ପଞ୍ଜାବ ୦୯/୦୫: ଚଢାଉର ମାତ୍ର କିଛି ଘଣ୍ଟା ପରେ ଗିରଫ। ପଞ୍ଜାବ ସରକାରଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି (AAP)ର ବରିଷ୍ଠ ନେତା ସଂଜୀବ ଆରୋରା ଗିରଫ । ମନି ଲଣ୍ଡରିଂ ମାମଲାରେ ବାନ୍ଧିଲା  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଶନିବାର ସକାଳୁ ଇଡିର ଏକ ଟିମ୍‌ ସଂଜୀବଙ୍କ ଚଣ୍ଡିଗଡ ସ୍ଥିତ ସରକାରୀ ବାସଭବନରେ ଚଢାଉ କରିଥିଲା ।କେବଳ ସେତିକି ନୁହେଁ ଲୁଧିଆନା, ଜଳନ୍ଧର ଓ ଗୁରୁଗ୍ରାମ ସମେତ ଅନେକ ସହରରେ ଛାପା ମାରିଛି ଇଡି ।  କେଇ ଘଣ୍ଟାର ଛାନ୍‌ଭିନ୍‌ ପରେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ଗିରଫ କରିଛି ଇଡି । ସେପଟେ ଗିରଫକୁ କଡା ଭାଷାରେ ସମାଲୋଚନା କରିବା ସହ ସଂଗୀନ ଆରୋପ ଆଣିଛି ଆପ୍‌ । କେନ୍ଦ୍ର ସରକାର ରାଜନୈତିକ ଚାପ ପ୍ରୟୋଗ କରୁଥିବା କହିଛନ୍ତି ଆପ୍‌ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ସୂଚନା ମୁତାବକ ସଂଜୀବଙ୍କୁ ଗିରଫ କରିବାର କାରଣ ମନି ଲଣ୍ଡରିଂ, ପେମା ଉଲ୍ଲଂଘନ,ଜମି ସମ୍ବନ୍ଧୀୟ ମାମଲା ଓ ସନ୍ଦେହଜନକ ଆର୍ଥିକ କାରବାର କୁହାଯାଉଛି ।

​​​​​​​

୬୨ ବର୍ଷୀୟା ଆରୋରା ଲୁଧିଆନା ପଶ୍ଚିମ ବିଧାନସଭା ଆସନରୁ ଜଣେ ଆପ୍‌ ବିଧାୟକ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ମନି ଲଣ୍ଡରିଂ ନିବାରଣ ଆଇନ (PMLA), 2002 ଅନୁସାରେ ଆରୋରା ଏବଂ ତାଙ୍କ ସଂସ୍ଥା ସହିତ ଜଡିତ ୪ଟି ସ୍ଥାନରେ ଛାନ୍‌ଭିନ୍‌ କରିଥିଲା। ଚଣ୍ଡିଗଡ଼ ଏବଂ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଏହି ଚଢାଉ କରାଯାଇଥିଲା ଏବଂ ମନ୍ତ୍ରୀଙ୍କୁ ସେକ୍ଟର ୨ ସ୍ଥିତ ତାଙ୍କ ସରକାରୀ ବାସଭବନରୁ ଗିରଫ କରାଯାଇଥିଲା।ଚଳିତ ବର୍ଷ ଆରୋରାଙ୍କ ଉପରେ ଏହା ତୃତୀୟ ଥର ପାଇଁ ଚଢାଉ କରାଯାଇଛି । ଏହି ମାସର ଆରମ୍ଭରେ ଓ ଏପ୍ରିଲରେ ତାଙ୍କ ବିରୋଧରେ ସମାନ ଆକ୍ସନ ନିଆଯାଇଛି ।

କେଜ୍ରିୱାଲଙ୍କ ଅସନ୍ତୋଷ

ଚଢାଉ ପରେ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ  ‘X’ରେ କଡା ସମାଲୋଚନା କରି କେଜ୍ରିୱାଲ କହିଛନ୍ତି ଏପରି ଭାବରେ ED ଭଳି କେନ୍ଦ୍ରୀୟ ଏଜେନ୍ସି ଗୁଡିକର ଅପବ୍ୟବହାର ହେଉଛି । ଜଣେ ପଞ୍ଜାବୀ ଆପଣଙ୍କୁ ପ୍ରେମରେ ତାର ସବୁକିଛି ଦେବ । କିନ୍ତୁ ତମେ ଯଦି ତାକୁ ଠେଲିଦିଅ ତେବେ ସେ ପୁରା ବଳ ଲଗାଇ ପ୍ରତିରୋଧ କରିବ । ମୋଦିଜୀ ଆଗକୁ ବଢନ୍ତୁ ଏବଂ ୪ଟି ଇଡି ଚଡାଉ କରନ୍ତୁ । ତୁମେ ଯେଉଁମାନଙ୍କୁ ଗିରଫ କରିବ ସେମାନେ ୪ଦିନ ଭିତରେ ବାହାରିଯିବେ । କିନ୍ତୁ ବିଜେପି ଆଗାମୀ ୨୦ ବର୍ଷ ଯାଏ ପଞ୍ଜାବରେ ପାଦ ରଖିବାକୁ ଯୋଗ୍ୟ ହେବନି । 

କ'ଣ କହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ? 

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ବିଜେପିକୁ ସମାଲୋଚନା କରି କହିଥିଲେ ଯେ ଇଡି, ସିବିଆଇ ଏବଂ ଆୟକର ବିଭାଗ ଭଳି ଏଜେନ୍ସିଗୁଡିକୁ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି । ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡିରେ ଏପରି କାର୍ଯ୍ୟକଳାପ ତୀବ୍ର ହେଉଛି । ସେମିତି ଦେଖିଲେ ଆସନ୍ତା ବର୍ଷରେ ପଞ୍ଚାବରେ ବିଧାନସଭା ନିର୍ବାଚନ ହେବ ।ଦୀର୍ଘ ବର୍ଷ ଧରି ସେମାନେ ରାଜନୀତି ପାଇଁ ଏଜେନ୍ସିଗୁଡିକୁ ବ୍ୟବହାର କରିଆସୁଛନ୍ତି । ମହାରାଷ୍ଟ୍ର, ଓଡ଼ିଶା,ବିହାର,କର୍ଣ୍ଣାଟକ କି ପଶ୍ଚିମବଙ୍ଗ ହେଉ । ଏବେ ପଞ୍ଜାବ ଟାର୍ଗେଟ ।

ଇଡି ଚଢାଉର ଉଦ୍ଦେଶ୍ୟ କଳାଧନ କିମ୍ବା ଡକ୍ୟୁମେଣ୍ଟ ଜବତ ନୁହେଁ । ପ୍ରକୃତ ଉଦ୍ଦେଶ୍ୟ ହେଉଛି ନେତାମାନଙ୍କୁ ସେମାନଙ୍କ ବ୍ୟବସାୟ ଓ ପ୍ରତିଷ୍ଠାକୁ ବିପଦରେ ପକାଇ ବିଜେପିରେ ଯୋଗ ଦେବା ପାଇଁ ପ୍ରେସର ପକାଇବା । ଏହାର ସବୁଠାରୁ ବଡ ଉଦାହରଣ ସେ ଆପ୍‌ ରାଜ୍ୟସଭା ସାଂସଦ ଅଶୋକ ମିତ୍ତଲଙ୍କୁ କହିଛନ୍ତି । ରାଜ୍ୟସଭା ସାଂସଦ ମିତ୍ତଲଙ୍କ ବାସଭବନ ଓ ବିଶ୍ବବିଦ୍ୟାଳୟ ୨ଦିନ ଧରି ଚଢାଉ କରାଯାଇଥିଲା । ପରେ ସେ ବିଜେପିରେ ଯୋଗ ଦେଇଥିଲେ ତା ପରେ କାର୍ଯ୍ୟାନୁଷ୍ଠାନ ବନ୍ଦ ହୋଇଗଲା । ଯଦି କିଛି ଗମ୍ଭୀର ମାମଲା ଥାଆନ୍ତା ତେବେ ସେମାନେ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏକ କଡା ବାର୍ତ୍ତା ପଠାଇ ମାନ କହିଛନ୍ତି ପଞ୍ଜାବ ଧମକ କିମ୍ବା ଚାପ ରଣନୀତି ଆଗରେ ମୁଣ୍ଡ ନୁଆଁଇବ ନାହିଁ ।  ବିଜେପି ଚଣ୍ଡିଗଡ,ନଦୀ ଜଳ ଓ ପଞ୍ଜାବ ବିଶ୍ବବିଦ୍ୟାଳୟ ଭଳି ପ୍ରସଙ୍ଗରେ ଟାର୍ଗେଟ କରୁଛି ଓ ରାଜନୈତିକ ଲାଭ ପାଇଁ ସଂପ୍ରଦାୟଗୁଡିକୁ ବିଭାଜନ କରିବାକୁ ଚେଷ୍ଟା କରୁଛି ।

Also read:Tamil Nadu Government Formation: ତାମିଲନାଡ଼ୁରେ ଏବେ ବିଜୟ ସରକାର, TVKକୁ ମିଳିଲା VCKର ସମର୍ଥନ ପତ୍ର