ଲାହୋର,୩୦ /୦୩ : ମ୍ୟାଚ୍ ଫିକ୍ସିଂରେ ପାକିସ୍ତାନୀ ଖେଳାଳି ବିବାଦରେ ପାକିସ୍ତାନ ସୁପର ଲିଗ୍ ବା ପିଏସଏଲ । ଟାର୍ଗେଟରେ ଲାହୋର କଲନ୍ଦର । ଦଳର ଅଧିନାୟକ ସାହିନ୍ ଆଫ୍ରିଦି ଏବଂ ଅଲରାଉଣ୍ଡର ସିକନ୍ଦର ରାଜାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ । ପଞ୍ଜାବ ପୋଲିସର ତଦନ୍ତରୁ କିଛି ଏପରି ତଥ୍ୟ ମିଳିଛି । 

ପଞ୍ଜାବ ପୋଲିସର, ରିପୋର୍ଟ ଅନୁସାରେ, ସାହିନ ଏବଂ ସିକନ୍ଦର ସୁରକ୍ଷା ନିୟମକୁ ଉଲ୍ଲଙ୍ଘନ କରିଛନ୍ତି । ସେମାନେ କିଛି ଅଜଣା ବ୍ୟକ୍ତିଙ୍କୁ ଖେଳାଳି ରହୁଥିବା ହୋଟେଲକୁ ନେଇଥିଲେ । ଏପରିକି ସେମାନଙ୍କୁ ଜବରଦସ୍ତି ରୁମକୁ ନେଇଥିଲେ । ମାମଲା ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ହୋଟେଲରେ ରହୁଥିବା ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପୋଲିସ ପକ୍ଷରୁ PSL CEO ସଲମାନ ନସୀରଙ୍କୁ ଲେଖାଯାଇଥିବା ଏକ ଚିଠିରେ କୁହାଯାଇଛି ଯେ, ୪ ଜଣ ଅଜଣା ବ୍ୟକ୍ତିଙ୍କୁ କୌଣସି ଅନୁମତି ଦିଆଯାଇ ନଥିଲା । କିନ୍ତୁ ସେମାନେ ଖେଳାଳିଙ୍କ ରୁମକୁ ଯାଇଥିଲେ । ସାହିନ ଏବଂ ସିକନ୍ଦର ସୁରକ୍ଷା ନିୟମ ଭାଙ୍ଗିଛନ୍ତି । ସୁରକ୍ଷାକର୍ମୀଙ୍କ ବିରୋଧ ସତ୍ତ୍ୱେ ସେମାନେ ଅଜଣାବ୍ୟକ୍ତିଙ୍କୁ ନିଜ କୋଠରୀକୁ ନେବା ସହ ପ୍ରାୟ ୩ ଘଣ୍ଟା ଧରି ସେମାନଙ୍କ ସହ ରହିଥିଲେ । ଯାହା ପ୍ରୋଟୋକଲକୁ ସିଧାସଳଖ ଉଲ୍ଲଙ୍ଘନ କରୁଛି । ଏଭଳି ଘଟଣାକୁ ରୋକାଯିବା ଦରକାର ବୋଲି ପୋଲିସ ଚିଠିରେ ଲେଖିଛି ।

ପ୍ରତିକ୍ରିୟା ଦେଇନି ଲାହୋର

ଘଟଣାକୁ ଅନେକ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଲାହୋର କଲନ୍ଦର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଅନ୍ୟ ଦିଗରେ ସିକନ୍ଦର ରାଜା ସଫେଇ ଦେଇ କହିଛନ୍ତି ଯେ, ସେମାନେ ତାଙ୍କ ପରିବାରର ଘନିଷ୍ଠ ବନ୍ଧୁ । ସାହିନଙ୍କର କୌଣସି ଭୁଲ୍ ନାହିଁ । ସାହିନ କେବଳ ତାଙ୍କୁ ସାହାଯ୍ୟ କରୁଥିଲେ । ଭୁଲ ନିଜର ବୋଲି ସିକନ୍ଦର କହିଛନ୍ତି ।

ବନ୍ଦ ଷ୍ଟାଡିୟମରେ ମ୍ୟାଚ୍

ପାକିସ୍ତାନ ବୋର୍ଡ ପୂର୍ବରୁ ସୁରକ୍ଷାକୁ ନେଇ ଅଧିକ ସଜାଗ ରହିଛି । ମଧ୍ୟପ୍ରାଚ୍ୟ ଉତ୍ତେଜନା ଏବଂ ଆତଙ୍କବାଦୀଙ୍କ ଧମକ ପାଇଁ ମ୍ୟାଚ୍ ବନ୍ଦ ଷ୍ଟାଡିୟମରେ ଖେଳାଯାଉଛି । ସୁରକ୍ଷା କାରଣରୁ ଖେଳାଳିଙ୍କ ହୋଟେଲ ଏବଂ ଷ୍ଟାଡିୟମରେ ଅଧିକ ମାତ୍ରାରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ଅଜଣା ବ୍ୟକ୍ତିଙ୍କୁ ହୋଟେଲ ରୁମ୍ ମଧ୍ୟକୁ ନେବା ଘଟଣା ଦୁଇଟି ଦିଗକୁ ସୂଚାଉଛି । ଗୋଟିଏ ଦିଗରେ ସେମାନେ ପ୍ରକୃତରେ ସିକନ୍ଦରଙ୍କ ବନ୍ଧୁ ହୋଇପାରନ୍ତି । ଅନ୍ୟ ଦିଗରେ କୌଣସି ବୁକି ହୋଇପାରନ୍ତି ଯିଏକି ମ୍ୟାଚ୍ ପିକ୍ସିଂ ପାଇଁ ଖେଳାଳିଙ୍କ ସହ ଯୋଗାଯୋଗ କରିଥିଲେ । ତେବେ ପ୍ରକୃତ ସତ କଣ ତାହା ଜାଣିବାକୁ କ୍ରିକେଟ୍ ପ୍ରେମୀ ଅପେକ୍ଷା କରିଛନ୍ତି ।