ପୁରୀ : ଜୁନ୍ ୨୯ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ଜୁଲାଇ ୧୬ ତାରିଖରେ ରଥଯାତ୍ରା। ବିଶ୍ୱପ୍ରସିଦ୍ଧ ନବଦିନାଙ୍କ ରଥଯାତ୍ରାର ଏହି ଭବ୍ୟ ଉତ୍ସବ ଜୁଲାଇ ୨୭ ତାରିଖ ନୀଳାଦ୍ରି ବିଜେ ସହ ସମାପ୍ତ ହେବ। ରଥଯାତ୍ରାରେ ପ୍ରାୟ ୧୦ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଭିଡ଼ ନିୟନ୍ତ୍ରଣ, ନିର୍ଦ୍ଧାରିତ ସମୟରେ ରଥଟଣା, ପହଣ୍ଡି ଓ ଅନ୍ୟାନ୍ୟ ରଥଯାତ୍ରା ନୀତିଶୃଙ୍ଖଳା, ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା, ଉତ୍ତମ ଓ ସୁରକ୍ଷିତ ଯାତାୟାତ ବ୍ୟବସ୍ଥା, ପାନୀୟଜଳ, ଶୌଚାଳୟ ଓ ସ୍ବଚ୍ଛତା ବଜାୟ ରଖିବା, ଶ୍ରଦ୍ଧାଳୁଙ୍କ ନିମନ୍ତେ ଶୋଷଣମୁକ୍ତ ବ୍ୟବସ୍ଥା କରିବା, ଅତିରିକ୍ତ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ଓ ଟିକେଟ କାଉଣ୍ଟର ବ୍ୟବସ୍ଥା, ପର୍ଯ୍ୟାପ୍ତ ବିଶ୍ରାମାଗାର ବ୍ୟବସ୍ଥା, ମୋବାଇଲ ନେଟ୍ଓ୍ୱାର୍କ ଭିଡ଼ ଭିତରେ ବଜାୟ ରଖିବା, ପୁରୀକୁ ସଂଯୋଗ କରୁଥିବା ସମସ୍ତ ପ୍ରମୁଖ ରାସ୍ତା ମରାମତି ଓ ପୁନଃନିର୍ମାଣ ସାରିବା ପ୍ରଶାସନ ନିକଟରେ ଚାଲେଞ୍ଜ ହେବ। ଏହାକୁ ସୁପରିଚାଳନା ନିମନ୍ତେ ଶୁକ୍ରବାର ଟାଉନ୍ ହଲ୍ ଠାରେ ହେବାକୁ ଯାଉଛି ପ୍ରଥମ ରଥଯାତ୍ରା ସମନ୍ୱୟ କମିଟି ବୈଠକ। ଆର୍ଡିସି (ସେଣ୍ଟ୍ରାଲ ଡିଭିଜନ)ଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଆଇନ ବିଭାଗର ସଚିବ, ପୁଲିସ ବିଭାଗର ପ୍ରମୁଖ ଅଧିକାରୀ, ପ୍ରାଶାସନିକ ଅନ୍ୟ ବିଭାଗର ସଚିବ, ପୁରୀ ଜିଲ୍ଲାପାଳ, ଏସ୍ପିଙ୍କ ସମେତ ପ୍ରାଶାସନିକ କେତେକ ପ୍ରମୁଖ ଅଧିକାରୀ ଯୋଗଦେବେ। ବିଭାଗୀୟ ଅଧିକାରୀମାନେ ରଥଯାତ୍ରା ନିମନ୍ତେ ପାଇଥିବା ଦାୟିତ୍ୱ କେତେ ତୁଲାଇଛତି ତାହାକୁ ସମୀକ୍ଷା କରିବେ । ବୈଠକରେ ଉପସ୍ଥିତ ସେବାୟତ, ବୁଦ୍ଧିଜୀବୀମାନଙ୍କ ମତାମତ ଅନୁଯାୟୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ନିମନ୍ତେ ବୈଠକରେ ଅଧିକାରୀଙ୍କୁ ଦାୟିତ୍ଵ ଦେବେ ଆର୍ଡିସି।

Also Read-  ବାଲିଅନ୍ତା ଘଟଣାକୁ ନେଇ ମୁହଁ ଖୋଲିଲେ ପୀଡିତା, କହିଲେ- ସେହି ସମୟର ଭୟଙ୍କର କାହାଣୀ

ରଥଯାତ୍ରାକୁ ଶୃଙ୍ଖଳିତ ପାଳନ କରିବା ନିମନ୍ତେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ଯକ୍ଷତାରେ ଫେବ୍ରୁଆରୀ ମାସରେ ହୋଇଥିବା ବୈଠକରେ ପ୍ରାଶାସନିକ ଅଧିକରୀଙ୍କୁ ଦିଆଯାଇଥିବା ଦାୟିତ୍ଵ ଏପର୍ଯ୍ୟନ୍ତ ଠିକଣା ସମୟରେ ସରିନାହିଁ। ଏପ୍ରିଲ ଶେଷ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିର ବିକାଶ ସାରିବେ ବୋଲି ବିଭାଗୀୟ ଅଧିକାରୀ କହିଥିଲେ ହେଁ ସଂପୂର୍ଣ ହୋଇନାହିଁ। ଶ୍ରୀଗୁଣ୍ଡିଚା ମନ୍ଦିର ସୁରକ୍ଷା କାନ୍ଥ ଓ ସ୍ବତନ୍ତ୍ର ଦ୍ବାର ନିର୍ମାଣ କାମ ଅଧା ସରିଛି। ସେହିପରି ମାର୍ଚ୍ଚ ଶେଷ ସୁଦ୍ଧା ଡ୍ରେନ୍ ସଫେଇ, ଡ୍ରେନ୍ ମରାମତି, ଡ୍ରେନ୍ ଉପରେ ସ୍ଲାବ୍ ପକାଇବା କାମ ସାରିବାକୁ ବୈଠକରେ ଦାୟିତ୍ୱ ଦିଆଯାଇଥିଲେ ହେଁ ଏପର୍ଯ୍ୟନ୍ତ ୫୦% ମଧ୍ଯ କାମ ସରିନି। ରଥଯାତ୍ରା ପାସ୍ ବଣ୍ଟନ, ପୁରୀ ବଡ଼ଦାଣ୍ଡ ସମେତ ଉତ୍ତରାରୁ ପୁରୀ ପର୍ଯ୍ୟନ୍ତ ଅସ୍ଥାୟୀ କ୍ୟାମେରା ଲାଗିବାକୁ ରହିଛି। ଏପ୍ରିଲ ଶେଷ ସୁଦ୍ଧା କାମ ସରିବ ବୋଲି ବିଭାଗୀୟ ଅଧିକାରୀ କହିଥିଲେ ହେଁ ଏପର୍ଯ୍ୟନ୍ତ ପୁରୀ ବଡ଼ଦାଣ୍ଡରେ ଅସ୍ଥାୟୀ କ୍ୟାମେରା

ଇଷ୍ଟଲେସନ କାମ ସରିପାରିନି। ସେହିପରି ବଡ଼ଦାଣ୍ଡ ମେଡିକାଲ ଛକ-ବାଟଗାଁ ରାସ୍ତା ପ୍ରଶସ୍ତୀକରଣ କାମ ଶେଷ ହୋଇପାରିନି। ପୁରୀ-ଭୁବନେଶ୍ଵର ଜାତୀୟ ରାଜପଥ, ପୁରୀ-କୋଣାର୍କ, ପୁରୀ-ସାତପଡ଼ା, ପୁରୀ-ନିରାକାରପୁର ଜଗନ୍ନାଥ ସଡ଼କ ଖାଲଖମା ହୋଇପଡ଼ିଛି। ସେପଟେ ତାଳବଣିଆ ପାର୍କି, ସମଙ୍ଗ ପାର୍ଟି, ବହୁତଳ ପାର୍ଟି ସ୍ଥାନ ଅଞ୍ଚଳର ଉନ୍ନତୀକରଣ ସହ ମାଟିଆପଡ଼ା ରେଳ ଫାଟକ ଓଭରବ୍ରିଜ୍ ନିର୍ମାଣ କାମ ଜୁନ୍ ଶେଷ ସୁଦ୍ଧା ସାରିବାକୁ ଓ ଏହାର ନିରୀକ୍ଷଣ ଦାୟିତ୍ଵ ଆର୍ଡିସିଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍ ଉପରେ ନ୍ୟସ୍ତ ରହିଛି। ତେଣୁ ଏହାକୁ ଖୁବ୍ ଗୁରୁତ୍ୱ ଦିଆଯାଇ ବୈଠକରେ ଆଲୋଚନା ହେବ। ସେହିପରି ଗତବର୍ଷ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ରଥ ପାଖରେ ଘଟିଥିବା ଦଳାଚକଟା ଜନିତ ମୃତାହତ ହେବା ଘଟଣା ପରେ ରଥକୋଡ୍ ମାର୍ଗଦର୍ଶିକା ସରଳୀକରଣ ନେଇ ମଧ୍ୟ ଆଲୋଚନା ହୋଇପାରେ। ଗତବର୍ଷ ରଥଯାତ୍ରା ପରିଚାଳନାରେ ଫେଲ୍ ମାରିବା ସହ ଦୁର୍ନାମ ମୁଣ୍ଡାଇଥିବା ପ୍ରଶାସନ ଚଳିତ ବର୍ଷ କିପରି ଏହାର ସୁପରିଚାଳନା କରିବ ସେନେଇ ପ୍ରାଥମିକ ପ୍ରସ୍ତୁତି ବୈଠକରେ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହେବ। ପରବର୍ତ୍ତୀ ସମନ୍ୱୟ ବୈଠକମାନଙ୍କରେ ଏହାକୁ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ।

Also Read- ଜଗା ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା, ଚାଲିଗଲା ଜୀବନ, ରାସ୍ତାରେ ଚାପି ହୋଇଗଲା ସବୁ ଖୁସି