ପୁରୀ ୧୨।୭: ରଥଯାତ୍ରା ସମୟରେ ହୋଟେଲ ବୁକିଂ ବେଳେ ପର୍ଯ୍ୟଟକଙ୍କୁ ଠକିବା ପାଇଁ ଏବେ ସାଇବର ଅପରାଧୀ ସକ୍ରିୟ।ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏବେ ଟାର୍ଗେଟ କରିଛନ୍ତି ସାଇବର ଅପରାଧୀ। କମ୍ ଦାମ୍‌ରେ ଆରାମ୍ ଦାୟକ ରୁମ୍ ବୁକିଂ ଅଫର ଅନଲାଇନରେ ବିଜ୍ଞାପନ କରି ପୁରୀ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛନ୍ତି ସାଇବର ଅପରାଧୀ।ତେବେ ଏହାକୁ ରୋକିବା ପାଇଁ ପୁରୀ ପୋଲିସ କରିଛି ବ୍ୟାପକ ପ୍ରସ୍ତୁତି।ଏଥିପାଇଁ ୨୪ ଘଣ୍ଟା ଆଲର୍ଟରେ ରହିଛି ସ୍ବତନ୍ତ୍ର ସାଇବର ସେଲ୍।

ପୁରୀ ପୋଲିସ ପକ୍ଷରୁ ୭୭ଟି ହୋଟେଲର ଅଧିକୃତ ଗୁଗୁଲ ଲିଙ୍କ, ଓ୍ବେବସାଇଟ, ଇ-ମେଲ୍ ଠିକଣା ସହ ଯୋଗାଯୋଗ ନମ୍ବର ଓ ହୋଟେଲର ନାମ ସଂଗ୍ରହ କରାଯାଇ ଯାଞ୍ଚ ପରେ ସାର୍ବଜନୀନ କରାଯାଇଛି। ଏହି ହୋଟେଲ ଗୁଡ଼ିକରେ ବୁକିଁ କଲେ ସାଇବର ଠକେଇ ସମ୍ଭାବନା ନଥିବା କୁହାଯାଇଛି।ହୋଟେଲ ବୁକ୍ ବେଳେ ହୋଟେଲ ସହ ଯୋଗାଯୋଗ କରି କେବଳ ସଠିକ ଆକାଉଣ୍ଟରେ ଅର୍ଥ ପୈଠ କରି ସମସ୍ତ ରସିଦ୍, ଇ-ମେଲ୍ ସଂଗ୍ରହ କରି ରଖିବାକୁ କୁହାଯାଇଛି। ଯଦି କେହି ସାଇବର ଠକେଇର ଶିକାର ହୁଅନ୍ତି କିମ୍ବା ସନ୍ଦେହଜନକ ଘଟଣା ଦେଖନ୍ତି ତୁରନ୍ତ ନିକଟ ଥାନା, ପୁରୀ ପୋଲିସ କଣ୍ଟ୍ରୋଲ ରୁମ୍ କିମ୍ବା ସାଇବର ହେଲ୍ପଲାଇନ ନମ୍ବର ୧୯୩୦ରେ ଯୋଗାଯୋଗ କରିବାକୁ କୁହାଯାଇଛି।

Also Read:- ଭୁବନେଶ୍ବରରେ ଏବେ ନକଲି ଅଫିସରଙ୍କ ରାଜ୍ ! ଲୁଟ୍ ହେଉଛି ସତ, କିନ୍ତୁ ଫର୍ମୁଲା ପୂରା ଅଲଗା

ରଥଯାତ୍ରା ପାଇଁ ସାଇବର ଅପରାଧୀଙ୍କ ଟାର୍ଗେଟରେ ପୁରୀର ୧୨ ଶହ ହୋଟେଲ। ବିଭିନ୍ନ ହୋଟେଲ ନାଁରେ ନକଲି ଓ୍ବେବସାଇଟ ଖୋଲି ଅପରାଧୀ ଲକ୍ଷାଧିକ ଟଙ୍କା ଲୁଟ୍ କରୁଛନ୍ତି। ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା କ୍ରାଇମବ୍ରାଞ୍ଚ ୨୩୮ଟି ନକଲି ଓ୍ବେବସାଇଟକୁ ସମ୍ପୂର୍ଣ୍ଣ ବନ୍ଦ କରିଛି।ଦେଶ ଭିତରୁ ଓ ବାହାରୁ ସାଇବର ଅପରାଧୀ ନକଲି ଓ୍ବେବସାଇଟ କରି ଠକେଇ କରୁଛନ୍ତି। ଏହି ଓ୍ବେବସାଇଟରେ ମଧ୍ୟ ନକଲି କଷ୍ଟମର କେୟାର ନମ୍ବର ଦେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୪୦ ଜଣ ଯାତ୍ରୀ ଠକେଇର ଶିକାର ହୋଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଛନ୍ତି। ତେଣୁ ଏହାକୁ ରୋକିବାକୁ କ୍ରାଇମବ୍ରାଞ୍ଚ ଆଇଜିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ସମସ୍ତ ହୋଟେଲ ଉପରେ କଡ଼ା ନଜର ରଖାଯାଇଛି।ମୁଖ୍ୟତଃ ସମୁଦ୍ର କୂଳରେ ଥିବା ହୋଟେଲ ଉପରେ ଗୁରୁତ୍ବ ଦିଆଯାଇଛି।

ସମସ୍ତ ହୋଟେଲ ସାଇବର ଟିମ୍ ରଖି ନିଜ ହୋଟେଲ ନାଁରେ ଥିବା ନକଲି ସାଇଟକୁ ଚିହ୍ନଟ କରି ତୁରନ୍ତ ପୋଲିସରେ ଅବଗତ କରାଇବାକୁ କୁହାଯାଉଛି।