓ ଚତୁଃପାର୍ଶ୍ବରେ ଥିବା ମାଟି ସ୍ଥାନଗୁଡ଼ିକ କଂକ୍ରିଟ୍ କିମ୍ବା ପଥର ଦ୍ୱାରା ଆଚ୍ଛାଦିତ ହେବାରେ ଭୂତଳ ଜଳ ରିଚାର୍ଜ ହେଉ ନାହିଁ । ବଡ଼ଦେଉଳର ପରମ୍ପରାକୁ ଭାଙ୍ଗିଦେବା ଉଚିତ ନୁହେଁ । ବରଂ ଏହାକୁ ଅକ୍ଷୁଣ୍ଣ ରଖି ପରିବର୍ତ୍ତନର ଆହ୍ୱାନକୁ ମିଳିମିଶି ବିଚାର କରି ସାମ୍ନା କରିବା କଥା ।

ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ଗଭୀର ଚିନ୍ତା ବ୍ୟକ୍ତ କରି କୁହନ୍ତି, ଶ୍ରୀମନ୍ଦିରରେ ଯାହା ସବୁ ବ୍ୟତିକ୍ରମ ହେଉଛି ସେଥିପ୍ରତି ଆମେ ସଜାଗ ଅଛୁ । ଏନେଇ ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଛି । ଶ୍ରୀମନ୍ଦିର ପରମ୍ପରାରେ କୌଣସି ବାଧା ନପହଞ୍ଚୁ । ଯାହା ସବୁ ସମସ୍ୟା ରହିଛି ତାର ସମାଧାନ ପାଇଁ ରାସ୍ତା ଖୋଜାଯାଉଛି । ସକଳ ଶକ୍ତିର ଆଧାର ମହାପ୍ରଭୁଙ୍କ ଆସ୍ଥାନ ବଡ଼ଦେଉଳ । ଏହାର ପବିତ୍ରତା ରକ୍ଷା ପାଇଁ ସେଭଳି ମାନସିକତା ରହିବା ଆବଶ୍ୟକ । ପ୍ରଶାସକ, ସେବକ, ଭକ୍ତ ତଥା ସମସ୍ତ ଜଗନ୍ନାଥପ୍ରେମୀ ଏନେଇ ବିଚାର କରିବା ସହ ପ୍ରଭୁ କୃପା ରହିଲେ ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା ବଜାୟ ରହିବା ସମ୍ଭବ ହେବ ।